url
stringlengths
29
226
text
stringlengths
7
18.1k
https://www.dharitri.com/ଯୁବକଙ୍କ-ମୃତ୍ୟୁ-କରୋନା-ସନ୍/
ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଗାଁ ଲୋକେ ଆତଙ୍କିତ ପଡିଆବାହାଲ, ୫।୪(ଡି.ଏନ.ଏ.) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ କବରାପାଲି ପଞ୍ଚାୟତର ତୁରିପଡାରେ ରବିବାର ସକାଳେ ଜଣେ ବହିରାଗତ ଯୁବକଙ୍କ ହଠାତ୍ ମୃତ୍ୟୁ ଘଟିଛି। ସଦର ଥାନା ପୋଲିସ ମୃତଦେହ ଜବତ କରି ବୁର୍ଲା ଭିମସାରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚାଲୁ ରଖିଛି। ତେବେ କରୋନାରେ ତାଙ୍କର ମୃତ୍ୟୁ ହୋଇଥାପାରେ ବୋଲି ଆଶଙ୍କା କରି ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଚେନ୍ନାଇରେ କାମ କରୁଥିବା ବଣାଇ ଅଞ୍ଚଳର ଏହି ଯୁବକ ଜଣକ ଲକଡାଉନ ଯୋଗୁ ଘରକୁ ଫେରି ଆସିଥିଲେ । ହେଲେ ଗାଁ ଲୋକେ ପଶିବାକୁ ନ ଦେବାରୁ ଯୁବକ ଜଣକ ମାମୁଁ ଘର ତୁରିପଡାକୁ ଆସି ରହୁଥିଲେ।
https://www.dharitri.com/garbage-dump-near-the-mayors-house/
ମେୟରଙ୍କ ଘର ନିକଟରେ ଅଳିଆଗଦା ଭୁବନେଶ୍ୱର,୨୯।୫ (ବ୍ୟୁରୋ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଅଣ୍ଟା ଭିଡୁଛି ବିଏମ୍ସି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ ଏବଂ ଡୋର-ଟୁ-ଡୋର ବୁଲି ଅଳିଆ ସଂଗ୍ରହ କରୁଛି। ପ୍ରତ୍ୟେକ ଦିନ ଏହାକୁ ଟୁଇଟ୍ କରି ଲୋକଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ଖୋଦ୍ ମେୟରଙ୍କ ଘର ନିକଟରେ ଅଳିଆ ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି। ଓ୍ବାର୍ଡ ନଂ.୪୭ ଅନ୍ତର୍ଗତ ୟୁନିଟ-୫ ବସ୍ତି ନିକଟରେ ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ରହିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଫଟୋ ଉଠାଇ ବିଏମ୍ସି, ମେୟରଙ୍କୁ ଟୁଇଟ୍ କରି ସମସ୍ୟା ଜଣାଇଛନ୍ତି। ଶୀଘ୍ର ଏହାର ସମାଧାନ ନ ହେଲେ ପରବର୍ତ୍ତୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ କେବଳ ଏହି ଅଞ୍ଚଳ ନୁହେଁ ସହରର ଅଧିକାଂଶ ଅଞ୍ଚଳ ବିଶେଷକରି ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର, ପାଣ୍ଡବ ନଗର, ରବିଟକିଜ୍ ନିକଟ ଆଦି ବିଭିନ୍ନ ଅଞ୍ଚଳରେ ଅଳିଆ ପଡି ରହୁଥିବା ଦେଖାଯାଉଛି। ଏ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ସହରରୁ ଦୈନିକ ଅଳିଆ କଢା ଯାଉଛି। ଏହାଛଡା ଯଦି କେଉଁଠାରେ ଅଳିଆ ରହିଯାଉଛି ଜନସାଧାରଣ ଆମକୁ ଜଣାନ୍ତୁ, ତୁରନ୍ତ ତାହାର ସମାଧାନ କରାଯିବ। ଅଳିଆ ପଡିବା ଏବଂ ଉଠାଇବା ଏକ ଦୈନିକ ପ୍ରକ୍ରିୟା। ତେଣୁ ଗୋଟିଏ ଦିନରେ ଏହା ସରିବ ନାହିଁ। ସମସ୍ତେ ସଚେତନ ହୁଅନ୍ତୁ ଏବଂ ଯେଉଁଠାରେ ବିଏମ୍ସିର ନଜର ପଡି ପାରୁନି ସେଠାରେ ଜନସାଧାରଣ ବିଏମ୍ସିକୁ ଅବଗତ କରାନ୍ତୁ ବୋଲି ମେୟର କହିଛନ୍ତି। ଅପରପକ୍ଷେ ରବିବାର ବିଏମ୍ସି ପକ୍ଷରୁ ସୁକ୍ଷ୍ମେଶ୍ୱର ମନ୍ଦିର ପରିସରରେ ଗଣ ସଫେଇ କରାଯାଇଥିଲା। ମେୟରଙ୍କ ତତ୍ତ୍ୱାବଧାନରେ ପରିମଳ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବିରଞ୍ଚତ୍ ନାରାୟଣ ମହାସୁପକାର, ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ସ୍ଥାନୀୟ କର୍ପୋରେଟର, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ମିଶନଶକ୍ତି ଗ୍ରୁପ୍ ଆଦି ମିଳିତଭାବେ ମନ୍ଦିର ପରିସରକୁ ସଫେଇ କରିଥିଲେ। ଏହାଦ୍ୱାରା ଗୋଷ୍ଠୀ ସହଭାଗିତାକୁ ଅଧିକ ସକ୍ରିୟ କରାଯାଇପାରିବ। ଆଗକୁ ବିଭିନ୍ନ ଓ୍ବାର୍ଡରେ ଏଭଳି ଗଣସଫେଇ କରାଯିବ ବୋଲି ମେୟର ଦାସ କହିଛନ୍ତି।
https://www.dharitri.com/ukrainians-doing-yoga-for-peace/
ଶାନ୍ତି ପାଇଁ ଯୋଗ ଶରଣରେ ୟୁକ୍ରେନବାସୀ… କିଭ,୧୮।୯ : ରୁଷିଆ ଦ୍ୱାରା ଲଗାତାର ବୋମା ବିସ୍ଫୋରଣ ଯୋଗୁଁ ୟୁକ୍ରେନବାସୀ ଜୀବନ ଏବଂ ସମ୍ପତ୍ତି ହରାଇବା ସହିତ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୂର କରିବା ପାଇଁ, ୟୁକ୍ରେନର ଉନ୍ନତ ସହରରେ ବାସ କରୁଥିବା ଲୋକମାନେ ଭାରତୀୟ ଯୋଗ ପଦ୍ଧତିର ସାହାଯ୍ୟ ନେବା ଆରମ୍ଭ କରିଛନ୍ତି। ଡୋନେଟସ୍କ ଅଞ୍ଚଳର କ୍ରାମାଟର୍ସ୍କ ସହରରେ ଲୋକମାନେ ସପ୍ତାହରେ ତିନି ଦିନ ଏକାଠି ହୋଇ ସକାଳୁ ଯୋଗ ଅଭ୍ୟାସ କରୁଛନ୍ତି। ଆର୍ଦ୍ର ବାୟୁ ଏବଂ ମେଲୋଡି ମ୍ୟୁଜିକ ମଧ୍ୟରେ ବେସମେଣ୍ଟରେ ଯୋଗ ଅଭ୍ୟାସ ଚାପରୁ ମୁକ୍ତି ପାଇଁ ସହାୟକ ହେଉଛି । ଯୋଗ ପ୍ରଶିକ୍ଷକ ଜଲୋଜନି କହିଛନ୍ତି ଯୁଦ୍ଧ ଆରମ୍ଭରେ ଲୋକମାନେ ସହର ଛାଡିବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଅନଲାଇନ ଯୋଗ କ୍ଲାସ ଚଳାଇବାକୁ ପଡିଲା। ଅବଶ୍ୟ, ପରେ ଲୋକମାନେ ଘରକୁ ଫେରିବା ଆରମ୍ଭ କଲେ ଏବଂ ଯୋଗ ଶ୍ରେଣୀ ପୁଣି ଗୁଜବ ହୋଇଗଲା। ତେବେ ତାଙ୍କୁ ଯୋଗ କ୍ଲାସକୁ ଜିମ ପରିବର୍ତ୍ତେ ଏକ ସୌନ୍ଦର୍ଯ୍ୟ ସେଲୁନରେ କରିବାକୁ ପଡିଥିଲା।
https://www.dharitri.com/ଭାରତ-ମହାସାଗର-ଅଞ୍ଚଳରେ-ମୋଦ/
ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି। ମାଳଦ୍ୱୀପରେ ଗତ ବର୍ଷ ଚାଇନାର ପତିଆରା ବୃଦ୍ଧି ପାଉଥିଲା। ତେବେ ଏଠାରେ ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଚାଇନାର ଗୁରୁତ୍ୱହ୍ରାସ ଲାଗି ମୋଦି ମାଳଦ୍ୱୀପ ଗସ୍ତ କରିଛନ୍ତି। ଏହି ଶାନ୍ତି ପ୍ରୟାସ ଦ୍ୱାରା ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଶ୍ରୀଲଙ୍କାରେ ଇଷ୍ଟର ସମୟରେ ହୋଇଥିବା ବିସ୍ଫୋରଣ ମୋଦିଙ୍କ ଆତଙ୍କବାଦ ବିରୋଧ କାର୍ଯ୍ୟକ୍ରମ ଲାଗି ନୂଆ କ୍ଷେତ୍ର ସୃଷ୍ଟି କରିଛି। ଶ୍ରୀଲଙ୍କାକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ୍ କରିବା ପାଇଁ ମୋଦିଙ୍କ ଗସ୍ତ ଏକ ସୁଯୋଗ ଆଣିଦେବ ବୋଲି କୂଟନୈତିଜ୍ଞ ମତପୋଷଣ କରିଛନ୍ତି।
https://www.dharitri.com/dengue-is-raging-in-the-state-24-hundred-patients-infected/
ରାଜ୍ୟରେ ମାଡି ଚାଲିଛି ଡେଙ୍ଗୁ: ରୋଗୀ ସଂଖ୍ୟା ୨୪ ଶହ ଟପିଲା ଭୁବନେଶ୍ୱର,୨୩।୮: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି। ଗୁରୁବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ଶହ ଟପିଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠାରୁ କମ୍ ରହିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ବର୍ତ୍ତମାନ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବଧିକ ରହିଛି। ରାଉରକେଲା ଏବଂ ଭୁବନେଶ୍ୱର ଡେଙ୍ଗୁର ହଟସ୍ପଟ ପାଲଟିଛି। ଗତ କାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଏଯାଏଁ ଚିହ୍ନଟ ହୋଇଛନ୍ତି। କଟକ, ବଲାଙ୍ଗୀର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ ଡ୍ରାଇଭ ମୋଡ଼ରେ ଅଛନ୍ତି ସରକାର। ଅନ୍ୟପକ୍ଷେ ଟେଷ୍ଟିଂକୁ ବଢାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜଧାନୀରେ ଡେଙ୍ଗୁ ସ୍ଥିତି ପାଇଁ ବିଏମ୍ସିକୁ ଦାୟୀ କରି ସରକାରୀସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେ ମେୟରଙ୍କ କହିବା କଥା ଗତବର୍ଷଠୁ ରାଜଧାନୀରେ ଏଥର ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ତଥାପି ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ପଦକ୍ଷେପ ନେଉଛୁ ବୋଲି ମେୟର ପ୍ରକାଶ କରିଛନ୍ତି। ଗତବର୍ଷ ପରି ଏଥର ବି ରାଜ୍ୟର ସବୁ ଜିଲାକୁ ମାଡ଼ି ଗଲାଣି ଡେଙ୍ଗୁ । ଗତବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧାରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ ଥିବା ବେଳେ ଏଥର ୧୯ ଶହ ୨୨ ରହିଛି । ସବୁଠୁ ବଡ଼ କଥା, ଗତବର୍ଷ ଭଳି ଏଥର ବି ସର୍ବାଧିକ ଡେଙ୍ଗୁ ରୋଗୀ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି।
https://www.dharitri.com/ଜାମିନ-ମିଳିବା-ଲାଗି-ଏହି-ମନ୍/
ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା… ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କ ଉଦ୍ଦେଶ୍ୟରେ ହାତକଡ଼ି ଚଢ଼ାନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶ ନିଚମ୍ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଜାଲିନେର୍ ଗାଁରେ ରହିଛି ଖାଖର ଦେବଙ୍କ ମନ୍ଦିର। ଏଠାରେ ପ୍ରଭୁ ନାଗଦେବତାଙ୍କୁ ପୂଜା କରାଯାଏ। ବିଚାରଧୀନ ବନ୍ଦୀ ଜାମିନ ତଥା ନିର୍ଦ୍ଦୋଷରେ ଖଲାସ ପାଇଁ ରାତିରେ ଏଠାକୁ ପୂଜା କରିବାକୁ ଆସିଥାନ୍ତି। ତାଙ୍କର ମାନସିକ ପୂରଣହେଲେ ସେମାନେ ପୁଣି ଏଠାକୁ ପୂଜା କରିବାକୁ ଆସି ନାଗଦେବତାଙ୍କୁ ହାତକଡ଼ି ଭେଟି ଦେଇଥାନ୍ତି। ଅନେକ ବର୍ଷ ଧରି ଏଠାରେ ଏହି ପରମ୍ପରା ଜାରି ରହିଛି। ମନ୍ଦିର ବାହାରେ ଅନେକ ହାତକଡ଼ି ଝୁଲୁଥିବାର ଦେଖିବାକୁ ମିଳିଥାଏ। ନାଗଦେବତାଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି।
https://www.dharitri.com/ଫର୍ନାଣ୍ଡୋ-ଟୋରେସଙ୍କ-ଅବସର/
ଫର୍ନାଣ୍ଡୋ ଟୋରେସଙ୍କ ଅବସର ମାଡ୍ରିଡ୍,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ ୧୮ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ହୋଇଛି। ମୋର କିଛି ଘୋଷଣା କରିବାର ଅଛି। ଦୀର୍ଘ ୧୮ ବର୍ଷ ପରେ ଫୁଟ୍ବଲ କ୍ୟାରିୟରର ଅନ୍ତ କରିବାର ସମୟ ଆସିଯାଇଛି। ଆସନ୍ତା ରବିବାର ଦିନ ୧୦ ଟା ବେଳେ ଜାପାନର ଟୋକିଓଠାରେ ଖବରାଦାତା ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଦେବି ବୋଲି ଟୁଇଟରରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି। ଆଟଲେଟିକୋ ମାଡ୍ରିଡ୍ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଗୋଲ କରିଛନ୍ତି। ପ୍ରିମିୟର ଲିଗ୍ ଲିଭରପୁଲ ଓ ଚେଲସି ଲାଗି ମଧ୍ୟ ସେ ଖେଳିଥିଲେ। ଜାପାନର ସାଗାନ ଟସୁ ପକ୍ଷରୁ ଖେଳିବା ନିମନ୍ତେ ଆଟଲେଟିକୋ ଛାଡ଼ିଥିଲେ। ହେଲେ ଉକ୍ତ କ୍ଲବ ଲାଗି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ୨୦୦୩ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଟୋରେସ ୨୦୦୮ ୟୁରୋପିଅନ ଚାମ୍ପିୟନଶିପ୍ରେ ଜର୍ମାନୀ ବିପକ୍ଷ ଫାଇନାଲରେ ଅନ୍ତିମ ଗୋଲ ଦେଇଥିଲେ। ଏହାପରେ ତାଙ୍କ ପ୍ରତିନିଧିତ୍ୱରେ ସ୍ପେନ ୨୦୧୦ ଫିଫା ବିଶ୍ୱକପ୍ ଜିତିଥିଲା। ସେ ୟୁରୋ ୨୦୧୨ କପ୍ରେ ସର୍ବାଧିକ ଗୋଲ କରିଥିଲେ। ଦେଶ ପକ୍ଷରୁ ୧୧୦ ମ୍ୟାଚ୍ ଖେଳି ମୋଟ ୩୮ ଗୋଲ କରିଛନ୍ତି। ସର୍ବାଧିକ ଅନ୍ତର୍ଜାତୀୟ ଗୋଲ କରିଥିବା ସ୍ପାନିଶ ଖେଳାଳିଙ୍କ ମଧ୍ୟରେ ସେ ୩ୟ ସ୍ଥାନରେ ରହିଛନ୍ତି।
https://www.dharitri.com/the-leader-will-leave-the-area-by-the-evening-of-the-14th/
୧୪ ସନ୍ଧ୍ୟା ସୁଦ୍ଧା ଅଞ୍ଚଳ ଛାଡ଼ିବେ ବାହାର ନେତା ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛିି। ତେବେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିବା ବାହାର ନେତା ଓ କର୍ମୀ ଯେଭଳି ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥାନ ଛାଡ଼ିବେ, ତାହା ସୁନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲାପାଳଙ୍କ ସହ ଶନିବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କମିଶନର କହିଛନ୍ତି ଯେ ୧୪ ତାରିଖ ସା ୭ଟାରୁ ସମସ୍ତ ପ୍ରକାର ପ୍ରଚାର ବନ୍ଦ ହେବ। ୧୪ ତାରିଖ ସା ପରେ ପ୍ରଚାରରେ ନିୟୋଜିତ ଥିବା ବାହାର ଅଞ୍ଚଳର ଲୋକ ଅଥବା ରାଜନୈତିକ ଦଳର କର୍ମୀ ଓ ନେତାମାନଙ୍କୁ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ରହିବା ପାଇଁ ଅନୁମତି ମିଳିବ ନାହିଁ। ଆସନ୍ତା ୧୪ ଓ ୧୫ ତାରିଖରେ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଅଧିକାରୀମାନେ ଗସ୍ତ କରିବେ। ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ୨୦୨ ଜିଲା ପରିଷଦ ଜୋନ୍ର ୧୬୬୯ଟି ପଞ୍ଚାୟତରେ ନିର୍ବାଚନ ହେବ। ୩୦ ଜିଲାର ୭୧ ବ୍ଲକ ଅନ୍ତର୍ଗତ ୨୦୨ ଜିଲା ପରିଷଦ ଆସନ, ୧୬୬୯ ସରପଞ୍ଚ ଓ ୧୬୬୯ ସମିତି ସଭ୍ୟ, ୨୨୩୭୯ ୱାର୍ଡମେମ୍ବର ପଦବୀ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ମୋଟ ୬୭ଲକ୍ଷ ୫୧ହଜାର ୦୬୮ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯିବ। ସମସ୍ତ ସମ୍ବେଦନଶୀଳ ବୁଥ୍ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗରୁମ୍ରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ବୋଲି କମିଶନର କହିଛନ୍ତି।
https://www.dharitri.com/corona-epidemic-in-china-more-than-a-million-cases-are-detected-per-day-the-daily-death-toll-exceeds-30-thousand/
ଚାଇନାରେ କରୋନା ତାଣ୍ଡବ: ଦିନକୁ କୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ-ଦୈନିକ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର… ବେଜିଂ,୨୬।୧୨ : ଚାଇନାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୯୦ ଦିନ ମଧ୍ୟରେ ଚାଇନାରେ ପ୍ରାୟ ୯୦୦ ନିୟୁତ ଲୋକ ସଂକ୍ରମଣର ଶିକାର ହେବେ ଏବଂ ପ୍ରାୟ ଏକ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିପାରେ। ଏଥି ସହିତ, ରବିବାର ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗର ନୂତନ ଆଦେଶ ଅନୁଯାୟୀ ଚାଇନାର କୌଣସି ସ୍ଥାନରେ କୋଭିଡ ସଂକ୍ରମଣର ହିସାବ ରଖାଯିବ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଗତ କିଛି ସପ୍ତାହ ଧରି ଚାଇନାରୁ କରୋନା ସଂକ୍ରମଣର ତଥ୍ୟ ପାଇନାହାଁନ୍ତି। ଦୁନିଆର ସବୁଠାରୁ ଜନବହୁଳ ଦେଶ କରୋନା ଲହରର ଶିଖର ସମୟରେ ସଂକ୍ରମଣ ଉପରେ ନଜର ରଖିବା କଷ୍ଟକର ହୋଇପଡୁଛି। ଏଥି ସହିତ କ୍ୟାପିଟାଲ ଇକୋନୋମିକ୍ସର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଚାଇନା ସରକାର ସଂକ୍ରମଣକୁ ରୋକିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଅନ୍ୟପକ୍ଷରେ, ଚାଇନାର ପୂର୍ବ ପ୍ରଦେଶର ଝୋଜିଆଙ୍ଗ ପ୍ରଶାସନର ସୂଚନା ଅନୁଯାୟୀ ରବିବାର ପ୍ରାୟ ଏକ ଲକ୍ଷ ସଂକ୍ରମଣ ମାମଲା ରହିଛି। ଏହା ବ୍ୟତୀତ ଏଠାରେ ସଂକ୍ରମଣ ଦିନକୁ ଦିନ ଦ୍ୱିଗୁଣିତ ହେଉଛି। ପ୍ରଶାସନ କହିଛି ଯେ କୋଭିଡ ସଂକ୍ରମଣ ଖୁବ ଶୀଘ୍ର ଏଠାରେ ଶୀର୍ଷରେ ପହଞ୍ଚିବ।
https://www.dharitri.com/odisha-hockey-team-announced-for-khelo-india-youth-games/
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଓଡ଼ିଶା ହକି ଦଳ ଘୋଷିତ ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଜାନୁଆରୀ ୧୯ରୁ ଚେନ୍ନାଇରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ପାଇଁ ଗୁରୁବାର ଓଡ଼ିଶା ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି। ଡେଭିଡ୍ ଜନ୍ ଓ ପିନ୍ହାସ ଦାସ ମହିଳା ଦଳର କୋଚ୍ ରହିଥିବା ବେଳେ ବି.ଜେ କାରିଆପ୍ପା ଓ ଲକ୍ଷ୍ମୀ ନାରାୟଣ ପିଟ୍ଟି ପୁରୁଷ ଦଳର କୋଚ୍ ରହିଛନ୍ତି। ଓଡ଼ିଶା ଦଳ ଘୋଷଣାକୁ ନେଇ ହକି ଆସୋସିଏଶନ ଅଫ ଓଡ଼ିଶା ସଭାପତି ଦିଲୀପ ତୀର୍କି ସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଟୁର୍ନାମେଣ୍ଟରେ ଉଭୟ ଦଳ ରାଜ୍ୟକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି। ପୁରୁଷ ଦଳ: ବିବେକ ଲାକ୍ରା, ଅଭିମନ୍ୟୁ ଗୌଡ, ଅନମୋଲ ଏକ୍କା, ଅଜୟ ଖାଲଖୋ, ଓ୍ବିଲସନ ଖାଖା, ପ୍ରଶାନ୍ତ ବାର୍ଲା, ସଞ୍ଜିତ ତୀର୍କି, ଜସ୍ମନ ମୁଣ୍ଡା,ରୋହିତ କୁଲୁ, ଅର୍ବିନ୍ ଟପ୍ପୋ, ମୁକେଶ ଟପ୍ପୋ, ପ୍ରତାପ ଟପ୍ପୋ, ଅଦ୍ରୋହିତ ଏକ୍କା, ପ୍ରେମ ଦୟାଲ ଗିରି, ଦୀପକ ପ୍ରଧାନ, ଦେଓନାଥ ନନଓ୍ବର, କରଣ ଲାକ୍ରା ଓ କ୍ରିଷ୍ଣା ମୋହନ। ମହିଳା ଦଳ: ଏଙ୍ଗିଲ ହର୍ଷରାଣୀ ମିଞ୍ଜ, ନାମସି ଜୁରିକା, ସୋନାଲି ଏକ୍କା, ଅଞ୍ଜଳି ବାରଓ୍ବା, ପୂଜା ରାମଚୁରିଆ, ପୂଜା ସାହୁ, ସୁମି ମୁଣ୍ଡାରୀ, ମରିୟମ ଧନଓ୍ବର, ଜାହ୍ନବୀ ବଡ, ଅହଲ୍ୟା ଲାକ୍ରା, ତନୁଜା ଟପ୍ପୋ, ଦ୍ରୁପତି ନାୟକ, ଅମୀଷା ଏକ୍କା, କୋମଲ ଗୁଜ୍ଜର, ସୁରେଖା ବାହାଲ, ସୁପ୍ରିୟା କୁଜୁର, କରୁଣା ମିଞ୍ଜ ଓ ସୁନେଲିତା ଟପ୍ପୋ।
https://www.dharitri.com/videocon-group-will-pay-rs-30000-crore/
୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌ ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍ ଗ୍ରୁପ୍ ଇନ୍ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭିଡିଓକନ୍ ଗ୍ରୁପ୍ର ୧୩ କମ୍ପାନୀ ବିରୋଧରେ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଚାଲିଥିବା ବେଳେ ଋଣ ପଇଠ କରି କମ୍ପାନୀଗୁଡିକୁ ଏହି ପ୍ରକ୍ରିୟାରୁ ବାହାରକୁ ଆଣିବା ଲାଗି ବେଣୁଗୋପାଳ ଧୂତ୍ଙ୍କ ପରିବାର ପ୍ରୟାସ କରିଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କମିଟି ଅଫ୍ କ୍ରେଡିଟର(ସିଓସି) ନିକଟକୁ ପଠାଯାଇଥିବା ଗ୍ରୁପ୍ର ପ୍ରତିଷ୍ଠାତା ଧୂତ୍ କହିଛନ୍ତି। ଭିଡିଓକନ ଇଣ୍ଡଷ୍ଟ୍ରି ବୋର୍ଡରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଧୂତ ଅବସ୍ଥାପିତ ଥିଲେ। ଦେବାଳିଆ ପ୍ରକ୍ରିୟା ଚାଲିବା ପରେ ବର୍ତ୍ତମାନ ବୋର୍ଡକୁ ବରଖାସ୍ତ କରାଯାଇଛି। ଧୂତ୍ଙ୍କ ପରିବାର ଏହି ଗ୍ରୁପ୍ରେ ପ୍ରମୋଟର ରହି ଆସିଛନ୍ତି। ଋଣ ପଇଠ ନେଇ ପ୍ରସ୍ତାବ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବା ନେଇ ଧୂତ୍ଙ୍କ ପରିବାର ଆଶା ରଖିଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ୨ ମାସ ଶେଷ ସୁଦ୍ଧା ଆସିପାରେ ବୋଲି ବେଣୁଗୋପାଳ ଆଶା ରଖିଛନ୍ତି।
https://www.dharitri.com/ଭିନ୍ନ-ପ୍ରତିଯୋଗିତା-ଟଏଲେଟ/
ଭିନ୍ନ ପ୍ରତିଯୋଗିତା: ଟଏଲେଟ୍‌ ପେପରରେ ବିବାହ ପୋଷାକ ତିଆରିକରି ୭ ଲକ୍ଷ ପୁରସ୍କାର ଜିତିଲେ ମହିଳା ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କେଉଁଠି ଚଟ୍କଣି ମାରିବା ପ୍ରତିଯୋଗିତା ତ ଆଉ କେଉଁଠି ହାଇହିଲ୍ ପିନ୍ଧି ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା। ଏମିତି ଏକ ପ୍ରତିଯୋଗିତା ନ୍ୟୁୟର୍କରେ ମଧ୍ୟ ଆୟୋଜିତ ହୋଇଯାଇଛି। ଯେଉଁଠାରେ ଟଏଲେଟ୍ ପେପରରେ ବିବାହ ଡ୍ରେସ୍ ତିଆରି ପରି ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଉ ଏପରି କରି ଜଣେ ମହିଳା ୭ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିଛନ୍ତି। ଏହି ପ୍ରତିଯୋଗିତାରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ୧୦ ପ୍ରତିଯୋଗୀ ମନୋନୀତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଦକ୍ଷିଣ କାରୋଲିନାର ମିମୋଜା ହାକ୍କା ବିଜେତା ଘୋଷିତ ହୋଇଛନ୍ତି। ଖାସ୍ କଥା ହେଲା, ଏହି ପ୍ରତିଯୋଗିତାରେ ବିବାହ ପୋଷାକ ଟଏଲେଟ୍ ପେପରରେ ତିଆରି କରାଯାଇଛି। ଏଥିସହ ସୂତା, ଟେପ ଏବଂ ଅଠାର ବ୍ୟବହାର ହୋଇଛି। ମିମୋଜା ପୁରା ୪୮ଟି ବଣ୍ଡଲ ଟଏଲେଟ୍ ପେପର ବ୍ୟବହାର କରି ଏହି ପୋଷାକ ତିଆରି କରିଥିଲେ। ଯାହାକି ସବୁଠାରୁ ଶ୍ରେଷ୍ଠ ରୂପେ ବିବେଚିତ କରାଗଲା। ଏହି ପୋଷାକ ତିଆରି କରିବାକୁ ମିମୋଜାଙ୍କୁ ୪୦୦ ଘଣ୍ଟା ଲାଗିଥିଲା। ମିମୋଜାଙ୍କୁ ବିଜେତା ରୂପେ ୭ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ଏହା ଆମେରିକାର ଏକ ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।
https://www.dharitri.com/ଜୁନାଗଡରେ-ପୋଲିସର-ସମନ୍ବୟ-ବ/
ଜୁନାଗଡରେ ପୋଲିସର ସମନ୍ବୟ ବୈଠକ ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହର ସଂସ୍କୃତି ଭବନଠାରେ ମଙ୍ଗଳବାର ଜୁନାଗଡ ପୋଲିସର ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ପୂର୍ବତନ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୂଝାରୀ, ବେଦ ପ୍ରକାଶ ଗୋଏଲ, ରଜନୀ ବୈଠାରୁ, ଯୁଗୋଳ ନାଏକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ବୈଠକରେ ବିଶେଷ କରି ଜୁନାଗଡ ସହରର ଟ୍ରାଫିକ ସମସ୍ୟା ଓ ଘଟୁଥିବା ଚୋରି ଉପରେ ଆଲୋଚନା କରାଯାଇଥିଲା। ପରେ ପୋଲିସ ପକ୍ଷରୁ ୨୬ ନଂ. ଜାତୀୟ ରାଜପଥକୁ ଲାଗି ରହିଥିବା ଅସ୍ଥାୟୀ ଦୋକାନକୁ ୫୦ ମିଟର ଘୁଞ୍ଚାଇବା, ମଦ୍ୟପ ଧରପଗଡ, ମଦ୍ୟପ ଗାଡିଚାଳକମାନଙ୍କୁ ଲାଇସେନ୍ସ ରଦ୍ଧ କରିବା, ୧୮ ବର୍ଷରୁ କମ୍ ଯୁବକମାନେ ଗାଡି ଚଳାଇଲେ ଜରିମାନା ଆଦାୟ କରିବା, ସବୁ ଛକରେ ପୋଲିସର ପହରା ଦେବା, ରାତିରେ ପୋଲିସ ପାଟ୍ରୋଲିଂ କଡାକଡି କରିବା, ରେଳୱେ ଷ୍ଟେଶନ ଯିବା ରାସ୍ତାରେ ଦିନତମାମ ଅଟକି ରହୁଥିବା ଟ୍ରକକୁ ହଟାଇବା ସମେତ ବିଭିନ୍ନ ଦାବି କରାଯାଇଥିଲା। ଏଥିପାଇ ପୋଲିସକୁ ସହାୟତା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଟ ଆଇନଜୀବୀ ଅଶୋକ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଜୁନାଗଡ ଆଇନଜୀବୀ ସଂଘ, ଟ୍ରକ ୟୁନିୟନ, କନକଦୁର୍ଗା ମୋଟର ସଂଘ ୟୁନିୟନ, ବସ୍ ୟୁନିୟନ, ଖବରଦାତା ସଂଘ ସହ ସହରର ବୁଦ୍ଧିଜିବୀମାନେ ଯୋଗଦେଇଥିଲେ।
https://www.dharitri.com/କ୍ଷୀର-ବ୍ୟବସାୟୀ-ହତ୍ୟା-ଘଟଣ/
କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ୍‌ ସମେତ ୩ ଗିରଫ ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲା ଗୋସାଇଁନୂଆଗାଁ ହିଲ୍ପଟଣାସ୍ଥିତ ହେରିଟେଜ୍ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କୁ ହତ୍ୟା କରି ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ବହୁଚର୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଡ୍ରାଇଭର ରୂପେଶ କୁମାର ପାଢ଼ୀ ଓରଫ ଲାଲାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ଘଟଣାର ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି। ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଲକ୍ଷ୍ମୀ ଭଣ୍ଡାରରୁ ଲୁଟି ନେଇଥିବା ସୁନା ଗହଣା ଓ ଟଙ୍କା ମଧ୍ୟରୁ ପୋଲିସ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏନେଇ କେସ୍ ନମ୍ବର ୮୭/୧୯ ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି।
https://www.dharitri.com/ସରକାରଙ୍କ-ଉପରେ-ବର୍ଷିଲେ-ଶଙ/
ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, କହିଲେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି ପୁରୀ ଅଫିସ, ୩୧।୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶନିବାର ଏ ନେଇ ମୁହଁ ଖୋଲିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ବତୀ। ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ଏକ ଖବରଦାତା ସମ୍ମିଳନୀ କରି ସେ ସରକାରଙ୍କ ଉପରେ ବର୍ଷିବା ସହ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁରୀ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି। ମଠ ପରିଚାଳନା ସ୍ବତନ୍ତ୍ରଭାବେ ହେବା ଉଚିତ। ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି, ସେକୁଲାର ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନ ହେଉ। ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ଏହା ପରିଚାଳିତ ହେଉ। ଏହି ଅବସରରେ ବିପି ଦାସ କମିଶନ କ’ଣ ପାଇଁ ମୋର ପରାମର୍ଶ ନେଲେ ନାହିଁ। କେଉଁ ଶାସନତନ୍ତ୍ର ତାଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଆସିବାକୁ ରୋକିଲା ନେଇ ସେ ପ୍ରଶ୍ନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେଉ। ଏ ନେଇ ଏକ ଯାଞ୍ଚ ସମିତି ଗଠନ କରାଯାଉ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ସେ କମିଶନଙ୍କ ରିପୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀଙ୍କ ପଦକ୍ଷେପ, ଶ୍ରୀମନ୍ଦିର ପୂର୍ବ ପ୍ରଶାସକଙ୍କ ଉପରେ ମଧ୍ୟ ସେ କହିଛନ୍ତି।
https://www.dharitri.com/violence-in-manipur-a-crpf-soldier-martyred-in-extremist-attack/
ମଣିପୁରରେ ଥମୁନି ହିଂସା! ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଶହୀଦ ଇମ୍ଫାଲ,୧୪।୭: ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଆହତ ହୋଇଥିଲେ। ବର୍ତ୍ତମାନ ସେଠାରେ ଏକ ସର୍ଚ୍ଚ ଅପରେସନ ଚାଲିଛି। ମଣିପୁର ପୋଲିସ ଅଧିକାରୀ କହିଛନ୍ତି ଯେ ଆସାମ ସୀମାବର୍ତ୍ତୀ ଜିଲାରେ ମିଳିତ ପାଟ୍ରୋଲିଂ ପାର୍ଟିରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପ୍ରବଳ ଗୁଳି ଚଳାଇଥିଲେ। ସେହି ସମୟରେ ସିଆରପିଏଫ ଯବାନ ପାଟ୍ରୋଲିଂ କରୁଥିବା ଏସୟୁଭି ନିକଟରେ ବୁଲୁଥିବା ବେଳେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ମଧ୍ୟ ଏହାର ଜବାବ ଦେଇଛୁ। ଏହା ପରେ ସେମାନେ ଜଙ୍ଗଲ ଆଡକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ପୋଲିସ ସର୍ଚ୍ଚ ଅପରେସନ ଚାଲିଛି। ସେପଟେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଜିରିବାମ ଜିଲାର କୁକି ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଥିବା ଏକ ସଶସ୍ତ୍ର ଗୋଷ୍ଠୀର ଆକ୍ରମଣରେ ମୁଁ ଆଜି ସିଆରପିଏଫ ଯବାନଙ୍କ ହତ୍ୟାକୁ ଦୃଢ ନିନ୍ଦା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ୟୁଟି ଲାଇନରେ ତାଙ୍କର ସର୍ବୋଚ୍ଚ ବଳିଦାନ ବୃଥା ହେବ ନାହିଁ। ମୁଖ୍ରମନ୍ତ୍ରୀ କହିଛନ୍ତି ଯେ ମୁଁ ମୃତ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଏହି ଆକ୍ରମଣରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
https://www.dharitri.com/ମାଟ୍ରିକ୍‌-ପରୀକ୍ଷା-ପରୀକ୍/
ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ହଲ୍‌କୁ ମୋବାଇଲ ଫୋନ୍‌ ମନା; ପ୍ରଶ୍ନପତ୍ର ଲିକ୍‌, କପି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲାପାଳ, ପୋଲିସ ଅଧୀକ୍ଷକ ଓ ଶିକ୍ଷା ବିଭାଗ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ରାଜ୍ୟ ଏବଂ ଜିଲାସ୍ତରରେ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରି ପ୍ରଶ୍ନପତ୍ର ଲିକ୍ ଓ କପିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କେନ୍ଦ୍ର, ନୋଡାଲ୍ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ମନା ଏବଂ ଏହା ନିଶ୍ଚିତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯିବାର ଦେଖାଗଲେ ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ରହିଛି। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ-୧୯୮୮ର କଡ଼ାକଡ଼ି ଲାଗୁ କରି ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ ଓ ବିଶ୍ୱସନୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ପରୀକ୍ଷା ସମୟରେ ପୋଲିସ ପଇଁତରା ବଢ଼ାଇବା, ଉତ୍ତେଜନାପ୍ରବଣ କେନ୍ଦ୍ରମାନଙ୍କରେ ଅଧିକ ପୋଲିସ ମୁତୟନ ଏବଂ ପରୀକ୍ଷା କେନ୍ଦ୍ର ଚତୁଃପାର୍ଶ୍ୱରେ ଲୋକମାନଙ୍କ ଭିଡ଼କୁ ପୂଣ୍ଣର୍ର୍ ନିରୋଧ କରିବା ନିମନ୍ତେ ବୈଠକରେ ଉପସ୍ଥିତ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ସମ୍ବନ୍ଧିତ ଗୋପନୀୟ କାଗଜପତ୍ରର ପରିବହନ, ନୋଡାଲ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଜଣାଇଥିଲେ ଯେ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃୟାରୀ ୧୯ରୁ ହୋଇ ମାର୍ଚ୍ଚ ୨ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ହାଇସ୍କୁଲ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ହେବ। ଉତ୍ତେଜନାପ୍ରବଣ ଭାବେ ଚିହ୍ନିତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଉଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାନ୍ସିସ୍ ହାଜରା କହିଥିଲେ ଯେ, ଚଳିତ ବର୍ଷ ୫,୬୦,୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରେ ୫,୪୭,୭୬୧ ଜଣ ହାଇସ୍କୁଲ୍, ୯,୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ୩,୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଅଛନ୍ତି। ଏମାନଙ୍କ ପାଇଁ ସମୁଦାୟ ୨,୮୮୮ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡାଲ କେନ୍ଦ୍ର ଏବଂ ୬୧ ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ପରିବହନ ନିମନ୍ତେ ୬୩୧ଟି ଡେସ୍ପାଚ୍ ଟିମ୍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଡେସ୍ପାଚ୍ ଶନିବାର ସୁଦ୍ଧା ସରିଛି। ଏଥିସହିତ ଦ୍ୱିତୀୟ ପର୍ଯ୍ୟାୟ ଡେସ୍ପାଚ୍ ୧୬ରୁ ଆରମ୍ଭ ହେବ। ପରୀକ୍ଷା ପରିଚାଳନାର ଆଦର୍ଶ ନିୟମାବଳୀକୁ ଠିକ୍ ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲାସ୍ତରରେ ୬୯ଟି ଫ୍ଲାଇଂ ସ୍କାଡ୍ ଏବଂ ବୋର୍ଡସ୍ତରରେ ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ଆବଶ୍ୟକ ପରିମାଣର ପୋଲିସ ପଇଁତରା ଏବଂ ସ୍କ୍ବାଡ୍ ଗଠନ କରିବାକୁ ମଧ୍ୟ କୁହାଯାଇଛି।
https://www.dharitri.com/the-number-of-unregistered-contractors-is-increasing/
ବଢୁଛି ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଉଛନ୍ତି। କମ୍ପାନୀରେ ଶ୍ରମିକମାନେ ଅଳ୍ପ ମଜୁରି ପାଇବା ସହ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ନିକଟରେ ଏହି ଅଣ ପଞ୍ଜୀକୃତ ଠିକାଦାରଙ୍କ ସମ୍ପର୍କରେ ତଥ୍ୟ ନ ଥିବା ଜଣାପଡ଼ିଛି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅଣ ପଞ୍ଜୀକୃତ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ଶ୍ରମିକମାନଙ୍କୁ ଏକାଠି କରି ଏହି ଏଜେଣ୍ଟମାନେ ବାହାର ରାଜ୍ୟର ଚାଲିଥିବା କୋଠାବାଡି ଓ ବିଭିନ୍ନ କମ୍ପାନୀରେ କାମରେ ଲଗାଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସ୍ବଳ୍ପ ଦରମା ଦେଇ ଅଧିକ ସମୟ ଖଟାଉଥିବା ଅନେକ ସମୟରେ ଅଭିଯୋଗ ହେଉଥିବା ନଜରକୁ ଆସିଛି। ତେବେ ଶ୍ରମ ବିଭାଗ ପକ୍ଷରୁ ଅଣପଞ୍ଜୀକୃତ ଠିକାଦାରଙ୍କୁ ରୋକ୍ ଦେବା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଏଜେଣ୍ଟମାନେ ନେଟଓ୍ବାର୍କ ବଢ଼ାଇବା ସହ ଗରିବ ଲୋକଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି। ଜିଲା ଶ୍ରମ ବିଭାଗର ଅବହେଳାରୁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଏହି କ୍ରମରେ ବାଣପୁର ଥାନା ଅଞ୍ଚଳର ଜୟ ନାୟକ ଅଧିକ ଟଙ୍କା ରୋଜଗାର ଆଶାରେ ୨ଜଣ ଠିକାଦାରଙ୍କ ପ୍ରରୋଚନାରେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଶୋଷଣର ଶିକାର ହେବା ସହ ଜୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ମୃତଦେହ ଗଁାକୁ ଆଣିବା ପାଇଁ ପରିବାରଲୋକ ଠିକାଦାରଙ୍କୁ ଜଣାଇବା ସତ୍ତ୍ୱେ ସମ୍ପୃକ୍ତ ଠିକାଦାର କୌଣସି ସହଯୋଗ କରି ନ ଥିଲେ। ଏନେଇ ପରିବାର ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର କହିଛନ୍ତି, ଅଭିଯୋଗ ଆସିବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ କମ୍ପାନୀ ଏବଂ ଠିକାଦାରଙ୍କୁ ନୋଟିସ୍ କରାଯାଉଛି। ଅଣ ପଞ୍ଜୀକୃତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
https://www.dharitri.com/ବୀରରାମଚନ୍ଦ୍ରପୁର-ସରପଞ୍ଚ-ଉ/
ବୀରରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ: ଡୋର କାମ୍ପେନିଂରେ ଲାଗିପଡିଛନ୍ତି ପ୍ରାର୍ଥୀ ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍.ଏ.): ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନକୁ ଆଉ ୫ ଦିନ ବାକିରହିଲା। ନିର୍ବାଚନ ପ୍ରଚାର ଅପେକ୍ଷା ଭୋଟର ମାନଙ୍କ ନିକଟତର ହେବାକୁ ପ୍ରାର୍ଥୀମାନେ ଡୋର ଟୁ ଡୋର କାମ୍ପେନିଂ କରିବାରେ ଲାଗିପଡିଥିବା ଦେଖାଯାଇଛି। ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ୍ କୁମାର ଷଡଙ୍ଗୀ, ପ୍ରଭାକର ସ୍ବାଇଁ, ଗଦାଧର ପ୍ରଧାନ ଓ ଗୁଣ୍ଡିଚା ପ୍ରଧାନଙ୍କ ମଧ୍ୟରୁ ପ୍ରଭାକର ଓ ପ୍ରସନ୍ନ ନିଜ ନିଜର ସମର୍ଥକ ମାନଙ୍କ ସହ ଗଁା କୁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି। ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦୁଇଟି ପ୍ରମୁଖ ରାଜନୈତିକ ଦଳର ସମର୍ଥନରେ ନିର୍ବାଚନ ଲଢ଼ୁଛନ୍ତି। ଅପରପକ୍ଷେ ଉକ୍ତ ପଞ୍ଚାୟତର ସମିତି ସଭ୍ୟା ସସ୍ମିତା ପ୍ରଧାନ ବ୍ଲକ ଅଧ୍ୟକ୍ଷା ରହିଥିବାରୁ ପୁଣି ଏହି ସରପଞ୍ଚ ଆସନ ବିଜେଡି ଅକ୍ତିଆର କରିବା ସମ୍ମାନର ପ୍ରଶ୍ନ ହୋଇଛି। ଉକ୍ତ ପଞ୍ଚାୟତର ୧୫ଟି ୱାର୍ଡରେ ରହିଥିବା ୫ ହଜାର ୯୭୩ ଜଣ ଭୋଟର ଆଗାମୀ ୨୭ ତାରିଖରେ ମତଦାନ କରିବେ।
https://www.dharitri.com/ranbir-kapoor-reduced-his-for-sandeep-reddy-vanga-directorial-film-animal-as-per-report/
‘ଆନିମଲ’ ପାଇଁ ଫି’ କମାଇଲେ ରଣବୀର ମୁମ୍ବାଇ: ଅଭିନେତା ରଣବୀର କପୁର ଅଭିନୀତ ‘ଆନିମଲ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରଣବୀରଙ୍କ ଜନ୍ମଦିନରେ ନିର୍ମାତା ଚଳଚ୍ଚିତ୍ରର ଟିଜର ରିଲିଜ କରିଥିଲେ, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି ସମୟରେ ଅଭିନେତାଙ୍କ ବିଷୟରେ ଏକ ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ରଣବୀର ‘ଆନିମଲ’ ପାଇଁ କମ୍ ଟଙ୍କା ଚାର୍ଜ କରିଛନ୍ତି। ଖବର ଅନୁଯାୟୀ, ରଣବୀର ଏକ ଫିଲ୍ମ ପାଇଁ ପ୍ରାୟ ୭୦କୋଟି ଟଙ୍କା ଚାର୍ଜ କରନ୍ତି, କିନ୍ତୁ ‘ଆନିମଲ’ ପାଇଁ ସେ ନିଜ ଫି’କୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ନିର୍ମାତା ଭୂଷଣ କୁମାର ଏବଂ ପ୍ରଣୟ ରେଡ୍ଡୀ ବାଙ୍ଗାଙ୍କୁ ସମର୍ଥନ କରିବା ପାଇଁ ରଣବୀର ଏହା କରିଛନ୍ତି। ରଣବୀର କପୁର ‘ଆନିମଲ’ ପାଇଁ ୩୦-୩୫ କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି।
https://www.dharitri.com/promoting-solar-power-25-per-cent-defense-research-drinking-water-for-3-crore-households-200000-anganwadi-upgrades/
ସୌର ବିଦ୍ୟୁତ୍‌କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ… ନୂଆଦିଲ୍ଲୀ, ୧।୨ : ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ ବୃଦ୍ଧି କରାଯାଇଛି ଏବଂ ଦେଶରେ ବୈଦ୍ୟୁତିକ ଯାନ ପାଇଁ ନୂତନ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ଦେଶରେ ସୌର ଶକ୍ତି ଉତ୍ପାଦନ ପାଇଁ ସୌର ପ୍ୟାନେଲ ଆଧାରିତ ବିଦ୍ୟୁତ୍ ପ୍ରକଳ୍ପର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ପାଇଁ ସରକାର ୨୫ ପ୍ରତିଶତ ବଜେଟ ଆବଣ୍ଟନ ବୃଦ୍ଧି କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସୀମାରେ ଅତିରିକ୍ତ ପରିସ୍ଥିତି ଥିବାରୁ ଏହି ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ବହୁତ ଧ୍ୟାନ ଦିଆଯାଉଛି। ସେହିପରି ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ୩ କୋଟି ପରିବାରରେ ପହଞ୍ଚିବ। ସରକାରୀ କ୍ରୟ କାଗଜହୀନ ହେବ। ରପ୍ତାନିକୁ ପ୍ରୋତ୍ସାହନ ଦେବା ପାଇଁ ଏସ୍ଇଜେଡ୍ ସ୍ଥାନରେ ଏକ ନୂତନ ନିୟମ ଅଣାଯିବ। ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ ହେବ। ମହିଳାମାନଙ୍କ ପାଇଁ ୩ଟି ନୂତନ ଯୋଜନା ଆରମ୍ଭ ହୋଇଛି। ୨୦୨୨ରେ ୫-ଜି ସେବା ଆରମ୍ଭ ହେବ ଏବଂ ଗ୍ରାମଗୁଡିକରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଟେଲିକମ କ୍ଷେତ୍ରରେ ନୂତନ ଚାକିରିର ସୁଯୋଗ ଅନୁସନ୍ଧାନ କରାଯିବ ।
https://www.dharitri.com/କିଙ୍ଗ୍‌ମେକରଙ୍କ-ଗୁରୁତ୍ୱ-କ/
କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟ ଦଳ୯୮ ଆସନରେ ଆଗୁଆ ରହିଛନ୍ତି। ଫଳରେ କେନ୍ଦ୍ରରେ କିଙ୍ଗ୍ମେକରଙ୍କ ଗୁରୁତ୍ୱ କମିଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।
https://www.dharitri.com/ducks-will-now-guard-the-jail-in-brazil/
ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର ମଧ୍ୟ ପହରା ଦେଇଥାନ୍ତି। ତେବେ କେବେ ଶୁଣିଛନ୍ତି କି, ଜେଲର ସୁରକ୍ଷା ପାଇଁ ବତକକୁ ମୁତୟନ କରାଯାଇଥାଏ। ବ୍ରାଜିଲର ସେଣ୍ଟ କ୍ୟାଣ୍ଟାରିନା ଜେଲର ସୁରକ୍ଷା ଦେଉଛନ୍ତି ବତକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏଠାରେ ପ୍ରଥମେ କୁକୁର ପହରା ଦେଉଥିଲେ। ପରେ ସେମାନଙ୍କୁ ହଟାଯାଇ ବତକ ରଖାଯାଇଥିଲା। ଜେଲରେ କ୍ୟାମେରା ଲଗାଇବା ପରେ ଏଠାରେ କୁକୁରମାନେ ପହରା ଦେଉଥିଲେ। ମାତ୍ର ଏବେ ସେମାନଙ୍କୁ ହଟାଇ ଆହୁରି କଡା ସୁରକ୍ଷା ପାଇଁ ଗିଜ(ଏକ ପ୍ରକାର ବତକ) ମୁତୟନ କରାଯାଇଛି। ତେବେ ବତକଙ୍କୁ ମୁତୟନ କରାଯିବା ନେଇ ଜେଲର ନିର୍ଦ୍ଦେଶକ ମାର୍କୋସ ରୋବଟ କହିଛନ୍ତି, ବତକଙ୍କୁ ଜେଲର ସୁରକ୍ଷା ଦାୟିତ୍ୱ ଦେବା ଦ୍ୱାରା ଜେଲ ପରିସରରେ ଶାନ୍ତି ବଜାୟ ରହୁଛି। ସେହିପରି ଗୋଟିଏ ସ୍ଥାନରେ ବତକ ରଖିବା ସୁବିଧା ମଧ୍ୟ ହେଉଛି। ଏମାନଙ୍କୁ କିଣିବା ଏବଂ ପୋଷିବା ପାଇଁ ମଧ୍ୟ କମ୍ ଖର୍ଚ୍ଚ କରିବାକୁ ପଡୁଛି। ଏହି ବତକ ଜାତୀୟ ପକ୍ଷୀ ଜେଲର ଭିତରେ ଓ ବାହାର ସୁଉଚ୍ଚ କାନ୍ଥ ପାଖରେ ଘୁରି ବୁଲୁଛନ୍ତି। କୌଣସି ବନ୍ଦୀ ବା କଏଦୀ ହଲଚଲ ହେବା ଦେଖିଲେ ସେମାନେ ସାଙ୍ଗେସାଙ୍ଗେ ବୋବାଇବା ଆରମ୍ଭ କରି ଦିଅନ୍ତି।
https://www.dharitri.com/ଗାଡ଼ିମାଲିକଙ୍କୁ-ମୋଟର-ଯାନ/
ଗାଡ଼ିମାଲିକଙ୍କୁ ମୋଟର ଯାନ କର ପ୍ରଦାନ କ୍ଷେତ୍ରରେ ଆଶ୍ୱସ୍ତି: ଏପ୍ରିଲ ୧୫ ସୁଦ୍ଧା ଦେଇ ନ ଥିବା କର ଜୁନ୍‌ ୩୦ ସୁଦ୍ଧା ଦେଇପାରିବେ ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରେ ଏବଂ ରାଜ୍ୟରେ ଲକ୍ଡାଉନ୍ ଜାରି ରଖିଛନ୍ତି। ଏହି ଲକ୍ଡାଉନ ଅବଧି ଆସନ୍ତା ୧୪ତାରିଖରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁବାର ଆହୁରି ୧୬ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ସୁଦ୍ଧା ଟ୍ୟାକ୍ସ ଦେବାକୁ ଥିବା ଗାଡ଼ି ମାଲିକମାନଙ୍କୁ ସରକାର ଆଶ୍ୱସ୍ତି କରିଛନ୍ତି। ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଲକ୍ଡାଉନ୍ ଯୋଗୁ ଷ୍ଟେଜ୍ କ୍ୟାରେଜ୍, କଣ୍ଟ୍ରାକ୍ଟ କ୍ୟାରେଜ ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ ମାସ ପାଇଁ ସେମାନଙ୍କ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେମାନେ ଜୁନ୍ ୩୦ ମଧ୍ୟରେ ଟିକସ ପୈଠ କରିବେ। ସେହିପରି ଯେଉଁ ମାଲ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ-ଜୁନ୍ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରିବାକୁ କୁହାଯାଇଛି। ସେହିପରି ସ୍କୁଲ ବସ୍ ଏବଂ ନିର୍ମାଣ ଉପକରଣ ପରିବହନ କରୁଥିବା ଗାଡିଗୁଡିକ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ। କୋଭିଡ୍-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍ ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
https://www.dharitri.com/blasting-continues-to-fishing/
ମାଛ ମାରିବାକୁ ଚାଲିଛି ବ୍ଲାଷ୍ଟିଂ ବିନିକା,୧୬।୬(ଡି.ଏନ୍.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଜୀରା ନଦୀରେ ଅବାଧରେ ବ୍ଲାଷ୍ଟିଂ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି। ସହଜରେ ମାଛ ମାରିବା ପାଇଁ କେତେକ ମାଛ ବେପାରୀ ଏଭଳି ପନ୍ଥା ଆପଣେଇ ନେଇଛନ୍ତି। ଏହାଫଳରେ ଜଳଚର ଜୀବ ବିଲୁପ୍ତ ହେବାରେ ଲାଗିଥିବା ବେଳେ ନଦୀ ପାଣି ପ୍ରଦୂଷିତ ହେବାରେ ଲାଗିଛି। ଅପରପକ୍ଷରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ଶତାଧିକ କେଉଟ ପରିବାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେମାନେ ପୂର୍ବପରି ମାଛ ମାରି ନିଜର ଗୁଜରାଣ ମେଣ୍ଟାଇବା ଏବେ କଷ୍ଟକର ହୋଇପଡିଛି। ବିନିକା ବ୍ଲକ ବାଙ୍କିଘିର୍ଡି ଗ୍ରାପର ସାରଙ୍ଗପାଲି, ହୁତୁମା ଓ ଅରିଗାଁ ତଟବର୍ତ୍ତୀ ଦେଇ ପ୍ରବାହିତ ଜୀରାନଦୀ ଅରିଗଁା ଠାରେ ମହାନଦୀରେ ମିଶିଛି।ଚ ଏହି ନଦୀରେ ମୁଖ୍ୟତଃ ରୋହି,ଭାକୁର, କୁସୁରା,ବାଳିଆ,ସିଂହାର, କଳାଚିଆଁ, ସେରନା, କଳାଚି, ଭାଙ୍ଗେନ ପ୍ରଭୃତି ମାଛ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ମାତ୍ର ୩ ବର୍ଷ ହେଲା ପ୍ରଶାସନିକ ଅବହେଲା ଯୋଗୁ ସାରଙ୍ଗପାଲି -ଅରିଗାଁ ମଧ୍ୟବର୍ତ୍ତୀ ସାରଙ୍ଗପାଲି ପିଲାଖାଇ ଜୀରାନଦୀ ଘାଟ, ଆଖିଦାଦର ତୁଷୁଙ୍ଗା ଘାଟ,ତେତଳିଆ ଘାଟ ଏବଂ ଅରିଗାଁ ଗଣ୍ଡରେ ଚାଲିଛି ମନଇଚ୍ଛା ବ୍ଲାଷ୍ଟିଂ। ଉପରୋକ୍ତ ଘାଟଗୁଡିକରେ ବ୍ଲାଷ୍ଟିଂ ହେଉଥିବାରୁ କେଉଟମାନେ ଜାଲରେ ମାଛ ଧରିବା ପାଇଁ ଯିବାକୁ ଭୟ କରୁଛନ୍ତି। ଫଳରେ ଘାଟଗୁଡିକ ସର୍ବଦା ଜନଶୂନ୍ୟ ରହିବା ଦେଖିବାକୁ ମିଳୁଛି। ଯାହାର ଫାଇଦା ଉଠାଉଛନ୍ତି ମାଛ ବେପାରୀ। ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଏବଂ ବିଳମ୍ବିତ ରାତିରେ ନିର୍ବିଘ୍ନରେ ବ୍ଲାଷ୍ଟିଂ ଚାଲିଥିଲେ ହେଁ ପ୍ରଶାସନ ଆଖି ବୁଜି ଦେଇଛି। ବିଶେଷକରି ସୁଲେଇ,ପାପୀ, ଖଲିଆପାଲି, ମହୁଲପାଲି ଓ ପପଙ୍ଗା ଗାଁର ବେପାରୀମାନେ ଏହିଭଳି ଉପାୟରେ ମାଛ ମାରି ମାଲାମାଲ୍ ହେଉଛନ୍ତି ା ବିୟର କାଚ ବୋତଲ ବିଭିନ୍ନ ବିଦେଶୀ ମଦ ଦୋକାନରୁ କ୍ରୟ କରି ତନ୍ମଧ୍ୟରେ ବାରୁଦ ଭର୍ତ୍ତି କରି ସେଥିରେ ନିଅଁା ଲଗାଇ ନଦୀକୁ ଫିଙ୍ଗୁଛନ୍ତି। ବିସ୍ଫୋରଣର ପ୍ରଭାବରେ ହଜାର ହଜାର ସଂଖ୍ୟାରେ ମାଛ ଓ ଅନ୍ୟ ଜଳଚର ଜୀବ ମରି ପାଣିରେ ଭାସୁଛନ୍ତି। ଏହାକୁ ଜାଲ ପକାଇ ସଂଗ୍ରହ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ପ୍ରତି ବ୍ଲାଷ୍ଟିଂରେ ୫୦କେଜିରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ମାଛ ମରି ଭାସୁଥିବାରୁ ବେପାରୀମାନେ ଏହାକୁ ବସ୍ତା , ପ୍ୟାକେଟ ଆଦିରେ ନେଇ ବଜାରରେ ଚଢା ଦାମରେ ବିକ୍ରି କରୁଛନ୍ତି। ଅପରପକ୍ଷରେ ପୂର୍ବରୁ ଜୀରାନଦୀର ଏହିସବୁ ଘାଟରେ ଜାଲ ପକାଇ ମାଛ ମାରି ସାରଙ୍ଗପାଲି,ହୁତୁମା, ଟିହିଁକିପାଲି,ଖଲିଆପାଲି,ଆଖିଦାଦର, ଖଣ୍ଡହତା କୁଡାପାଳିର ୩୦୦ରୁ ଊର୍ଦ୍ଧ୍ୱ କେଉଟ ପରିବାର ନିଜ ପରିବାର ଚଳାଉଥିଲେ। ଏବେ ବ୍ଲାଷ୍ଟିଂ ଭୟରେ ଖୁବ କମ ସଂଖ୍ୟକ କେଉଟ ନଦୀ କୂଳରେ ଜାଲ ପକାଇ ମାଛ ମାରିବା ଦେଖିବାକୁ ମିଳୁଛି। ମାଛ ବେପାରୀମାନେ ବ୍ଲାଷ୍ଟିଂ କରିବା କାରଣରୁ ଏହାର କୁପ୍ରଭାବ ଜୀରାନଦୀ ସହ ମହାନଦୀ ଉପରେ ମଧ୍ୟ ପଡୁଛି। ଉଭୟ ନଦୀର ଜଳ ପ୍ରଦୂଷିତ ହୋଇ ବିଭିନ୍ନ ପ୍ରଜାତିର ଜଳଜୀବ ବିଲୁପ୍ତ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେଉଟମାନେ ମାଛ ବେପାରୀଙ୍କ ଏହି ବେଆଇନ କାର୍ଯ୍ୟକଳାପ ବିରୋଧରେ ପାଟି ଖୋଲିବାକୁ ଭୟ କରୁଛନ୍ତି। ସେହିପରି ବାଙ୍କିଘିର୍ଡି ରାଜସ୍ବ ବିଭାଗରେ ବ୍ଲାଷ୍ଟିଂ ବିଷୟରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରି କି କେବେ କେମିତି ବ୍ଲାଷ୍ଟିଂ କରିବା ସମୟରେ ଅସାବଧାନତା ବଶତଃ ଜୀବନହାନୀ ହେଉଛି। ମାତ୍ର ବେଆଇନ କାର୍ଯ୍ୟ ପଦାରେ ପଡିବ ବୋଲି ଘଟଣାକୁ ଚାପି ଦିଆଯାଉଛି। ଯଥାଶୀଘ୍ର ଏହାକୁ ରୋକା ନ ଗଲେ କେଉଟମାନଙ୍କ ବେଉସା ବୁଡିବା ସହ ନଦୀରୁ ମାଛ ବଂଶ ଲୋପ ପାଇବା ଆଶଙ୍କା ରହିଛି ା ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ନଦୀଗର୍ଭରେ ବିସ୍ଫୋରଣ ହେବା ଦଣ୍ଡନୀୟ ଅପରାଧ। ଏ ସମ୍ପର୍କରେ ବାଙ୍କିଘିର୍ଡି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇ ଏହାର ବିଧିବଦ୍ଧ ତଦନ୍ତ କରାଯିବ। ସେହିପରି ବିନିକା ଥାନାଧିକାରୀ ପବିତ୍ର ସାହୁ କହିଛନ୍ତି, ଜୀରା ନଦୀରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ଆସିନାହିଁ। ତେବେ ନଦୀରେ ଏହି ବେଆଇନ କାର୍ଯ୍ୟ କିପରି ରୋକାଯିବ ସେ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
https://www.dharitri.com/1-2-lakh-crore-added-by-investors-in-the-last-day/
ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟୁଛି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିବେଶକ ପ୍ରାୟ ୧.୨ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ପୂର୍ବଦିବସର କାର୍ଯ୍ୟ ଶେଷ ସୁଦ୍ଧା ବଜାର ପୁଞ୍ଜି ମୋଟ ୪୫୧.୨ ଲକ୍ଷ କୋଟି ଥିଲାବେଳେ ଶୁକ୍ରବାର ବଜାର କାରବାର ଶେଷ ସୁଦ୍ଧା ପୁଞ୍ଜିବଜାରର ପରିମାଣ ୪୫୨.୪ ଲକ୍ଷ କୋଟିରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଶେୟାର ବଜାର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୬୨୨.୦୦ ପଏଣ୍ଟ ବଢ଼ି ୮୦,୫୧୯.୩୪ ଅଙ୍କରେ କାରବାର ଶେଷ କରିଥିଲାବେଳେ ଏନ୍ଏସ୍ଇ ନିଫ୍ଟି-୫୦ରେ ମଧ୍ୟ ୧୮୬.୨୦ ପଏଣ୍ଟ ବୃଦ୍ଧି ଘଟି ୨୪,୫୦୨.୧୫ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍ଏସ୍ଇ ନିଫ୍ଟି ମିଡକ୍ୟାପ, ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ବୃଦ୍ଧି ଘଟିଛି।
https://www.dharitri.com/zomato-to-deliver-food-in-10-minutes/
ଜୋମାଟୋର ଘୋଷଣା: ୧୦ ମିନିଟ୍‌ରେ ପହଞ୍ଚିବ ଖାଦ୍ୟ ନୂଆଦିଲ୍ଲୀ,୨୨।୩: ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ‘ଜୋମାଟୋ’ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବର୍ତ୍ତମାନ ଏହା ମାତ୍ର ୧୦ ମିନିଟରେ ଲୋକଙ୍କୁ ଖାଦ୍ୟ ଯୋଗାଇବ ବୋଲି କମ୍ପାନୀ କହିଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ନିଜେ ଏନେଇ ସୂଚନା ଦେଇଛନ୍ତି। ତେବେ ତାଙ୍କର ଏଭଳି ଘୋଷଣା ପରେ ସୋସିଆଲ ମିଡିଆରେ କମ୍ପାନୀର ନିଷ୍ପତ୍ତିକୁ ପରିହାସ କରାଯାଉଛି। କେବଳ ଶୁଣିବାକୁ ଏହା ଭଲ ଲାଗୁଛି,ବାସ୍ତବରେ ଏହା ସମ୍ଭବ ନୁହେଁ ବୋଲି ଅନେକେ କହୁଥିବା ଦେଖାଯାଉଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଟୁଇଟ୍ କରି କହିଛନ୍ତି , ହାରାହାରି ବିତରଣ ସମୟ ୩୦ ମିନିଟ ବହୁତ ଧିର ହେଉଥିବା ଅନୁଭବ କଲି। ଖୁବ ଶୀଘ୍ର ଏହି ସିଷ୍ଟମ ପରିବର୍ତ୍ତନ ହେବ। ଆମେ ଯଦି ଏହାକୁ ପରିବର୍ତ୍ତନ ନ କରିବା, ଅନ୍ୟ କେହି ଏହି କାମ କରିବେ। ବଜାରରେ ରହିବାକୁ ଚାହୁଁଥିଲେ ଆପଣଙ୍କୁ ନୂଆ କିଛି କରିବାକୁ ହେବ। ତେଣୁ, ଜୋମାଟୋ ଇନଷ୍ଟା ୧୦ ମିନିଟର ଖାଦ୍ୟ ବିତରଣ ସମୟ ସହ ବଜାରକୁ ଆସିଛି। କମ୍ପାନୀର ଏଭଳି ନିଷ୍ପତ୍ତିରେ ଗ୍ରାହକମାନେ ଖୁସି ଥିଲେ ହେଁ ଏହାକୁ ବିରୋଧ ମଧ୍ୟ କରାଯାଉଛି। ଏପରିକି ଲୋକମାନେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ମଜାଳିଆ ମେମେ ଶେୟାର କରୁଛନ୍ତି।
https://www.dharitri.com/ଭାରତରେ-୧୦୦-ବିଲିୟନ-ଡଲାର-ନି/
ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଉଭା ହୋଇଛି। ୨୦୧୭ ସୁଦ୍ଧା ଅଷ୍ଟ୍ରେଲିଆ କମ୍ପାନୀଗୁଡିକ ଦେଶରେ ୧୪ ବିଲିୟନ ଡଲାର ପୁଞ୍ଜି ନିବେଶ କରିଛନ୍ତି। ୨୦୩୫ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ଛୁଇଁବ ବୋଲି କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର କନସଲ ଜେନେରାଲ ଆଣ୍ଡ୍ରିଉ ଫୋର୍ଡ କହିଛନ୍ତି। ମଙ୍ଗଳବାର ଶିଳ୍ପ ସଂଘ ଆଇସିସି ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫୋର୍ଡ କହିଛନ୍ତି, ଭାରତ ଅଷ୍ଟ୍ରେଲିଆ ପାଇଁ ଏକ ପ୍ରମୁଖ ବାଣିଜ୍ୟ ସହଯୋଗୀ। ଭାରତ ସହ ବାଣିଜ୍ୟ ସମ୍ପର୍କକୁ ଆହୁରି ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି। ଅଷ୍ଟ୍ରେଲୀୟ କମ୍ପାନୀଗୁଡିକ ଏଠାରେ ନିବେଶ ଓ କାରବାର କରିବାକୁ ଚାହୁଁଥିବା ସେ ସୂଚନା ଦେଇଛନ୍ତି। ଭାରତର ୧୦ କ୍ଷେତ୍ର ଏବଂ ୧୦ ପ୍ରମୁଖ ରାଜ୍ୟରେ ନିବେଶ ଲାଗି ଅଷ୍ଟ୍ରେଲିଆ ଯୋଜନା ରଖିଛି। ଏସୀୟ ରାଷ୍ଟ୍ରଗୁଡିକ ସହ ୧୦ ସ୍ବଳ୍ପ ଏବଂ ଦୀର୍ଘ ମିଆଦି ପ୍ରସ୍ତାବ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ଷେତ୍ରଗୁଡିକ ମଧ୍ୟରେ ଶକ୍ତି, ଶିକ୍ଷା, ଦକ୍ଷତା ବିକାଶ, ଖଣିଜ, ଧାତବ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ,ସ୍ବାସ୍ଥ୍ୟ ସେବା ଏବଂ ବନ୍ଦର ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଥିବା ସେ ସ୍ପଷ୍ଟ କରିଛନ୍ତି।
https://www.dharitri.com/1-rupee-for-ventilator/
ଭେଣ୍ଟିଲେଟର ପାଇଁ ୧ ଟଙ୍କା ବରଗଡ଼ ଅଫିସ୍,୭।୫: ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଭେଣ୍ଟିଲେଟର ସମେତ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି । ଉଦ୍ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗରିବ ଲୋକଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ବିକାଶ ଗ୍ରୁପ୍ର ଚେୟାରମ୍ୟାନ ଡି. ମୁରଲିକ୍ରିଷ୍ଣାଙ୍କୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି, ଭେଣ୍ଟିଲେଟର ଖର୍ଚ୍ଚ ପାଇଁ ଦୈନିକ ୫ରୁ ୭ହଜାର ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଗରିବ ଲୋକଙ୍କ ପାଇଁ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ୧ଟଙ୍କାରେ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବ। ସେହିପରି ବରଗଡ଼ ଜିଲା ପ୍ରଶାସନ ପାଇଁ ୧୫ଟି ଆଇସିୟୁ ଶଯ୍ୟା ସଂରକ୍ଷିତ ରହିଛି। ଜିଲା ପ୍ରଶାସନର ସୁପାରିଶକ୍ରମେ ବରଗଡ଼ ଜିଲାବାସୀ ମାଗଣାରେ ଏହି ଚିକିତ୍ସା ସୁବିଧା ପାଇପାରିବେ। ସେହିପରି ଜିଲା ପ୍ରଶାସନ ଚାହିଁଲେ ଏହାକୁ ଆହୁରି ବୃଦ୍ଧି କରାଯିବ। ଏହାସହିତ ଜିଲାପାଳ କିମ୍ବା ଜିଲାର ଜନ ପ୍ରତିନିଧିମାନେ ଯଦି କୌଣସି ଗରିବ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଉକ୍ତ ହସ୍ପିିଟାଲକୁ ପଠାଇବେ, ତେବେ ସେମାନଙ୍କଠାରୁ ଭେଣ୍ଟିଲେଟର ଖର୍ଚ୍ଚ ନିଆଯିବ ନାହିଁ। କେବଳ ଔଷଧ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସେମାନଙ୍କୁ ବହନ କରିବାକୁ ପଡିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
https://www.dharitri.com/elon-musk-earns-whopping-6887-dollars-in-a-minute-which-is-more-then-5-7-lakhs-in-indian-rupees/
ଏଲନ ମସ୍କ ପ୍ରତି ସେକେଣ୍ଡରେ ଯେତେ ଟଙ୍କା କମାନ୍ତି, କୋଟି କୋଟି ଭାରତୀୟଙ୍କ ବାର୍ଷିକ ଦରମା ମଧ୍ୟ ସେତିକି ନୁହେଁ… ନୁୟର୍କ,୧୬।୨: ଅନେକ ଲୋକ ଜାଣିବାକୁ ଆଗ୍ରହୀ ଯେ ଏଲନ ମସ୍କଙ୍କର କେତେ ଧନ ଅଛି। ତେବେ ଏହାକୁ ନେଇ ଏକ ନୂତନ ରିପୋର୍ଟରେ ଖୁଲାସା କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପ୍ରତି ମିନିଟରେ କେତେ ରୋଜଗାର କରନ୍ତି। ପ୍ରତ୍ୟେକ ଘଣ୍ଟା, ପ୍ରତ୍ୟେକ ଦିନ ଏବଂ ପ୍ରତି ସପ୍ତାହରେ ମସ୍କଙ୍କ ରୋଜଗାର ଭାରତର ଅନେକ ଶ୍ରମିକଙ୍କ ବାର୍ଷିକ ଦରମାଠାରୁ ଅଧିକ । ଟେକ ବିଲିୟନେୟାର ଏଲନ ମସ୍କ ପ୍ରତି ମିନିଟରେ ପ୍ରାୟ ୬୮୮୭ ଡଲାର, ପ୍ରତି ଘଣ୍ଟାରେ ୪,୧୩,୨୨୦ ଡଲାର, ପ୍ରତିଦିନ ୯୯,୧୭,୨୮୦ଡଲାର ଏବଂ ପ୍ରତି ସପ୍ତାହରେ ୬,୯୪,୨୦,୯୬୦ ଡଲାର ରୋଜଗାର କରନ୍ତି । ଫିନବୋଲ୍ଡ ରିପୋର୍ଟରେ କୁହାଯାଇଛି, ପ୍ରତି ସେକେଣ୍ଡରେ ରୋଜଗାରର ହିସାବ କରିବା ପାଇଁ, ସେମାନଙ୍କର ସମୁଦାୟ ରୋଜଗାର ଏକ ସେକେଣ୍ଡର ସଂଖ୍ୟା (୩୧,୫୩୬,୦୦୦) ରେ ବିଭକ୍ତ ହୋଇଥିଲା, ଯାହାର ପରିଣାମ ପ୍ରତି ସେକେଣ୍ଡରେ ୧୧୪.୮୦ ଡଲାର ଥିଲା । ଭାରତୀୟ ଟଙ୍କାରେ ଏଲନ ମସ୍କ ପ୍ରତି ସେକେଣ୍ଡରେ ୯୫୨୯ ଟଙ୍କା ରୋଜଗାର କରନ୍ତି, ଯେତେବେଳେ ପ୍ରତି ମିନିଟରେ ସେ ୫,୭୧,୬୫୯ ଟଙ୍କା ରୋଜଗାର କରନ୍ତି। ଭାରତର ବେତନ ପ୍ରାପ୍ତ ଶ୍ରମିକଙ୍କ ବାର୍ଷିକ ପ୍ୟାକେଜ ମଧ୍ୟ ସେତେ ଅଧିକ ନୁହେଁ।
https://www.dharitri.com/todays-india-pakistan-match-know-when-watch-the-match/
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, ଦେଖିପାରିବେ ମ୍ୟାଚ୍‌ କଲମ୍ବୋ,୧୦।୯: ଆଜି ପୁଣି ଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥର ଉଭୟ ଦଳ ସୁପର-୪ରେ ପରସ୍ପର ବିପକ୍ଷରେ ପଡ଼ିଆ ନେବେ। ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ବାତିଲ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ସୁପର-୪ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ରବିବାର ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବାବେଳେ। ଟସ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୨.୩୦ରେ ହେବ। ଏହି ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଭାରତରେ ସିଧା ପ୍ରସାରଣ ହେବ। ଡିଜ୍ନି ପ୍ଲସ ହଟଷ୍ଟାରରେ ଭାରତ-ପାକିସ୍ତାନ ମ୍ୟାଚ ମାଗଣାରେ ସିଧା ପ୍ରସାରଣ ହେବ।
https://www.dharitri.com/elephant-broke-the-house-2/
ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଏପରିକି ପରିବାର ଲୋକେ ଘରେ ଶୋଇଥିବା ବେଳେ ୨ଟି ଘର କାନ୍ଥ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହ ହାତୀ ବାଡି ବଗିଚାରେ ପଶି ଫସଳ ଦଳିଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନକର୍ମଚାରୀ ଗାଁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ଅଞ୍ଚଳରୁ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
https://www.dharitri.com/the-famous-actor-raised-his-hand-in-anger-at-his-father/
ରାଗରେ ବାପାଙ୍କ ଉପରକୁ ହାତ ଉଠାଇଥିଲେ ଏହି ପ୍ରସିଦ୍ଧ ଅଭିନେତା ବଲିଉଡର ‘ହିମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ। ଧର୍ମେନ୍ଦ୍ରଙ୍କ ପ୍ରକୃତ ନାମ ହେଉଛି ଧରମ ସିଂ ଦେଓଲ। ୧୯୬୦ ମସିହାରେ ସେ ‘ଦିଲ ଭୀ ତେରା, ହମ ଭୀ ତେରେ’ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ୭୦ ଦଶକରେ ଧର୍ମେନ୍ଦ୍ର ଦୁନିଆର ସବୁଠାରୁ ସୁନ୍ଦର ପୁରୁଷ ପାଇଁ ମଧ୍ୟ ପୁରସ୍କାର ପାଇଛନ୍ତି। କୁହାଯାଏ ଯେ ଧର୍ମେନ୍ଦ୍ର ଜଣେ ଅତି ଜୀବନ୍ତ ବ୍ୟକ୍ତି ଅଟନ୍ତି। ଶୁଟିଂ ସେଟରେ ସବୁବେଳେ ସେ ଖୁସିରେ ରହୁଥିଲେ। ଏହା ସହିତ ଅଭିନେତ୍ରୀ ହେମା ମାଳିନୀଙ୍କ ସହ ତାଙ୍କର ସମ୍ପର୍କର ଖବର ଚର୍ଚ୍ଚାରେ ରହିଆସୁଥିଲା। କିନ୍ତୁ ହେମାଙ୍କ ଅପେକ୍ଷା ତାଙ୍କ ମଦ୍ୟପାନର ଖବର ଅଧିକ ଚର୍ଚ୍ଚିତ ହେଲା। ଧର୍ମେନ୍ଦ୍ର ଶୋଲେ ଫିଲ୍ମ ଶୁଟିଂ ସମୟରେ ବିୟର ପିଉଥିଲେ ଏବଂ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥା’ନ୍ତି। କିନ୍ତୁ ଦିନେ ମଦ୍ୟପାନ କରି ସେ ତାଙ୍କ ପିତାଙ୍କ ସହ ଏପରି କାର୍ଯ୍ୟ କରିଥିଲେ, ଯାହାକୁ ସେ ଆଜି ବି ଭୁଲି ପାରି ନାହାନ୍ତି। ନାହିଁ। ଧର୍ମେନ୍ଦ୍ର ଏକ ସାକ୍ଷାତକାରରେ ପ୍ରକାଶ କରିଥିଲ ଯେ ଯେତେବେଳେ ବି ସେ ମଦ୍ୟପାନ କରୁଥିଲେ, ସେ ରାତିରେ ପହଞ୍ଚିବା ପରେ ଘରର ଚାକରଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଘରର କବାଟ ଖୋଲିବାକୁ କହିଥିଲେ। ଯାହାଫଳରେ ତାଙ୍କ ଘରେ ପହଞ୍ଚିବା ବିଷୟରେ କେହି ଜାଣିପାରିବେ ନାହିଁ। ଥରେ ସେ ରାତି ଅଧରେ ମଦ୍ୟପାନ କରି ଘରକୁ ଫେରିବା ପରେ ଘରର ଉଭୟ କବାଟ ବନ୍ଦ ହୋଇଯାଇଥିଲା। ଏହା ଦେଖି ତାଙ୍କ ରାଗ ମୁଣ୍ଡକୁ ଚଢିଯାଇଥିଲା। ସେ ଚାକରକୁ ଅନେକ ଥର ଡାକିଲେ କିନ୍ତୁ କେହି କବାଟ ଖୋଲିଲେ ନାହିଁ। କିଛି ସମୟ ପରେ ଡ୍ରଇଂ ରୁମର କବାଟ ଖୋଲିଲା। ଡ୍ରଇଂ ରୁମରେ ଅନ୍ଧାର ଥିଲା। ଧର୍ମେନ୍ଦ୍ର ବହୁତ ରାଗିଗଲେ। ଏହା ପରେ ସେ ରାତିର ଅନ୍ଧକାରରେ ଜଣେ ବ୍ୟକ୍ତିଙ୍କ ଡ୍ରେସ୍ ଧରି ହାତ ଉଠାଇଥିଲେ, ମୁଁ ତୁମ ରୁମର କବାଟ ଖୋଲା ରଖିବାକୁ କହିଲି। ତୁମେ କାହିଁକି ଏହି କବାଟ ଖୋଲିଲ? ବର୍ତ୍ତମାନ ଯାଇ ମୋର ରୁମ୍ କବାଟ ଖୋଲ। ଓର୍ମେନ୍ଦ୍ର ଭାବିଥିଲେ ସେ ବ୍ୟକ୍ତି ଜଣଙ୍କ ବୋଧହୁଏ ତାଙ୍କ ଘରର ଚାକର। ଏହା ପରେ ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ବେକକୁ ଧରି ତାଙ୍କ ମା’ଙ୍କ ରୁମ୍ ଆଡକୁ ନେଇଗଲେ। ଲାଇଟ୍ ଆସିବା ମାତ୍ରେ ଦେଖାଗଲା ଯେ ସେ ତାଙ୍କର ଚାକର ନୁହଁନ୍ତି, ବରଂ ତାଙ୍କ ବାପା। ଏହା ପରେ ସେ ତାଙ୍କ ବାପାଙ୍କ ନିକଟରେ କ୍ଷମା ମାଗିଥିଲେ ଏବଂ ଠିକ ସମୟରେ ଘରକୁ ଆସିବାକୁ ପ୍ରତିଶୃତି ଦେଇଥିଲେ। ଏହି ବାକ୍ୟକୁ ସ୍ମରଣ କରି ଧର୍ମେନ୍ଦ୍ର ଆଜି ମଧ୍ୟ ନିରାଶ ହୋଇଛନ୍ତି।
https://www.dharitri.com/brij-bhusan-was-not-visible-during-the-nomination-of-son-karan/
ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କରଣ ଭୂଷଣ ସିଂ ବର୍ତ୍ତମାନର ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ। କିନ୍ତୁ ଯେତେବେଳେ ତାଙ୍କ ନାମାଙ୍କନ ପତ୍ରର ଫଟୋ ସାମ୍ନାକୁ ଆସିଲା, ସେତେବେଳେ ରାଜନୈତିକ ଉତ୍ତେଜନା ପୁଣି ତୀବ୍ର ହେଲା। ସୂଚନାଯୋଗ୍ୟ, କରଣ ଭୂଷଣ ସିଂ ଶୁକ୍ରବାର ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ। ନାମାଙ୍କନ ପରେ ତାଙ୍କର କିଛି ଫଟୋ ବାହାରକୁ ଆସିବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ନାମାଙ୍କନ ପତ୍ରରେ ବାହାରକୁ ଆସିଥିବା ଫଟୋରେ କରଣ ଭୂଷଣ ସିଂଙ୍କ ପିତା ତଥା ବର୍ତ୍ତମାନର ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଦେଖିବାକୁ ମିଳି ନଥିଲା। ତେବେ ନାମାଙ୍କନ ପାଇଁ ପ୍ରସ୍ତୁତ ହେଉଥିବା କର୍ମୀଙ୍କ ମଧ୍ୟରେ ତାଙ୍କୁ ସକାଳେ ଦେଖିବାକୁ ମିଳିଥିଲା। ଯେତେବେଳେ କରଣ ଭୂଷଣ ସିଂ ତାଙ୍କ ନାମାଙ୍କନ ପୂର୍ବରୁ ଗୋଣ୍ଡାର ଏକ ମନ୍ଦିରରେ ପ୍ରାର୍ଥନା କରିଥିଲେ, ସେତେବେଳେ ମଧ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଦେଖାଯାଇ ନଥିଲା। ତେବେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ମଞ୍ଚର ଫଟୋ ଦେଖାଯିବା ପରେ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା।
https://www.dharitri.com/ayers-place-is-in-crisis/
ଆୟରଙ୍କ ସ୍ଥାନ ସଙ୍କଟରେ ନୂଆଦିଲ୍ଲୀ,୩୦ା୧୦: ଭାରତର ଦିନିକିଆ କ୍ରିକେଟ ବିଶ୍ୱକପ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନ ସଙ୍କଟରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପ୍ରଥମ ମ୍ୟାଚ୍ରେ ସେ ଦୁର୍ଭାଗ୍ୟ ଜନକ ଭାବରେ ରନ୍ଆଉଟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୪୯ ରନ୍ ସ୍କୋର କରିଥିଲେ। ବ୍ୟାଟିଂ ପାଇଁ ପ୍ରତିକୂଳ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ସେ ଚମତ୍କାର ଢଙ୍ଗରେ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରିଥିଲେ। ଯେଉଁଠି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ଆୟର ଶର୍ଟ ବଲ୍ ବିପକ୍ଷରେ ଅସହଜ ମନେ ହୁଅନ୍ତି ସେଠାରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ସକରାତ୍ମକ ସଙ୍କେତ। ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ କାରଣରୁ ସେ ବର୍ତ୍ତମାନ ଦଳରୁ ଦୂରେଇ ରହିଛନ୍ତି। ତେବେ ସେ ପ୍ରତ୍ୟାବର୍ତ୍ତନ କଲେ ଜଣେ ଖେଳାଳିଙ୍କୁ ବାହାରେ ବସିବାକୁ ପଡିବ। ବର୍ତ୍ତମାନର ଫର୍ମକୁ ଦୃଷ୍ଟିରେ ରଖିଲେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ସୂର୍ଯ୍ୟକୁମାରଙ୍କୁ ଟିମ୍ରେ ରଖିବାର ସମ୍ଭାବନା ଅଧିକ।
https://www.dharitri.com/ହଷ୍ଟେଲରୁ-ଛାତ୍ରୀ-ନିଖୋଜ/
ହଷ୍ଟେଲରୁ ଛାତ୍ରୀ ନିଖୋଜ ପୁରୀ ଅଫିସ,୧୬।୧୨: ଦତ୍ତତୋଟାସ୍ଥିତ ଏକ ଘରୋଇ ହଷ୍ଟେଲରୁ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁକ୍ତ୨ ଛାତ୍ରୀ ନିଖୋଜ ଥିବା ନେଇ କୁମ୍ଭାରପଡା ଥାନାରେ ରବିବାର ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ଗତ ନଭେମ୍ବର ୨୯ ଅପରାହ୍ନ ପରଠାରୁ ସେ ନିଖୋଜ ଥିବା ନେଇ ବିଳମ୍ବିତ ରାତିରେ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଗତ ୧ ତାରିଖରେ ସଦର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିବାର ଲୋକେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହା ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ରହିଥିବା ସନ୍ଦେହ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
https://www.dharitri.com/ବୁଲା-କୁକୁରଙ୍କ-ବନ୍ଧୁ-ପାଲଟ/
ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି ମା’ ପୁଅ ଛତ୍ରପୁର,୮ା୩(ଡି.ଏନ୍.ଏ.)- କରୋନା ପାଇଁ ସାରା ଦେଶରେ ଲକ୍ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ। ଦୋକାନ, ବଜାର, ହୋଟେଲ, ଫାଷ୍ଟଫୁଡ ଷ୍ଟଲ ବନ୍ଦ ପରେ ବୁଲା କୁକୁର ଖାଇବାକୁ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ଛତ୍ରପୁରର ମା’ ଓ ପୁଅ ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି। ସେମାନେ ହେଲେ ଛତ୍ରପୁର ସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପ୍ରଭା ନାୟକ ଓ ଢେଙ୍କାନାଳ ସ୍ଥିତ ଆଇଆଇଏମ୍ସିରୁ ସାମ୍ବାଦିକତା ପାସ୍ କରିଥିବା ତାଙ୍କ ପୁଅ ସୌମ୍ୟରଞ୍ଜନ। ସନ୍ଧ୍ୟାହେଲେ ରୋଷେଇ କରି ଖାଦ୍ୟ ଭର୍ତ୍ତି ବାଲ୍ଟି ଧରି ଘରୁ ବାହାରି ପଡ଼ନ୍ତି। ସାଙ୍ଗରେ ବିସ୍କୁଟ ପ୍ୟାକେଟ ମଧ୍ୟ ନେଇଥାନ୍ତି। ରାସ୍ତାରେ ବୁଲି ମା’ ପୁଅ ବହୁ ବୁଲା କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି। ମଣିଷ ତ କେମିତି କ’ଣ ଚଳିଯାଉଛି, ହେଲେ ବୁଲାକୁକୁର କଥା କେହି ବୁଝୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ସୌମ୍ୟ।
https://www.dharitri.com/ସୋନିଆଙ୍କୁ-ସମାଲୋଚନା-କରୁଥି/
ସୋନିଆଙ୍କୁ ସମାଲୋଚନା କରୁଥିବା ଶିବସେନା ଏବେ ଠାକରେଙ୍କ ସ୍ବପ୍ନ ପୂରଣ ପାଇଁ କଂଗ୍ରେସର ଦ୍ୱାରସ୍ଥ ନୂଆଦିଲ୍ଲୀ,୧୨।୧୧: ରାଜନୀତିରେ ବନ୍ଧୁତା ଅବା ଶତ୍ରୁତା ବେଶୀ ଦିନ ତିଷ୍ଠି ନ ଥାଏ। ଏହା ଏବେ ପ୍ରମାଣିତ ହେବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତି ଏବେ ଏମିତି ମୋଡ ନେଇଛି ଯାହା ଏବେ ଏହି ଉକ୍ତିକୁ ପ୍ରମାଣ କରୁଛି। ଅତୀତରେ ଶିବସେନା ମୁଖ୍ୟ ବାଲାସାହେବ ଠାକରେ କଂଗ୍ରେସକୁ ସବୁବେଳେ ସମାଲୋଚନା କରୁଥିଲେ। ହେଲେ ଏବେ ସେହି ବାଲାସାହେବ ଠାକରେଙ୍କ ସ୍ବପ୍ନ ପୂରଣ କରିବାକୁ କଂଗ୍ରେସ ଆଗରେ ହାତ ପାତିଛି ଶିବସେନା। ସୋନିଆଙ୍କୁ ଇଟାଲିୟନ ମମ୍ମି କହୁଥିବା ବାଲାସାହେବଙ୍କ ଦଳ ଏବେ କଂଗ୍ରେସକୁ ମାଗୁଛି ସମର୍ଥନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ସ୍ବପ୍ନ ଦେଖୁଥିବା ଶିବସେନା ଭାଜପାଠାରୁ ଦୂରେଇ ଆସିବା ପରେ ଏବେ ସରକାର ଗଠନ ଲାଗି ଏନ୍ସିପି ଓ କଂଗ୍ରେସର ସହଯୋଗ ଲୋଡିଛି। ସୂଚନାଯୋଗ୍ୟ, ମନମୋହନ ସିଂଙ୍କ ସରକାର ସମୟରେ ୨୦୧୦ରେ ବାଲାସାହେବ ଠାକରେ ସାମନାର ଏକ ଆର୍ଟିକଲ ଜରିଆରେ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ। ସେଥିରେ ସେ କହିଥିଲେ ମୁମ୍ବାଇ ସମସ୍ତଙ୍କର ହୋଇ ପାରିବ ହେଲେ ଇଟାଲିୟନ ମମ୍ମିଙ୍କର ନୁହେଁ। ଏହା ସେ ସୋନିଆଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏବେ କିନ୍ତୁ ଏହାର ଓଲଟା ଚିତ୍ର ଦେଖାଦେଇଛି।
https://www.dharitri.com/chhena-and-paneer-prices-will-increase-from-may/
ମେ ପହିଲାରୁ ବଢ଼ିବ ଛେନା ଓ ପନିର୍‌ ମୂଲ୍ୟ କଟକ ଅଫିସ,୨୫।୪: ଆସନ୍ତା ମେ ପହିଲାରୁ ଦୁଗ୍ଧ ଜାତ ଦ୍ରବ୍ୟ ଛେନା, ପନିର୍ ଓ ଖୁଆର ମୂଲ୍ୟ ମହଙ୍ଗା ହେବ। କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଓମ୍ଫେଡ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହେବା ସହ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ମଧ୍ୟ ବଢ଼ିଛି। ସେ ନେଇ କଟକ ଜିଲ ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟ ସଙ୍ଘ ଏଭଳି ନିଷ୍ପତ୍ତି ନେଇଛି । ବର୍ଦ୍ଧିତ ଦାମ ଅନୁସାରେ ଛେନାର ଦର କିଲୋ ପିଛା ୨୦ ଟଙ୍କା ବଢ଼ି ୧୯୫ ଟଙ୍କା ହୋଇଛି। ସେହିପରି ପନିର କିଲୋ ପିଛା ୩୦ ଟଙ୍କା ବଢ଼ି ୨୫୫ ଟଙ୍କା ହେବା ସହିତ କଞ୍ଚା ଖୁଆ କିଲୋ ପିଛା ୬୦ ଟଙ୍କା ବଢ଼ି ୩୨୦ ଟଙ୍କା ହୋଇଛି। ଏ ନେଇ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା କହିଛନ୍ତି। କଟକରୁ ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁର ରେଢ଼ାଖୋଲ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଉଥିବା ସ୍ଥାନ ଗୁଡ଼ିକରେ ଏହି ଅନୁପାତରେ ଦର ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
https://www.dharitri.com/ଇନ୍‌ଷ୍ଟାଗ୍ରାମରେ-ଫଟୋ-ଶେୟା/
ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍‌, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ମୁମ୍ବାଇ: ସୋସିଆଲ ପ୍ଲାଟ୍ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କରୀନା ତାଙ୍କ ପ୍ରୋଫାଇଲ୍ରେ ପିଲାଦିନର ଏକ ଫଟୋ ରଖିଥିଲେ। ମାତ୍ର ଗୋଟିଏ ଦିନ ପୂର୍ବରୁ ଏହାକୁ ପରିବର୍ତ୍ତନ କରି ଏକ ଷ୍ଟାଇଲିଷ୍ଟ ଲୁକ୍ର ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଶେୟାର ହେବାର ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ୟୁଜର ଏହାକୁ ଫଲୋ କରିସାରିଲେଣି। ଫଟୋରେ ସେ କ୍ୟାପଶନ ଲେଖିଛନ୍ତି, ବିଲେଇ ବ୍ୟାଗ୍ ବାହାରକୁ ଆସିଛି। ହ୍ୟାଲୋ ଇନ୍ଷ୍ଟାଗ୍ରାମ। ଫଟୋ ଶେୟାର ସମ୍ପର୍କରେ କରୀନା କୁହନ୍ତି, ଏହି ପୋଷ୍ଟ କରିବାରେ ମୋର ଏତେ ଅଭିଜ୍ଞତା ନ ଥିଲା। କିନ୍ତୁ ପରେ ଅନୁଭବ କଲି ଯୁଗ ସହ ତାଳ ଦେଇ ଏହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଏମିତି ଫଟୋଟି ପୋଷ୍ଟ କଲି। ଏ ତ ଗଲା କରୀନାଙ୍କର ବ୍ୟକ୍ତିଗତ କଥା। ଫିଲ୍ମ କ୍ୟାରିୟରକୁ ଦେଖିଲେ ମାର୍ଚ୍ଚ ୧୩ରେ ତାଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’ ରିଲିଜ୍ ହେବ। ଏଥିସହିତ ଅମୀର୍ ଖାଁଙ୍କ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ରେ ମଧ୍ୟ ନଜର ଆସିବେ।
https://www.dharitri.com/ମୋ-ବସ୍‌-ଷ୍ଟାଣ୍ଡ୍‌-ଏବେ-ପରି/
ମୋ ବସ୍‌ ଷ୍ଟାଣ୍ଡ୍‌ ଏବେ ପରିବା ଦୋକାନ ଭୁବନେଶ୍ୱର, ୯ା୪(ବ୍ୟୁରୋ): ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ଭୁବନେଶ୍ୱରର ପ୍ରାୟ ସମସ୍ତ ମୋ ବସ୍ ଷ୍ଟାଣ୍ଡ୍କୁ ପରିବା ଦୋକାନ ଭାବେ ବ୍ୟବହାର କରାଯାଇଛି। ଭୁବନେଶ୍ୱରରେ ଥିବା ପରିବା ଦେକାନୀମାନଙ୍କୁ ବିଭିନ୍ନ ବସ୍ ଷ୍ଟାଣ୍ଡ୍ରେ ଥଇଥାନ କରିବା ସହ ସାମାଜିକ ଦୂରତ୍ୱ କିପରି ବଜାୟ ରଖି ଲୋକମାନେ ପରିବା କିଣିବେ ସେଥିପ୍ରତି ଧ୍ୟାନ ରଖିବାକୁ ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ମୋ ବସ୍ ଓ ଷ୍ଟାଣ୍ଡ୍ର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ନିଜ ଟୁଇଟର ହ୍ୟାଣ୍ଡେଲରେ କହିଛି ଯେ, ମୋ ବସ୍ ଏବେ ଲୋକଙ୍କୁ ସେବା ଯୋଗାଇ ପାରୁନି। ଏପରି ସମୟରେ ମୋ ବସ୍ ଷ୍ଟାଣ୍ଡ୍ରୁ ଲୋକେ ପରିବା କିଣିବାର ସୁଯୋଗ ପାଉଥିବାରୁ ବେଶ୍ ଖୁସି ଅନୁଭବ କରୁଛି ବୋଲି କ୍ରୁଟ୍ କହିଛି।
https://www.dharitri.com/the-chief-justice-of-the-high-court-will-be-sworn-in-today/
ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭୁବନେଶ୍ୱର,୪।୧(ବ୍ୟୁରୋ): ସୋମବାର ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର। ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥପାଠ କରାଇବେ। ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର ରବିବାର ଭୁବେନଶ୍ବରରରେ ପହଞ୍ଚିଥିବା ବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ।
https://www.dharitri.com/no-kanwar-yatra-in-up/
ୟୁପିରେ କାଉଡିଆ ଯାତ୍ରା ବନ୍ଦ ଲକ୍ଷ୍ନୌ, ୧୭ା୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ କାଉଡିଆ ଯାତ୍ରାକୁ ଶନିବାର ବାତିଲ କରିଛନ୍ତି। କାଉଡିଆ ଯାତ୍ରାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସୋମବାର ସୁଦ୍ଧା ସରକାର ନିଷ୍ପତ୍ତି ନ ନେଲେ କୋର୍ଟ ନିର୍ଦ୍ଦେଶାନାମା ଜାରି କରିବେ ବୋଲି କହିଥିଲେ। ପୂର୍ବରୁ ଉତ୍ତରାଖଣ୍ଡ ସରକାର ଏହି ଯାତ୍ରକୁ ବାତିଲ କରିଥିଲେ।
https://www.dharitri.com/there-is-no-special-teacher-for-dibang-students/
ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ସ୍ବତନ୍ତ୍ର ଶିକ୍ଷକ ରସୁଲପୁର,୨୨।୩(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନରେ ୨୫୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୧୫ଟି ବିଦ୍ୟାଳୟରେ ୨୪୦ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ହେଲେ ସେସବୁ ବିଦ୍ୟାଳୟଗୁଡ଼ିକରେ ତାଲିମପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ। ଏ ଦିଗରେ ରହିଆସୁଥିବା କୋର୍ଟ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁ ନ ଥିବାରୁ ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା କେବଳ ପ୍ରହସନରେ ପରିଣତ ହୋଇଛି। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଅକ୍ଷମଙ୍କୁ ସକ୍ଷମ କରିବା ପ୍ରୟାସ କେବଳ କାଗଜକଲମ ଓ ଭାଷଣରେ ସୀମିତ ରହିଥିବା ମତପ୍ରକାଶ ପାଇଛି। ଶିକ୍ଷା ମୌଳିକ ଅଧିକାର ପରିସରଭୁକ୍ତ ହୋଇଛି। ଏହି ମାଧ୍ୟମରେ ସର୍ବଶିକ୍ଷା ଅଭିଯାନ ପରେ ଏବେ ସମଗ୍ର ଶିକ୍ଷା ଓ ଅନ୍ତଃନିର୍ହିତ ଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହି ଆଧାରରେ ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଆସୁଛି। ଦିବ୍ୟାଙ୍ଗ ପିଲାଙ୍କୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରି-ପାଇମେରି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରାଇମେରି ବର୍ଗରେ ବିଭକ୍ତ କରାଯାଇଛି। ଏହି ବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିଦେଇ ଜୁଲାଇ, ୨୦୨୧ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ମୁତାବକ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟନରତ ୧୦ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ଲେଖାଏ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ଏପିରି କି ଗୋଟିଏ ବିଦ୍ୟାଳୟରେ ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ଏହି ବର୍ଗର ଶିକ୍ଷକମାନେ ସ୍ପର୍ଶ, ସଚେତନ, ଶ୍ରବଣ, ଶ୍ରୁତି, ସମ୍ପର୍କ, ସାମର୍ଥ୍ୟ, ସହଜ, ସରଳ, ସଂପୃକ୍ତି ଆଦି ବିଷୟରେ ତାଲିମ ନେବା ସହ ପିଲାଙ୍କୁ ସହଜ ଓ ସରଳ ଉପାୟରେ ପାଠ ପଢ଼ାଇବା ଉପରେ ଧ୍ୟାନ ଦେବେ। ମାତ୍ର ସ୍ବତନ୍ତ୍ର ଶିକ୍ଷକ ଅଭାବରୁ ଅନ୍ତଃନିର୍ହିତ ଶିକ୍ଷା ବାଧାପ୍ରାପ୍ତ ହେଉଛି। ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗର ଶିକ୍ଷକଙ୍କୁ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢ଼ାଇବାକୁ ତାଲିମ ଦିଆଯାଉଛି। ଏହି ବର୍ଗର ଶିକ୍ଷକ ବିଦ୍ୟାଳୟ ପରିଚାଳନା ସାଙ୍ଗକୁ ସାଧାରଣ ବର୍ଗର ପିଲାଙ୍କୁ ପଠାପଢ଼ାଇବାକୁ ଧ୍ୟାନ ଦେବାବେଳେ ଦିବ୍ୟାଙ୍ଗ ପିଲା ଅଣଦେଖା ହୋଇଯାଉଛନ୍ତି। ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପ୍ରଦାନ ଆଳରେ କେବଳ ଖେଳ, ବିଭିନ୍ନ ଥେରାପି ପ୍ରଶିକ୍ଷଣ, ଏକ୍ସପୋଜର ଭିଜିଟ୍, ସହାୟତା ଏବଂ ସାମଗ୍ରୀ ଆଦି ପ୍ରଦାନ କରିବାରେ ସୀମିତ ରହିଛି। ତେଣୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ ସମ୍ବଳ ଶିକ୍ଷକ ରାମକୃଷ୍ଣ ମହାକୁଡ଼ଙ୍କୁ ପଚାରିବାରୁ ସେ କହିଛନ୍ତି, ଦିବ୍ୟାଙ୍ଗ ପିଲାଙ୍କୁ ସରକାର ସୁବପ୍ରକାର ସହାୟତା ଓ ପାଠ୍ୟ ଉପକରଣ ଯୋଗାଇ ଦେଉଛନ୍ତି। ହେଲେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଗୁଣାତ୍ମକ ଶିକ୍ଷାଦାନ ହୋଇପାରୁ ନାହିଁ। ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଛି। ପ୍ରତ୍ୟେକ ୧୦ଜଣ ପିଲାଙ୍କୁ ନେଇ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରସ୍ତାବ ରଖାଯାଇଛି। ମାତ୍ର ଏଯାଏ ସ୍ବତନ୍ତ୍ର ନିଯୁକ୍ତିକୁ ନେଇ ସରକାରୀସ୍ତରରେ କୌଣସି ନିଷ୍ପତ୍ତି ହୋଇନାହିଁ।
https://www.dharitri.com/a-humanitarian-tribute-to-d-s-k-dash/
ଡା.ଏସ୍‌.କେ.ଦାଶଙ୍କୁ ମାନବବାଦୀ ସମ୍ମାନ ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ର ଅଧ୍ୟକ୍ଷ ଡା. ଏସ୍ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି କ୍ଲବ ଦ୍ୱାରା ମାନବବାଦୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏ ସମ୍ପର୍କରେ ରୋଟାରି କ୍ଲବ ଏଡିନାର ସଭାପତି ସେଲି ଲୋବେର୍ଗ କହିଛନ୍ତି, ଡା. ଦାଶଙ୍କର ଏହି ମହତ୍ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ସ୍ବୀକୃତି ଦେଇ ଆମେ ବେଶ୍ ଗର୍ବିତ। ସେହିଭଳି ଇଣ୍ଡିଆନ ଆସୋସିଏସନ ଅଫ୍ ମିନେସୋଟାର ସଭାପତି ତାନ୍ୱି ପ୍ରିଜେ ଡା. ଦାଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡା. ଦାଶ ପ୍ରୋବାଇଓଟିକସ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବହୁଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ସେହିପରି ଡା. ଦାଶଙ୍କ ନାମରେ ନାମିତ ମିନେସୋଟା ଇତିହାସ ସଂଗ୍ରହାଳୟର ରୋଟୁଣ୍ଡା ସହ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ମିନେସୋଟା ବ୍ଲୁ କ୍ରସ୍ ବ୍ଲୁ ସିଲ୍ଡର ମୁଖ୍ୟ ନାଶ ସେଖ୍ କହିଛନ୍ତି। ସେହିଭଳି ମିନେସୋଟା କନକର୍ଡିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ ଉପାଧ୍ୟକ୍ଷ ଡା. ବ୍ରୁସ୍ କୋରୀ ଡା. ଦାଶଙ୍କ ସମ୍ପର୍କରେ ଅନେକ ରୋଚକ କଥାର ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଡା. ଦାଶ ଜଣେ ଉଦ୍ୟୋଗୀ ତଥା ଉଦ୍ଭାବକ ଯିଏ କି ତାଙ୍କର କାର୍ଯ୍ୟ ମାଧ୍ୟମରେ ୧୦୦ ବିଲିୟନ ଡଲାରର ପ୍ରୋବାଇଓଟିକ ଶିଳ୍ପ ଗଠନ କରିବାରେ ସାହାଯ୍ୟ କରିଛନ୍ତି।
https://www.dharitri.com/neet-pg-result-2022-declared-record-time-today/
ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ ନୂଆଦିଲ୍ଲୀ,୧।୬: ନ୍ୟାଶ୍ନାଲ୍ ବୋର୍ଡ ଅଫ୍ ଏଗ୍ଜାମିନେସନ୍(ଏନ୍ବିଇ) ବୁଧବାର ନିଟ୍-ପିଜି ୨୦୨୨ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରିଛି। ନିଟ୍-ପିଜିର ଫଳାଫଳ ରେକର୍ଡ ୧୦ ଦିନରେ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନସୁଖ ମାଣ୍ଡଭିୟା ଏନ୍ବିଇକୁ ପ୍ରଶଂସା କରିଛନ୍ତି। ମାଣ୍ଡଭିୟା ଟୁଇଟ କରି କହିଛନ୍ତି, ନିଟ୍-ପିଜି ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ୧୦ ଦିନ ଭିତରେ ଫଳାଫଳ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିନ ପୂର୍ବରୁ ଫଳାଫଳ ଘୋଷଣା କରି ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ମୁଁ ଏନ୍ବିଇକୁ ପ୍ରଶଂସା କରୁଛି।
https://www.dharitri.com/ବ୍ୟାଙ୍କ-କାରବାର-ଠପ୍‌/
ବ୍ୟାଙ୍କ କାରବାର ଠପ୍‌ ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ(ୟୁଏଫ୍ବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ଧର୍ମଘଟରେ ଓଡିଶାର ୪୦ ହଜାର କର୍ମଚାରୀ ସାମିଲ ହୋଇଥିବା ସୂଚନା ରହିଛି। ଶୁକ୍ରବାର ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ କର୍ମଚାରୀମାନେ ବ୍ୟାଙ୍କ ସାମ୍ନାରେ ପିକେଟିଂ କରିବା ସହ ଧାରଣା ଦେଇଥିଲେ। କେତେକ ସ୍ଥାନରେ କର୍ମଚାରୀମାନେ ଘରୋଇ ବ୍ୟାଙ୍କ ଶାଖାକୁ ମଧ୍ୟ ପିକେଟିଂ କରି ବନ୍ଦ କରିଥିବା ଦେଖାଯାଇଥିଲା। ଏହି ଧର୍ମଘଟରେ ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିଛି। ଫଳରେ ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିଥିଲା। ଶୁକ୍ରବାର ଏବଂ ଶନିବାର ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ଲୋକ ପାଇବେ ନାହିଁ। ରବିବାର ଛୁଟି ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ମୋଟାମୋଟି ଭାବେ କହିବାକୁ ଗଲେ ୪ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବ। ଏହି ସମୟରେ ଏଟିଏମ୍ ସେବା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ରାଜ୍ୟରେ ପ୍ରଥମ ଦିନ ଧର୍ମଘଟ ସଫଳ ହୋଇଥିବାରୁ କର୍ମଚାରୀଙ୍କୁ ଏଆଇବିଓସି ରାଜ୍ୟ ସଭାପତି ଦାମୋଦର ନନ୍ଦ ଧନ୍ୟବାଦ ଦେଇଛନ୍ତି। ଧର୍ମଘଟରେ ଏଆଇବିଇଏ, ଏଆଇବିଓସି, ଏନ୍ସିବିଇ, ଏଆଇବିଓଏ, ବିଇଏଫ୍ଆଇ, ଆଇଏନ୍ବିଇଏଫ୍, ଆଇଏନ୍ବିଓସି, ଏନ୍ଓବିଓଡବ୍ଲ୍ୟୁ ଏବଂ ଏନ୍ଓବିଓ ଭଳି ସଂଘ ଯୋଗ ଦେଇଛନ୍ତି। ସଂଘଗୁଡିକ ୧୨ ଦଫା ଦାବି ରଖିଛନ୍ତି। ମଜୁରି ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ୍ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନସନ ସ୍କିମ, ପରିବାର ପେନସନ ବୃଦ୍ଧି ଭଳି ଦାବି ଏହା ମଧ୍ୟରେ ସାମିଲ ରହିଛି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣାରେ ବସିବେ।
https://www.dharitri.com/1480-covid-positive-detected-in-24-hour/
ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୮୦ କରୋନା ଆକ୍ରାନ୍ତ ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୬୨ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୬୧୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୩୩୪ ପିଲା ଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦେଖନ୍ତୁ କେଉଁ ଜିଲାରୁ କେତେ?
https://www.dharitri.com/newlyweds-drink-poison/
ବିଷ ପିଇଲେ ନବ ବିବାହିତା ଦେବଗଡ଼,୧୭।୧(ଡି.ଏନ୍.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାହିପାଳ ଗ୍ରାମର ଅଶୋକ ସାମାଡ ଏବଂ ଦନ୍ତାରିବାହାଲ ଗ୍ରାମର ନିରାଶ ଦେବଗନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ରହି ଆସିଥିଲା। ଗତ ୧ ତାରିଖ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ୪ ଦିନ ତଳେ ଅଶୋକ ନିଜ ଘରକୁ ନିରାଶଙ୍କ ସହ ଆସିଥିଲେ। ପରିବାର ଲୋକେ ସେମାନଙ୍କ ବିବାହକୁ ସ୍ବୀକୃତି ଦେଇ ନିରାଶଙ୍କୁ ବୋହୂ ଭାବେ ଗ୍ରହଣ କରିଥିଲେ। ରବିବାର ରାତିରେ ଖାଇ ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ଉଭୟେ ବାନ୍ତି କରିଥିଲେ। ସେମାନେ ବିଷ ପିଇ ଥିବା ପରିବାର ଲୋକେ ଜାଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
https://www.dharitri.com/531-converted-schools-are-public/
୫୩୧ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରେ ଢେଙ୍କାନାଳ ଜିଲାର ୧୦୫, ଗଞ୍ଜାମର ୨୩୦, କନ୍ଧମାଳର ୭୩, ନବରଙ୍ଗପୁରର ୭୩ ଏବଂ ଅନୁଗୋଳ ଜିଲାର ୫୦ ହାଇସ୍କୁଲ ରହିଛି। ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି। ପ୍ରତ୍ୟେକ ପିଲା ସ୍ବତନ୍ତ୍ର। ସେମାନଙ୍କ ମଧ୍ୟରେ ଭରିରହିଛି ବିପୁଳ ସମ୍ଭାବନା। ପିଲାମାନଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ସ୍କୁଲ ରୂପାନ୍ତରଣ ଏହି ସ୍ବପ୍ନରେ ଡେଣା ଯୋଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବେ ଉପଯୋଗ କରିବା ସହ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହଁର, ଅନୁଗୋଳରୁ ବିଷ୍ଣୁ ପ୍ରସାଦ ଚଇନି ପ୍ରମୁଖ ଛାତ୍ରୀଛାତ୍ର ସ୍କୁଲ ରୂପାନ୍ତର ସମ୍ପର୍କିତ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ଛାତ୍ରୀଛାତ୍ରଙ୍କ ପାଇଁ ବରଦାନ। ଏହା ପାଠପଢ଼ା ସହ କ୍ରୀଡ଼ାର ବିକାଶ ଲାଗି ସୁଯୋଗ ଆଣିଛି ବୋଲି ସେମାନେ ମତ ଦେଇଛନ୍ତି। ଏହି ଅବସରରେ ନବରଙ୍ଗପୁରର ଛାତ୍ରୀ ଜୁଇସ ସୁନା ଗମନାଗମନରେ ଭୋଗୁଥିବା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଅଧିକ ହଷ୍ଟେଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଅଙ୍ଗଦ କହଁର, ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶୋକ ମୀନା, ଏସ୍ସି/ଏସ୍ଟି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
https://www.dharitri.com/spicejet-has-been-taken-off-the-enhanced-surveillance-regime-by-dgca/
ସ୍ପାଇସଜେଟକୁ ଡିଜିସିଏରୁ ମିଳିଲା ଆଶ୍ୱସ୍ତି ନୂଆଦିଲ୍ଲୀ,୨୫।୭: ବିମାନ ଚଳାଚଳ କମ୍ପାନୀ ସ୍ପାଇସଜେଟ ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି। ଡିଜିସିଏ ପକ୍ଷରୁ ସ୍ପାଇସଜେଟର ବର୍ଦ୍ଧିତ ନିରୀକ୍ଷଣ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହା ପରେ ସ୍ପାଇସଜେଟ ଅନ୍ୟ ବିମାନ ସେବା ପରି ଏହାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ହେବ। ବିମାନ ସେବାରେ ଲଗାତାର ସମସ୍ୟା ହେତୁ ନିୟାମକମାନେ ଏହାକୁ ମନିଟରିଂ ସିଷ୍ଟମ ଅଧୀନରେ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
https://www.dharitri.com/ଛେଣ୍ଡିପଦାରେ-ଗ୍ରୀଷ୍ମପ୍ରବ/
ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର ନାଁ ଗନ୍ଧ ନାହିଁ। ଲଗାତର ୧୫ ଦିନ ହେଲାଣି ପ୍ରବଳ ଖରା ଯୋଗୁ ଗ୍ରୀଷ୍ମଋତୁ ପରି ଅନୁଭୂତ ହେଉଛି। ବର୍ଷା ଅଭାବରୁ ଏବେ ସମଗ୍ର ବ୍ଲକରେ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇଛି। ଜୁନରେ ଚାଷୀମାନେ ଧାନ ବୁଣା ସାଙ୍ଗକୁ ତଳିପକା କାର୍ଯ୍ୟ କରିଥିଲେ। ଅଦ୍ୟାବଧି ବର୍ଷା ହେଉ ନ ଥିବାରୁ ଚାଷକାର୍ଯ୍ୟ ଆଗେଇପାରୁନି। ଆଉ କିଛି ଦିନ ଏପରି ଲାଗି ରହିଲେ ମରୁଡ଼ି ସ୍ଥିତି ଉପୁଜିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସାଧାରଣତଃ ଜୁଲାଇରେ ୨୫୦ ମିମିରୁ ୩୦୦ ମିମି ବର୍ଷା ଆବଶ୍ୟକ ହୋଇଥାଏ। ହେଲେ ବ୍ଲକ ଅଫିସ ବୃଷ୍ଟିପାତ ବିବରଣୀ ଅନୁଯାୟୀ ମାତ୍ର ୪ ଦିନ ଜୁଲାଇରେ ୨ରେ ୧୨.୬ ମିମି, ୩ରେ ୬.୨ମିମି, ୪ରେ ୧୩.୪ ମିମି, ୬ରେ ୯.୬ ମିମି ବର୍ଷା ହୋଇଛି। ସେହିପରି ଜୁନରେ ମୌସୁମୀ ବର୍ଷା ନ ଥିବାବେଳେ କେବଳ ଲଘୁଚାପଜନିତ ୨୦୮.୪ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଏହାପରଠାରୁ ଆଦୌ ବୃଷ୍ଟିପାତ ହୋଇ ନ ଥିବା ଯୋଗୁ ଧାନ ସହ ଅଣଧାନ ଫସଲ, ପନିପରିବା ଚାଷ ଆଦି ଉଜୁଡିବାକୁ ବସିଛି। ହାତଗଣତି ଭାବେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ବନ୍ଧ, ଗାଡିଆ, ପୋଖରୀ ସହ ନଈନାଳ ଆଦି ଶୁଖିଲା ହୋଇପଡିଛି। ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଏବେ ସେମାନେ ଫସଲହାନି ଚିନ୍ତାରେ ପଡିଛନ୍ତି। ଏହାର ମୁକାବିଲା ପାଇଁ କୃଷି ବିଭାଗ, ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ଥିତିରେ ସୁଧାର ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
https://www.dharitri.com/corona-vaccine-will-available-in-three-months-of-2021health-minister/
୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ଅଧିକ ରହିଛି। ତେବେ କେତେକ ରାଜ୍ୟରେ ସ୍ଥିତି ଚିନ୍ତା ଜନକ ରହିଛି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଲୋକଙ୍କ ସଚେତନ କରାଇବା ଲାଗି ପ୍ରୟାସ କରାଯାଉଛି। ଅମାନିଆଙ୍କ ପାଇଁ କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଦିଲ୍ଲୀର କରୋନା ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ,ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରାଯାଉଛି। ଯେଉଁ ସବୁ ରାଜ୍ୟରେ କରୋନା ପୁଣି ଫେରିଛି, ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ଆଲୋଚନା କରିବେ ବୋଲି ସେ କହିଛନ୍ତି। ୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୦୨୧ ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
https://www.dharitri.com/mandsaur-two-bus-heading-towards-cm-shivraj-singh-chouhan-program-met-with-an-accident/
ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବସ୍ କଲଭର୍ଟରୁ ନଦୀରେ ଓଲଟି ପଡିଥିବାବେଳେ ଅନ୍ୟ ବସ୍ ମଧ୍ୟ ଦୁର୍ଘଟଣା ଗ୍ରସ୍ତହୋଇଛି। ଉଭୟ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି। ମୁଖ୍ୟମନ୍ତ୍ରୀ ମାନ୍ଦସୌର ଜିଲାର ସୀତାମାଉ ଏବଂ ଗାରୋଥ ତହସିଲରେ ଆୟୋଜିତ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଲାଡଲି ବହନା ସମ୍ମିଳନୀ ହୋଇଥିବାବେଳେ ଅନ୍ୟଟି ଜଳସେଚନ ପ୍ରକଳ୍ପର ଭୁମି ପୂଜନ। ଉଭୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ହଜାର ହଜାର ଲୋକ ବସ୍ ଯୋଗେ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଛନ୍ତି। ଏହି ସମୟରେ ଦୁଇଟି ବସ୍ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କିଛି ମହିଳା ସାମାନ୍ୟ ଆହତ ହୋଇଛନ୍ତି।
https://www.dharitri.com/stop-spending-dmf-outside-the-district/
ଜିଲା ବାହାରେ ଡିଏମ୍‌ଏଫ୍‌ ଖର୍ଚ୍ଚ ବନ୍ଦକର ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ ନିଷ୍ପତ୍ତି ବା ମଞ୍ଜୁର କରିପାରିବେ ନାହିଁ। ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଏହା ଖର୍ଚ୍ଚ କରାଯାଇପାରିବ ନାହିଁ। ରାଜ୍ୟ ସରକାର ଏହି ଅର୍ଥକୁ ନିଜସ୍ବ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନେବା କିମ୍ବା ଜିଲା ବାହାର କୌଣସି ସ୍କିମ୍ରେ ଖର୍ଚ୍ଚ କରୁଛନ୍ତି। ଏହା ଜାଣିବା ପରେ ଡିଏମ୍ଏଫ୍ ଅର୍ଥକୁ କୌଣସି ପରିସ୍ଥିତିରେ ଜିଲା ବାହାରେ ଖର୍ଚ୍ଚ ନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତାଗିଦ୍ କରିଛନ୍ତି। ଏ ନେଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଇନ୍ସ ମିନେରାଲ୍ସ (ଡେଭଲପ୍ମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ର ଧାରା ୯(ବି) ଅନୁସାରେ ୨୦୧୫ରୁ ଖଣି ଖନନ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ଓ ସମ୍ପୃକ୍ତ ଅଞ୍ଚଳର ବିକାଶ ପାଇଁ ଡିଏମ୍ଏଫ୍ ଗଠନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଖଣି ଥିବା ଦେଶର ୬୦୦ ଜିଲାରେ ଡିଏମ୍ଏଫ୍ ଗଠନ କରାଯାଇଛି। କେତେକ ରାଜ୍ୟରେ ଡିଏମ୍ଏଫ୍ ପାଣ୍ଠିକୁ ଦୁରୁପଯୋଗ କରି ରାଜ୍ୟସ୍ତରୀୟ ପାଣ୍ଠି ବା ରାଜ୍ୟ ସରକାରୀ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କିମ୍ବା ସେଭଳି ଅନ୍ୟ ସ୍କିମ୍କୁ ଟ୍ରାନ୍ସଫର କରାଯାଉଥିବାରୁ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି। ଡିଏମ୍ଏଫ୍ ପାଣ୍ଠିକୁ ଖଣି ଲିଜ୍ଧାରୀମାନେ ନିର୍ଦ୍ଧାରିତ ପ୍ରତିଶତର ରୟାଲଟି ପ୍ରଦାନ କରିବେ। ଧାରା ୯ (ବି) ଅନୁଯାୟୀ ଏହି ଅର୍ଥ ଖଣି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ଓ ସମ୍ପୃକ୍ତ ଅଞ୍ଚଳର ବିକାଶରେ ବ୍ୟବହାର ହେବ। ଡିଏମ୍ଏଫ୍ ଅର୍ଥକୁ କୌଣସି ରାଜ୍ୟସ୍ତରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ଉକ୍ତ ଆଇନର ଧାରା ୯ (ବି)ର ଖିଲାପ ବୋଲି ଚିଠିରେ କୁହାଯାଇଛି। ଜିଲା ଖଣିଜ ପ୍ରତିଷ୍ଠାନ ନିଜ ଅର୍ଥକୁ ନିଜେ ଖର୍ଚ୍ଚ କରିବେ। ଏଥିରେ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପକୁ ବିରୋଧ କରାଯାଇଛି। ଉକ୍ତ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ରାଜ୍ୟସ୍ତରୀୟ ପାଣ୍ଠି ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଅଥବା ଅନ୍ୟ ଫଣ୍ଡ ବା ସ୍କିମ୍କୁ ଟ୍ରାନ୍ସଫର ନ କରିବାକୁ କୁହାଯାଇଛି। ରାଜ୍ୟ ସରକାର କିମ୍ବା ରାଜ୍ୟସ୍ତରୀୟ ଏଜେନ୍ସି ଜରିଆରେ ଡିଏମ୍ଏଫ୍ ଅଥର୍ର୍କୁ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଆଦେଶ ରହିଛି। ଏହାକୁ ଅନୁପାଳନ କରିବାକୁ କୁହାଯାଇଛି।
https://www.dharitri.com/muslim-man-assaulted-in-kanpur-daughter-begs-for-mercy/
ଝିଅ ଆଗରେ ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା ଲକ୍ଷ୍ନୌ, ୧୨।୮: ଇ-ରିକ୍ସା ଚଲାଉଥିବା ଜଣେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିଲା। ଦୟା ପାଇଁ ପୀଡ଼ିତଙ୍କ କୁନି ଝିଅ ଭିକ୍ ମାଗୁଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ପୀଡ଼ିତଙ୍କୁ ଛାଡ଼ି ଦିଆଯାଇଥିଲା ପୋଲିସ ହେପାଜତରେ। ଉତ୍ତର ପ୍ରଦେଶର କାନପୁରରେ ବୁଧବାର ଘଟିଛି ଏଭଳି ଘଟଣା। ସ୍ଥାନୀୟ ଲୋକେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଭାଇରାଲ ଭିଡିଓରେ ପୋଲିସ ହେପାଜତରେ ମଧ୍ୟ ପୀଡ଼ିତଙ୍କୁ ମାଡ଼ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ମୁସଲିମମାନେ ଜଣେ ହିନ୍ଦୁ ବାଳିକାର ଧର୍ମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଘଟଣା ସ୍ଥଳ ଠାରୁ ୫୦୦ ମିଟର ଦୂରରେ ବଜରଙ୍ଗ ଦଳର ଏକ ସଭା ବସିଥିଲା। ବୈଠକ ଶେଷ ହେବା ପରେ ବଜରଙ୍ଗ ଦଳର ସଦସ୍ୟମାନେ ମୁସଲିମ ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ। ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ଦେଖିଛୁ। ପୀଡ଼ିତଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ଦାୟର କରାଯାଇଛି। ଆମେ ଆଇନ ଅନୁଯାୟୀ, ପଦକ୍ଷେପ ନେବୁ ବୋଲି କାନପୁରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବୀନା ତ୍ୟାଗି କହିଛନ୍ତି।
https://www.dharitri.com/i-will-bear-everything-but-not-my-mothers-insult-why-did-chirag-paswan-say-this/
ସବୁ ବରଦାସ୍ତ କରିବି କିନ୍ତୁ ମୋ ମାଆର ଅପମାନ ନୁହେଁ…ଏମିତି କାହିଁକି କହିଲେ ଚିରାଗ ପାସଓ୍ବାନ ନୂଆଦିଲ୍ଲୀ,୩୧।୮: ଗତ କିଛିଦିନ ହେଲା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସଓ୍ବାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ସବୁକିଛି ସହ୍ୟ କରିପାରିବି, କିନ୍ତୁ ମୋ ମା’ଙ୍କୁ ଅପମାନ ସହ୍ୟ କରିପାରିବି ନାହିଁ। ମୋ ମାଆ ମୋ ବାପାଙ୍କ ସହ ବହୁତ ବଡ଼ ବଡ଼ ସ୍ବପ୍ନ ଦେଖୁଥିଲେ ହେଲେ ସେ ଚାଲିଯିବା ପରେ ମୋ ପାଇଁ ତାଙ୍କୁ ବହୁ ଦୁର୍ଦ୍ଦିନ ଦେଖିବାକୁ ପଡିଛି। ଏହା ମୁଁ ସହ୍ୟ କରିପାରିଲି ନାହିଁ । ବାପାଙ୍କ ବିୟୋଗ, ପରିବାରର ବିଚ୍ଛିନ୍ନତା, ଘର ନେଇଯିବା, ମାମୁଁ ଘର ବାହାରେ ରାତିସାରା ଠିଆ ହେବାର ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଚିରାଗ କହିଛନ୍ତି ଯେ, ଯେତେବେଳେ ନିଜ ରକ୍ତ ମୋ ପିଠିରେ ଛୁରାଘାତ କରିଥିଲା, ସେତେବେଳେ ବାହାର ଲୋକଙ୍କୁ କ’ଣ ବା କୁହାଯାଇ ପାରିବ। ଗତ ତିନିବର୍ଷ ମଧ୍ୟରେ ଦଳକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିଛି। ସମସ୍ତେ ମୋ ମାଙ୍କୁ ଜାଣନ୍ତି। ସେ ବହୁତ ଶକ୍ତିଶାଳୀ ମହିଳା। ସେ ଏପରି ପରିସ୍ଥିତି ପୂର୍ବରୁ କେବେ ଦେଖି ନ ଥିଲେ। ମୋ ମାଆ କାନ୍ଦୁଥିବାର କେବେ ଦେଖି ନାହିଁ କିନ୍ତୁ ଦିନେ ରାତିରେ ମାଆ ଏକ କୋଠରୀ କୋଣରେ କାନ୍ଦୁଥିବାର ଦେଖିଥିଲି। ସେଦିନ ରାତିରେ ହଜିଯାଇଥିବା ସବୁ ଜିନିଷ ଫେରାଇ ଆଣିବି ବୋଲି ପ୍ରତିଜ୍ଞା କଲି। ଚିରାଗ ଆହୁରି କହିଛନ୍ତି, ଆଜି ମୁଁ ସନ୍ତୁଷ୍ଟ ଯେ ଆଜି ଯାହା ହାସଲ କରିଛି, ମୋ ପରିଶ୍ରମରେ। ଯଦି ମୁଁ ସଂଘର୍ଷ କରି ନ ଥାନ୍ତି, ତେବେ ଦୟାରୁ ମନ୍ତ୍ରୀ ହୋଇଥାନ୍ତି।
https://www.dharitri.com/କେସାପାଲି-ଭାଲିଆକଟା-ରାସ୍ତା/
କେସାପାଲି-ଭାଲିଆକଟା ରାସ୍ତା କାମରେ ଅନିୟମିତତା ସମ୍ବଲପୁର,୨୫ା୫ (ବ୍ୟୁରୋ): ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ସରକାର ରାସ୍ତା ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜକୋଷରୁ ଟଙ୍କା ଦେଉଛନ୍ତି । ହେଲେ ଯେଉଁ ବିଭାଗ ମାଧ୍ୟମରେ କାମ ହେଉଛି ସେହି ବିଭାଗର ଅଧିକାରୀ ହିଁ ଠିକାଦାର ଓ ଠିକା ସଂସ୍ଥାକୁ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଉଥିବା ଅନେକ ସ୍ଥାନରେ ଅଭିଯୋଗ ହେଉଛି। କଂକ୍ରିଟ ରାସ୍ତା ଫାଟିବା ଓ ପିଚୁ ଉଠିଯିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯୁଯୁମୁରା ବ୍ଲକ କେସାପାଲି-ଭାଳିଆକଟା (ଭାୟା ବଡମାଲ) ଗ୍ରାମ ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ୟୟ ଅଟକଳ ଅନୁସାରେ ରାସ୍ତାରେ ଗେଟି ବା ମେଟାଲ ମିଶ୍ରଣ କରାଯାଉ ନାହିଁ । ଅଧିକ ପରିମାଣର ଡଷ୍ଟ ମିଶାଇ ରାସ୍ତାରେ ବିଛା ଯାଉଛି । ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନାହିଁ । ରାସ୍ତା ଉପରେ ରୋଲିଂ କରାଯାଉ ନାହିଁ । ସୂଚନା ଫଳକ ନିର୍ମାଣ କରାଯାଇ ନାହିଁ। ତେଣୁ ଲୋକମାନେ ରାସ୍ତା ନିର୍ମାଣ ସମ୍ପର୍କରେ ଜାଣି ପରୁନାହାନ୍ତି । ସ୍ଥାନୀୟ ଠିକା ସଂସ୍ତା ଓ କର୍ମଚାରୀଙ୍କୁ ପଚାରିଲେ ସେମାନେ କିଛି କହୁନାହାନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଠିକା କାମ ଜଣେ ରାଜନେତାଙ୍କ ସମ୍ପର୍କୀୟ ନେଇଥିବାରୁ କେହି କିଛି କହିବାକୁ ଭୟ କରୁଛନ୍ତି । ବିଭାଗର ଏଭଳି ଠିକାଦର ପୋଷା ନୀତି ଯୋଗୁ ରାସ୍ତାର ସ୍ଥାୟିତ୍ୱ ରହିବ ନାହିଁ । ତେଣୁ ନିର୍ମାଣ କାମକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଜେଇ ସତ୍ୟଜିତ ସାମଲଙ୍କୁ ପଚାରିବାରୁ ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନ ଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ନିମ୍ନମାନର କାମ ଉପରେ ହୋଇଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ସୂଚାନ ଯୋଗ୍ୟ ଯେ, କେସାପାଲି ଗ୍ରାମଠାରୁ ଭାୟା ବଡମାଲ ଗ୍ରାମ ଦେଇ ଭାଲିଆକଟା ଗ୍ରମକୁ ସଂଯୋଗ କରିବ। ଏହା ଯୁଯୁମୁରା ଓ ରେଢାଖୋଲ ବ୍ଲକକୁ ସଯୋଗ କରିବ । ଏହି ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ରାସ୍ତା ନିର୍ମାଣ ପାଇଁ ସରକାର ଅନୁଦାନ ଦେଇଛନ୍ତି । ୧୩ କି.ମି. ରାସ୍ତା ପାଇଁ ପ୍ରାୟ ୧୬ କୋଟି ଟଙ୍କା ଟେଣ୍ଡର କରାଯାଥିଲା । ୨୦୧୮ ମାର୍ଚ୍ଚ ୨୮ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଳ ମଲ୍ଳିକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ରାସ୍ତା କାମ ଲାଗି ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ଉପରେ ଅଞ୍ଚଳର ୧୭ରୁ ଅଧିକ ଗ୍ରାମ ଓ ପଡା ନିର୍ଭର କରେ। ରାସ୍ତା ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ହେଲେ ଏବେ ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।
https://www.dharitri.com/ଷ୍ଟାର୍କଙ୍କ-ସ୍ବତନ୍ତ୍ର-ରେକ/
ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ ଲଡର୍ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍ର ବୃହତ୍ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପ୍ ଇତିହାସରେ ପ୍ରଥମ ବୋଲର ଭାବେ ୩ଥର ଗୋଟିଏ ଇନିଂସ୍ରେ ୫ ଉଇକେଟ ନେବାର ସଫଳତା ପାଇଛନ୍ତି। ୨୦୧୫ ବିଶ୍ୱକପ୍ରେ ଷ୍ଟାର୍କ ଅକ୍ଲାଣ୍ଡଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍ରେ ୬ ଉଇକେଟ ନେଇଥିଲେ। ବିଶ୍ୱକପ୍ ଇତିହାସରେ ଏକ ନିର୍ଦ୍ଧିଷ୍ଟ ଦଳ ବିପକ୍ଷରେ ଦୁଇ ଥର ୫ ଉଇକେଟ ନେବାରେ ଷ୍ଟାର୍କ ଏକମାତ୍ର ବୋଲର। ଚଳିତ ବିଶ୍ୱକପ୍ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ନେଇଥିଲେ। ଏଥିସହ ୨୪ ଉଇକେଟ ସହ ଷ୍ଟାର୍କ ଚଳିତ ବିଶ୍ୱକପ୍ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇ ରହିଛନ୍ତି। ବିଶ୍ୱକପ୍ର ଦୁଇଟି ସଂସ୍କରଣରେ ସେ ମୋଟ ୪୬ ଉଇକେଟ ନେଇସାରିଛନ୍ତି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୪୪ ରନ୍ର ବିଜୟ ଲକ୍ଷ୍ୟ ଆଗରେ ନ୍ୟୁଜିଲାଣ୍ଡ ୧୫୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
https://www.dharitri.com/retail-inflation-rose-to-6-09/
ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ନୂଆଦିଲ୍ଲୀ,୧୪।୭: ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସୋମବାର ଜାରି ହୋଇଥିବା ସରକାରୀ ଡାଟାରୁ ଏହା ଜଣାପଡିଛି। ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୭.୮୭%କୁ ବୃଦ୍ଧି ଘଟିଥିବା ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଡାଟାରୁ ସାମ୍ନାକୁ ଆସିଛି। କରୋନା ମହାମାରୀ ଯୋଗୁ ଡାଟା ସଂଗ୍ରହ ବର୍ତ୍ତମାନ ପ୍ରଭାବିତ ହୋଇଛି। ସ୍ପଳ୍ପ ଡାଟାକୁ ନେଇ ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ଗତ ବର୍ଷ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮% ରହିଥିଲା। ମହାମାରୀ ଯୋଗୁ ଏପ୍ରିଲ ଏବଂ ମେ ମାସରେ ସରକାର ସିପିଆଇ ଡାଟା ଜାରି କରିନାହାନ୍ତି।
https://www.dharitri.com/ଅର୍ଥ-ଫେରସ୍ତ-ଲାଗି-ନିର୍ମଳା/
ଅର୍ଥ ଫେରସ୍ତ ଲାଗି ନିର୍ମଳାଙ୍କୁ ପ୍ରତାପଙ୍କ ଅନୁରୋଧ ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖିବା ଯୋଗୁ ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କିପରି ଜଗନ୍ନାଥଙ୍କ ଅର୍ଥ ଫେରସ୍ତ ଆସିବ ସେନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଗୁରୁବାର ସୀତାରାମନ୍ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପ୍ରତାପ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ମନ୍ଦିର ପ୍ରଶାସନ କାହିଁକି ଜୀତୀୟ ବ୍ୟାଙ୍କ ଛାଡ଼ି ଘରୋଇ ବ୍ୟାଙ୍କରେ ଅର୍ଥ ରଖିଲା ତାହାର ତଦନ୍ତ ହେବା ଆବଶ୍ୟକ। ଏଥିରୁ ଜଣାପଡୁଛି ଯେ, କେତେଜଣ ସରକାରୀ ଅଧିକାରୀ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ଲାଗି ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ସହିତ ଖେଳିଥିବା ଏବଂ ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହି ଘଟଣାର ଏକ ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଆର୍ବିଆଇକୁ ଜଗନ୍ନାଥଙ୍କ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରତାପ ଦର୍ଶାଇଛନ୍ତି।
https://www.dharitri.com/ufc-dustin-got-the-title/
ୟୁଏଫ୍‌ସି: ଡଷ୍ଟିନଙ୍କୁ ଟାଇଟଲ ଲାସ ଭେଗାସ, ୨୯।୬:ଇଏସପିଏନ ୧୨ ଇଭେଣ୍ଟ ମଧ୍ୟରୁ ଏଠାରେ ଅନୁଷ୍ଠିତ ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପ୍ (ୟୁଏଫସି) ଲଢ଼େଇରେ ଅନେକ ନାମୀ ଫାଇଟରଙ୍କୁ ଦେଖିବାକୁ ମିଳିଛି। ଏହାର ମୁଖ୍ୟ ଇଭେଣ୍ଟରେ ଆମେରିକାର ପେସାଦାର ମିକ୍ସଡ ମାର୍ଶାଲ ଆଟର୍ସ ଫାଇଟର ଡଷ୍ଟିନ ପୋରିଅର ବିଜେତା ହୋଇଛନ୍ତି। ପୂର୍ବତନ ଅନ୍ତରୀଣ ଲାଇଟଓ୍ବେଟ ଚାମ୍ପିୟନ ପୋରିଅର ୩ ରାଉଣ୍ଡ ବିଶିଷ୍ଟ ନିର୍ବିବାଦୀୟ ଲଢ଼େଇରେ ନ୍ୟୁଜିଲାଣ୍ଡର ଡାନ ହୁକରଙ୍କୁ ୪୮-୪୭, ୪୮-୪୭, ୪୮-୪୬ ପଏଣ୍ଟରେ ହରାଇ ଟାଇଟଲ ହାସଲ କରିଛନ୍ତି। ଓ୍ବେଲ୍ଟରଓ୍ବେଟ କାଟେଗୋରିରେ ମାଇକ ପେରୀ ୨୯-୨୮, ୨୯-୨୮, ୨୯-୨୮ ପଏଣ୍ଟରେ ମିକି ଗାଲ୍ଙ୍କୁ ପରାସ୍ତ କରିଛନ୍ତି। ଫିଦରଓ୍ବେଟରେ ୟୁସିଫ ଜଲାଲ ୨୯-୨୮, ୨୯-୨୮, ୨୯-୨୮ରେ ଜୋର୍ଡାନ ଗ୍ରିଫିନଙ୍କୁ ଏବଂ ହେଭିଓ୍ବେଟରେ ଟାନେର ବୋସେର ୨ ରାଉଣ୍ଡ ମଧ୍ୟରେ ଫିଲିପେ ଲିନ୍ସଙ୍କୁ ନକ୍ଆଉଟ କରିଛନ୍ତି।
https://www.dharitri.com/ganesh-bhasni-festival/
ଗଣେଶ ଭସାଣି ଉତ୍ସବ: ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଢେଙ୍କାନାଳ ଅଫିସ,୬।୯: ଢେଙ୍କାନାଳ ସହରରେ ଗତ ୩୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ୩୯ଟି ପୂଜା ପ୍ରତିଷ୍ଠାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଭସାଣି ଉତ୍ସବ ଆରମ୍ଭ ହୋଇଯାଇଛି। ସକାଳ ୮ଟା ସୁଦ୍ଧା ୩୩ ପୂଜା ପ୍ରତିଷ୍ଠାନର ମେଢ଼ ମିନିଷ୍ଟାଡିୟମରେ ପହଞ୍ଚିଥିଲା। ପରେ କ୍ରମିକ ନମ୍ବର ପାଇଁ ଲଟେରି ଉଠିଥିଲା। ଭସାଣି ଶୋଭାଯାତ୍ରାରେ ଯିବା ପାଇଁ ଲଟେରୀରେ ୧ନମ୍ବର ମେଢ ଭାବେ ବାଜିଚୌକ ପୂଜା ପ୍ରତିଷ୍ଠାନ, ୨ରେ ରାଧାକୃଷ ବଜାର ପୂଜା କମିଟି ଓ ୩ରେ ମା’ ସୁନ୍ଦରଶଣୀ କଲେଜ ପୂଜା କମିଟିଙ୍କ ଲଟେରି ଉଠିଥିଲା। ଏହାପରେ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା। ୮ ହଜାର ଟଙ୍କାରେ ଗଣେଶ ବଜାର ପୂଜା କମିଟି ଆଜ୍ଞା ଲଡୁକୁ ନିଲାମରେ ନେଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଏସ୍ପି ଲୋଗାନଯାଗୀ ଦିବ୍ୟା ଭି, ଅତିରିକ୍ତ ଜିଲାପାଳ ଉଦୟ କୁମାର ପ୍ରଧାନ, ଉପ ଜିଲାପାଳ ସ୍ମିଗ୍ଧାରାଣୀ ଧଳ, ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ, ସଦର ଏସ୍ଡିପିଓ ବିକାଶ ବେଉରା, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଜିଲା ସଂସ୍କୃତି ଅଧିକାରୀ ପ୍ରିୟ ମୂଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ ପୂଜା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୁଧାଂଶୁ ଦଳେଇ, ସମ୍ପାଦକ ବିଶନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ମେଢ଼ଗୁଡ଼ିକ କ୍ରମିକ ନମ୍ବର ଅନୁଯାୟୀ ଶୋଭାଯାତ୍ରାରେ ଯାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଭସାଣି ଉତ୍ସବ ଚାଳିବ।
https://www.dharitri.com/gautam-gambhir-got-angry-after-hearing-the-name-of-sreesanth/
ଶ୍ରୀସନ୍ଥଙ୍କ ନାଁ ଶୁଣିବା ମାତ୍ରେ ରାଗିଗଲେ ଗମ୍ଭୀର, କହିଦେଲେ ଏମିତି ନୂଆଦିଲ୍ଲୀ,୧୩।୧୨: ବିବାଦ ଯେଉଁଠି,ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସେଇଠି। ନିକଟରେ ସେ ପୂର୍ବତନ କ୍ରିକେଟର ଏସ୍. ଶ୍ରୀସନ୍ଥଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ଗମ୍ଭୀର ‘ଫିକ୍ସର’ କହିବା ଯୋଗୁ ରାଗି ଯାଇଥିବା ନେଇ ଶ୍ରୀସନ୍ଥ ଅଭିଯୋଗ କରିଥିଲେ। ହେଲେ ଗମ୍ଭୀର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏବେ ଗମ୍ଭୀର ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସିଥିବା ବେଳେ ତାଙ୍କୁ ଏନେଇ ପଚରାଯାଇଥିଲା। ପ୍ରଶ୍ନ ଶୁଣି ସେ ରାଗି ଯାଇଥିବା ବେଳେ ଶ୍ରୀସନ୍ଥଙ୍କୁ ନେଇ ବଡ଼ କଥା କହିଛନ୍ତି। ଗମ୍ଭୀର ‘ଖେଲୋ ଇଣ୍ଡିଆ’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ଶ୍ରୀସନ୍ଥଙ୍କ ସହ ଝଗଡ଼ା ଉପରେ ପଚରାଯାଇଥିଲା। ପ୍ରଶ୍ନ ଶୁଣି ତାଙ୍କ ମୁହଁର ହାବଭାବ ବଦଳିଯାଇଥିଲା। କାର୍ଯ୍ୟକ୍ରମରେ ସେ ଏହି ଘଟଣା ଉପରେ କଥା ହେବାକୁ ଆସିନାହାନ୍ତି ବୋଲି ରୋକଠୋକ ଶୁଣାଇଥିଲେ। ଏହାପରେ ସେ କହିଥିଲେ ଯେ, ମୁଁ ଯୁବ ଖେଳାଳିଙ୍କୁ ଦେଖିବାକୁ ଆସିଛି। ଏକ ପ୍ଲାଟଫର୍ମ ଦେବାକୁ ଆସିଛି, ଯାହାଦ୍ୱାରା ସେ ନିଜର, ନିଜ ପରିବାର, ରାଜ୍ୟ, ଦେଶର ନା ବଢ଼ାଇପାରିବେ।
https://www.dharitri.com/ତେଲ-ଦର-ବୃଦ୍ଧିକୁ-ନେଇ-ଗ୍ରାହ/
ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୩ ଦିନ ମଧ୍ୟରେ ତେଲ ଦର କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଶୁକ୍ରବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫଳରେ ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୭.୧୧ଟଙ୍କା ଏବଂ ଡ଼ିଜେଲ ୭.୬୭ ଟଙ୍କା ବଢିଛି। ପ୍ରମୁଖ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୧୯ ତାରିଖରେ ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡ଼ିଜେଲ ୬୩ ପଇସା ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲ ଦର ୭୭.୮୧ଟଙ୍କାରୁ ବୃଦ୍ଧି ପାଇ ୭୮.୩୭ ଟଙ୍କା ଏବଂ ଡିଜେଲ ଦର ୭୬.୪୨ଟଙ୍କାରୁ ବୃଦ୍ଧି ପାଇଁ ୭୭.୦୫ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୭୮.୯୦ପଇସା ଓ ଡିଜେଲ ଲିଟର ପିଛା ୭୫.୨୮ ଛୁଇଁଛି।ଦେଶ ଓ ରାଜ୍ୟରେ କ୍ରମାଗତ ଭାବରେ ତେଲ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଶୁକ୍ରବାର ଉଭୟ କଂଗ୍ରେସ ଓ ସିପିଆଇ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।
https://www.dharitri.com/the-baldevjiu-temple-will-open-on-january-3/
ଜାନୁୟାରୀ ୩ରେ ଖୋଲିବ ବଳଦେବଜିଉ ମନ୍ଦିର କେନ୍ଦ୍ରାପଡା ଅଫିସ୍,୧୬।୧୨: କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବାନେଇ ଅନୁମତି ମିଳିଛି। ଏବେ ଅନ୍ୟ ମନ୍ଦିରମାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର। ମନ୍ଦିର ଖୋଲିବା ନେଇ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ସେ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଗୋଟିଏ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଷେଧ ବୋଲି କୁହାଯାଇଛି।
https://www.dharitri.com/ଉଠରେ-ପୁତ-ଉଠ/
ଉଠରେ ପୁତ ଉଠ ଶକୁନ୍ତଳା ପଣ୍ଡା ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ, ଯଥା-ଗ୍ରୀଷ୍ମ, ବର୍ଷା ଓ ଶୀତ। ଶରତ, ହେମନ୍ତ ଓ ବସନ୍ତ ଯାହା ପାଠ୍ୟକ୍ରମରେ ପଢ଼ା ହେଉଛି। ଆଉ ଗୋଟିଏ ଋତୁ ହେଲା ସ୍କୁଲରେ ନାଁ ଲେଖା ଋତୁ, ପିଲାଙ୍କର ପରୀକ୍ଷା ନ ସରୁଣୁ ବାପା ଓ ମା’ ବ୍ୟତିବ୍ୟସ୍ତ ପିଲାର କେଉଁ ସ୍କୁଲରେ ନାଁ ଲେଖାହେବ। ରାତିରେ ଆଖିରୁ ନିଦ ହଜିଯାଉଛି। ଇଂଲିଶମାଧ୍ୟମ ବେସରକାରୀ ସ୍କୁଲ ସବୁ ଗାଁଠୁ ସହରଯାଏ ଛତୁ ଫୁଟିଲାଣି। ଯାହାର ଟିକେ ଅଧିକ ରୋଜଗାର ଅଛି ସେ ଯେମିତି ହେଉ ତା’ ପିଲାକୁ ଇଂଲିଶମାଧ୍ୟମ ସ୍କୁଲକୁ ପଠାଇବ। ସରକାରୀ ସ୍କୁଲ ଉପରୁ ଆମମାନଙ୍କର ଆସ୍ଥା ତୁଟିଗଲାଣି। ଆଗ ଅପେକ୍ଷା ସରକାରୀ ବିଦ୍ୟାଳୟରେ ବହୁତ ସୁବିଧା ହେଲାଣି। ହେଲେ ସ୍କୁଲକୁ ଦେଖି ଅଭିଭାବକ ପିଲା ପଠାଇବାକୁ ନାରାଜ। ପୋଷାକ, ବହିପତ୍ର, ବ୍ୟାଗ୍, ଜୋତା, ସାଇକେଲ, ଖାଇବା ଦେଲେ ବି ପିଲା ହେଉନାହାନ୍ତି। କେଉଁ ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କେଉଁଠି ପିଲା ଅଛନ୍ତି ତ ଶିକ୍ଷକ ନାହାନ୍ତି। ଛାଇ ଆଲୁଅ ଖେଳ ହେଉଛି। ବେସରକାରୀ ସ୍କୁଲରେ ଅଧିକ ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି। ଦେଶରେ କ’ଣ ପାଇଁ ଏ ପରିସ୍ଥିତି? ପିଲାଟିକୁ ପାଠ ପଢାଇବେ ଭବିଷ୍ୟତ ଗଢିବେ। ଗାଁ ଘର ଭିଟାମାଟି ଛାଡି ଇଂଲିଶମାଧ୍ୟମ ସ୍କୁଲରେ ଆମ ପିଲା ପଢିଲେ ଭଲ ମଣିଷ ହେବ, ବଡ ଚାକିରି କରିବ ଓ ବହୁତ ଟଙ୍କା ରୋଜଗାର କରିବ। ଏ ସବୁ ପ୍ରତିଦ୍ୱନ୍ଦ୍ୱିତା ଦେଖି ପିଲାବେଳେ ବୁଢୀମା’ଠାରୁ ଶୁଣିଥିବା କାହାଣୀ ମନେପଡୁଛି- ”ତରୁ ଡାଳେ ବସି ବାହୁନି ବାହୁନି କାନ୍ଦଇ କପୋତ ମାତ, ସେରକ ପୂରିଲା ମାଣକ ପୂରିଲା ଉଠରେ ଉଠରେ ପୁତ।“ ଏହାର ଅର୍ଥ ଗୋଟିଏ ଗଛରେ କୁଆ ଓ କପୋତ ସାଥିହୋଇ ରହୁଥିଲେ। କୁଆ ଗୋଟିଏ ଡାଳରେ ବସା ବାନ୍ଧି ତା’ର ଦୁଇଟି ପିଲାଙ୍କୁ ଧରି ଖୁସିରେ ରହେ। ଦୁଇ ବନ୍ଧୁ ଖୁସିରେ ରହନ୍ତି। ଏମିତି ହସଖୁସିରେ ସମୟ ବିତିଯାଏ। ଦିନକର କଥା- ଏମାନଙ୍କ ପିଲାମାନେ ବଡ଼ ହୋଇଗଲେଣି। ମା’ମାନେ ଭାବିଲେ ଆମ ପିଲା କେଡ଼େ ପାରିବାର ହେଲେଣି ପରୀକ୍ଷା କରିବା। ଦିନେ କୁଆ ମାଣରେ ମାଣେ ଧାନ ଦେଇ କହିଲା ପିଲାଏ, ଏହି ଧାନ ନେଇ କୁଟି ଚାଉଳ କରି ଆଣ ରୋଷେଇ ହେବ। କପୋତ ମଧ୍ୟ ସେହି କଥା ତା’ ପିଲାଙ୍କୁ କହିଲା ଏବଂ ଧାନ ଦେଇ ପଠାଇଲା। କୁଆ ଓ କପୋତର ପିଲାମାନେ ଧାନ ନେଇ ଅଲଗା ଅଲଗା ଦିଗକୁ ଗଲେ କୁଟି ଚାଉଳ ଧରି ଫେରିବେ। ଯଥା ସମୟରେ ପିଲାମାନେ ବସାକୁ ଫେରିଲେ। କୁଆର ପିଲା ଧାନକୁ କୁଟି ତଳେ କୁଣ୍ଡା ଓ ଉପରେ ଚାଉଳ ରଖି ନେଇ ଆସିଛନ୍ତି। କପୋତର ପିଲାମାନେ ଚାଉଳ ଅଲଗା ଓ କୁଣ୍ଡା ଅଲଗା ଆଣିଛନ୍ତି। କୁଆ ଭାରି ଚାଲାକ୍। ସେ କହିଲା, ଦେଖ ମିତ, ମୋ ପିଲା ବେଶି ଆଣିଛି। ତୋ ପିଲାର କମ୍ ଦିଶୁଛି। କପୋତର ଟିକେ ବୁଦ୍ଧି କମ୍। ସେ କିଛି ନ ବୁଝି ତା’ର ପିଲାଙ୍କୁ ପିଟିଲା, ଏତେ ପିଟିଲା ଯେ ସେମାନେ ବେହୋସ ହୋଇଗଲେ। ଆଉ ଜଣେ ସାଥୀ ଆସି କହିଲା, ତୁ ପିଲାକୁ ପିଟିଲୁ କାହିଁକି? କୁଣ୍ଡା ଚାଉଳ ମିଶାଇ ଦେଖ ତୋର ସେତିକି ହେଉଛି କି ନାହିଁ। କପୋତ ସଙ୍ଗେ ସଙ୍ଗେ ମିଶାଇ ଦେଲା। କୁଆର ଯେତିକି ତା’ର ମଧ୍ୟ ସେତିକି ହେଲା। ପିଲାମାନଙ୍କୁ ଖୁସିରେ ଡାକିଲା। ପିଲାଏ ଉଠ, ମୋର ମାଣ ପୂରିଲା ଉଠ, ହେଲେ ପିଲାଏ ଆଉ ଉଠିଲେ ନାହିଁ। ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ସେବେଠାରୁ ଗଛଡାଳରେ ବସି କପୋତୀ ଗୁମୁରି ଗୁମୁରି କାନ୍ଦେ। ପିଲାମାନଙ୍କର କଥା ମନେପକାଏ। କୁଆର ପିଲାଙ୍କୁ ଦେଖି ସେ ମନେ ମନେ ଅନୁତାପ କରେ। ବର୍ତ୍ତମାନ ସମାଜରେ ପିଲା କ’ଣ ଚାହୁଁଛି, ତା’ର କେଉଁ ପାଠରେ ଲକ୍ଷ୍ୟ ଅଛି ନ ବୁଝି ଅଭିଭାବକମାନେ କୁଆ ଓ କପୋତ ପରି ଲଢେଇ କରୁଛନ୍ତି। ପାଠ ବୋଝରେ ପେଷି ହେଉଛନ୍ତି ପିଲାଏ। ସ୍କୁଲ, ଟ୍ୟୁଶନ୍ ଓ ବିଭିନ୍ନ କମ୍ପିଟିଶନ୍ ପରୀକ୍ଷା ଦେଇ ଦେଇ ଥକି ପଡୁଛନ୍ତି। ଟିକେ ଖେଳକୁଦ କରିବାକୁ ସମୟ ପାଉନାହାନ୍ତି। ସେମାନେ ପୁସ୍ତକକୀଟ ପାଲଟି ଯାଉଛନ୍ତି। ଶୈଶବ କେତେ ସୁନ୍ଦର। ଅଢେଇବର୍ଷ ହେଉ ହେଉ ଖେଳ ସ୍କୁଲ ଯାଅ। ଘରେ ନିଦ ଭାଙ୍ଗି ନ ଥିବ, ଏଣେ ସ୍କୁଲ ଭ୍ୟାନ୍ ଆସି ପେଁ ପେଁ କରି ହର୍ନ ମାରିବ। ଖାଅ ନ ଖାଅ ଡ୍ରେସ୍ ଜୋତା ପିନ୍ଧି ରେଡି ହୋଇଯାଅ। ଯେଉଁ ବୟସରେ ମା’ ଓ ଜେଜେମା’ ପଣତରେ ମୁହଁ ପୋଛୁଥିବେ, ନିଦ ଭାଙ୍ଗିବା ପାଇଁ କାହାଣୀ ଶୁଣିବା କଥା, ସେହି ବୟସରେ ବହିବସ୍ତାନି ମୁଣ୍ଡେଇ ଗାଡି ପାଖକୁ ଧାଇଁବାକୁ ବାଧ୍ୟ। ଏହା ହେଉଛି ଆଧୁନିକ ଶିକ୍ଷା ବ୍ୟବସ୍ଥା। ଆଜିକାଲି ଯୁଗରେ କେହି ଅଜଣା ନୁହନ୍ତି। ଦୂରଦର୍ଶନ ଓ
https://www.dharitri.com/ମଦଦୋକାନ-ଉଚ୍ଛେଦ-ନେଇ-ତେଜିଲ/
ମଦଦୋକାନ ଉଚ୍ଛେଦ ନେଇ ତେଜିଲେ ମହିଳା, କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନ ଚେତାବନୀ ଭବାନୀପାଟଣା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମରର ବେଆଇନ ମଦଦୋକାନଗୁଡିକୁ ଉଚ୍ଛେଦ ଦାବିରେ ମହିଳାମାନେ ଭବାନୀପାଟଣା ଅବକାରୀ ଅଧ୍ୟୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ବୟଂସହାୟକ ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ଦାବିପତ୍ର ପ୍ରଦାନ କରିଥିଲେ। ପତ୍ରରେ ଗ୍ରାମରେ ସ୍କୁଲ ସାମ୍ନାରେ, ମୁଖ୍ୟ ଛକରେ ଓ ବିଭିନ୍ନ ସ୍ଥାନରେ ମୋଟ ୬ ଗୋଟି ମଦ ଦୋକାନ ବେଆଇନ ଭାବେ ଚାଲୁଥିବାରୁ ଭିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ମଦ ପିଇ ଅସାମାଜିକ ଲୋକମାନେ ନାନା ବିଶୃଙ୍ଖଳା ସୃଷ୍ଟି କରିବା ସହ ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଫଳରେ ଗାଁରେ ଝିଅ ଭଉଣୀମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଗତ ୧୭ ତାରିଖରେ ଗାଁର ମହିଳା ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଏକ ସଭା କରାଯାଇ ପରଲସିଙ୍ଗାକୁ ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ମଦଦୋକାନଗୁଡିକୁ ସୂଚନା ଦିଆଯାଇଥିଲା। ମଦ ଦୋକାନୀମାନେ ଏଥିପାଇଁ କିଛି ସମୟ ମାଗିଥିଲେ। ମାତ୍ର ଏପର୍ଯ୍ୟନ୍ତ ଗାଁରେ ମଦ ବିକ୍ରି ଚାଲୁଛୁ। ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ମଦ ବିରୋଧୀ ଗ୍ରାମବାସୀ ବେଆଇନ ମଦ ଦୋକାନଗୁଡିକୁ ବନ୍ଦ କରିବା ପାଇଁ ଅବକାରୀ ଅଧ୍ୟୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବାଧ୍ୟ ହୋଇ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
https://www.dharitri.com/କରୋନା-ପାଇଁ-ସାମାଜିକ-ଦୂରତା/
କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାପାନର ବିଜନେସ୍ ବ୍ରେକଥ୍ରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଦୀକ୍ଷାନ୍ତ ସମାରୋହ ପାଳନ କରାଯାଇଛି । ସ୍ଥାନୀୟ ହୋଟେଲ ଗ୍ରାଣ୍ଡ୍ ପ୍ୟାଲେସଠାରେ ଆୟୋଜିତ ହୋଇଥିବା ଏହି ସମାରୋହରେ ଛାତ୍ରୀଛାତ୍ରଙ୍କ ବଦଳରେ ରୋବୋ ଡିଗ୍ରୀ ପ୍ରମାଣପତ୍ର ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଛି । ରୋବୋଠାରେ ଲଗାଯାଇଥିବା ଆଇପଡ ମାଧ୍ୟମରେ ଛାତ୍ରୀଛାତ୍ରୀ ସମାରୋହଭ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିଛନ୍ତି । ଏହି ଅବସରରେ ୪ଜଣଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଟୋକିଓରେ ଲକଡାଉନ୍ ଜାରି ନ ହୋଇଥିଲେ ମଧ୍ୟ ଲୋକେ ସଚେତନତ ହୋଇ ସାମାଜିକ ଦୂରତାା ବଜାୟୀ ରଖୁଛନ୍ତି ।
https://www.dharitri.com/reshuffle-in-oas-officer-level-ashish-kumar-jena-to-be-given-charge-of-joint-src/
ଓଏଏସ୍‌ ଅଫିସରସ୍ତରରେ ବଦଳି: ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସ୍‌ଆର୍‌ସି ଦାୟିତ୍ୱ ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍ ଅଫିସର ସ୍ତରରେ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ(ରୋଟି) ଯୁଗ୍ମ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଫିସର ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସ୍ଆର୍ସି(ସ୍ବତନ୍ତ୍ର ରିଲିଫ କମିଶନର) ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ଅଫିସର ବୈତୁରା ଦୀପଙ୍କୁ ରୋଟି ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କର ଖୋର୍ଦ୍ଧା ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳିକୁ ବାତିଲ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଓଏସ୍ଡି ଭାବେ କାର୍ଯ୍ୟରତ ଓଏଏସ୍ ଅଫିସର ସରିତା ପ୍ରଧାନଙ୍କୁ ଉପନିର୍ଦ୍ଦେଶକ,ନିଯୁକ୍ତି(ପ୍ରଶାସନ) ଭାବେ ବଦଳି କରାଯାଇଛି। ବଲାଙ୍ଗୀର ଜିଲା ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓଏସ୍ଡି ଏବଂ ଢେଙ୍କାନାଳ ଜିଲା ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁଙ୍କୁ ମିଶନ ଶକ୍ତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।
https://www.dharitri.com/gst-rade-on-cycle-stores/
ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍‌ଟି ଚଢ଼ାଉ ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକରେ ରହିଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଗୁରୁବାର ଜିଏସ୍ଟି ଚଢ଼ାଉ ହୋଇଥିଲା। ଟିକସ ଫାଙ୍କିଥିବା ଅଭିଯୋଗରେ ବରଗଡ଼ର ସିଟି ଜିଏସଟି ଡେପୁଟି କମିଶନର ନାଭିଦିତ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା। ସମ୍ପୃକ୍ତ ସାଇକେଲ ଷ୍ଟୋର ମାଲିକଙ୍କ ରେଳ ଷ୍ଟେଶନସ୍ଥିତ ଗୋଦାମ ଏବଂ ତାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ଏକକାଳୀନ ୩ଟି ସ୍ଥାନରେ ହୋଇଥିବା ଏହି ଚଢ଼ାଉରେ ସିଟି ଜି.ଏସ.ଟି ବିଭାଗର ବରଗଡ଼ ଓ ସମ୍ବଲପୁର ସର୍କଲ କର୍ମଚାରୀମାନେ ସାମିଲ ଥିଲେ। ତେବେ ଚଢ଼ାଉ ସରିବା ପରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି ସିଟି ଜିଏସ୍ଟି ଡେପୁଟି କମିଶନର ନାୟକ କହିଛନ୍ତି।
https://www.dharitri.com/si-was-removed-from-tamka-police-station/
ଟମକା ଥାନାରୁ ଏସ୍‌ଆଇଙ୍କୁ ହଟାଗଲା ଯାଜପୁର ଅଫିସ,୧୮।୮: ଯାଜପୁର ଜିଲା ଟମକା ଥାନା ଏସ୍ଆଇ ମହମ୍ମଦ ସିରାଜଙ୍କ ଅର୍ଥ ଆଦାୟ ଭିଡିଓ ଭାଇରାଲ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଧରିତ୍ରୀରେ ଖବର ପ୍ରକାଶନ ଏବଂ ମାନବାଧିକାର ସୁରକ୍ଷା କର୍ମୀ ବ୍ରଜମନ ବିଶ୍ୱାଳଙ୍କ ଟୁଇଟ୍ ଆଧାରରେ ଡିଜିପି ଅଭୟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଏସ୍ପି ଚରଣସିଂ ମୀନା ଏସ୍ଆଇ ସିରାଜଙ୍କୁ ଟମକା ଥାନାରୁ ହଟାଇନେଇ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଛନ୍ତି। କଳିଙ୍ଗନଗର ଅତିରିକ୍ତ ଏସ୍ପି ଜୟରାମ ଶତପଥୀଙ୍କୁ ଅଭିଯୋଗର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଏସ୍ଆଇ ସିରାଜ ହାଫ୍ ପ୍ୟାଣ୍ଟ ଓ ଟି-ଶାର୍ଟରେ ପୋଲିସ ଗାଡ଼ିରେ ରହି ସୁକିନ୍ଦା ଅଞ୍ଚଳର ଜଣେ ଯୁବକଙ୍କୁ ୨ ହଜାର ଟଙ୍କା ବାହାର କର ନ ହେଲେ ୧୦ ହଜାର ଟଙ୍କା ଫାଇନ କରିବି ବୋଲି ଧମକ ଦେଉଥିବା ଉକ୍ତ ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳୁଛି। ଯୁବକ ଜଣକ ମା’ ମରିଯାଇଥିବା କଥା କହି କାକୁତିମିନତି ହେଉଥିଲେ ହେଁ ଏସ୍ଆଇ ସିରାଜ ହାତରେ ଏକ ମେଶିନ ଧରି ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି। ଏହାସହ କାହିଁକି ବାଇକରେ ମାଡିକି ଆସିଲୁ ବୋଲି ପ୍ରଶ୍ନ କରିବା ସହ ତୋ ମା’ ମରିଗଲେ ମୁଁ କ’ଣ କରିବି ବୋଲି ସେ କହିଥିବା ଭିଡିଓରୁ ଜଣାପଡ଼ିଛି। ଉକ୍ତ ଭିଡିଓଙ୍କୁ ଢେଙ୍କାନାଳ ଜିଲାର ମାନବାଧିକାର ସୁରକ୍ଷା କର୍ମୀ ବିଶ୍ୱାଳ ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ, ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
https://www.dharitri.com/860-crore-worth-of-heroin-seized/
୮୬୦ କୋଟି ଟଙ୍କାର ହେରୋଇନ୍‌ ଜବତ ନୂଆଦିଲ୍ଲୀ, ୯।୫: ଦିଲ୍ଲୀ ପୋଲିସ ଶନିବାର ଆଫଗାନ ଦମ୍ପତିଙ୍କଠାରୁ ୧୨୫ କିଲୋଗ୍ରାମ ହେରୋଇନ୍ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮୬୦ କୋଟି ଟଙ୍କା ହେବ। ଏହି ଦମ୍ପତି ଓ୍ବାଜିରାବାଦର ଏକ ଭଡ଼ାଘରେ ରହୁଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ଏତେ ପରିମାଣରେ ମାଦକଦ୍ରବ୍ୟ ଜବତ କରିବା ଦିଲ୍ଲୀ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ରାଜଧାନୀରେ ନିଶା ଚୋରା କାରବାର ସମ୍ପର୍କରେ ପଶ୍ଚିମ ଦିଲ୍ଲୀର ବିଭିନ୍ନ ଥାନାକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଏସିପି ଜଗପାଲ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ନିଶାବେପାରୀଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ଖୟାଲାରେ ଥିବା ଏକ ଗ୍ୟାସ୍ ଏଜେନ୍ସି ନିକଟକୁ ହେରୋଇନ୍ ବେପାରୀମାନେ ଆସୁଥିବା ଖବର ପାଇ ପୋଲିସ ଉକ୍ତ ଅଞ୍ଚଳ ଉପରେ ନଜର ରଖିଥିଲା। ଗଣ୍ଡା ନାଲା ନିକଟରେ ଏକ କାର୍ରେ ଅପେକ୍ଷା କରିଥିବା ଆଫଗାନ ଦମ୍ପତିଙ୍କୁ ସନ୍ଦେହ କରି ପୋଲିସ ଟିମ୍ ସେମାନଙ୍କ କାର ତଲାସି କରିବାରୁ ୧୨୫ କିଲୋଗ୍ରାମ ହେରୋଇନ ମିଳିଥିଲା।
https://www.dharitri.com/pl-ticket-price-rcb-vs-csk-42000-ticket-rate/
ଆଇପିଏଲ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍‌ସିବି-ସିଏସ୍‌କେ ମ୍ୟାଚ୍‌ ! ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏଭଳି ଦୁଇଟି ଟିମ୍, ଯାହାର ପ୍ରଶଂସକ ବହୁତ ଅଧିକ ଅଛନ୍ତି। ହେଲେ ଉଭୟ ଟିମ୍ର ମ୍ୟାଚ୍ ଦେଖିବା ଲାଗି ଏଥର ପ୍ରଶଂସକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ଟିକେଟ ଦାମ ରେକର୍ଡସ୍ତରରେ ଅଧିକ ରହିଛି। ଏପ୍ରିଲ ୧୭ରେ ସିଏସ୍କେ-ଆର୍ସିବି ମଧ୍ୟରେ ମୁକାବିଲା ହେବ। ନିକଟରେ ଆର୍ସିବି ଏହି ମ୍ୟାଚ୍ ଲାଗି ଟିକେଟ ବୁକିଂ ଆରମ୍ଭ କରିଛି। ମ୍ୟାଚ୍ର ସବୁଠାରୁ ଶସ୍ତା ଟିକେଟ ୨,୪୦୫ ଟଙ୍କାରେ ଉପଲବ୍ଧ ହେଉଛି। ସେହିଭଳି ସବୁଠାରୁ ମହଙ୍ଗା ଟିକେଟ ୪୨,୩୫୦ ଟଙ୍କାର ରହିଛି। ସାଧାରଣ ବର୍ଗରେ ସବୁଠାରୁ ମହଙ୍ଗା ଟିକେଟ ୩,୪୩୭ ଟଙ୍କାର ରହିଛି। ସେହିଭଳି ସ୍ବତନ୍ତ୍ର କାଟାଗୋରୀରେ ସବୁଠାରୁ ଶସ୍ତା ଟିକେଟ ୪୮୪୦ ଟଙ୍କାର ରହିଛି। କହିରଖୁଛୁ, ଏମ୍ଏସ୍ ଧୋନୀଙ୍କର ଏହା ଅନ୍ତିମ ଆଇପିଏଲ୍ ହୋଇପାରେ। ଏଣୁ ପ୍ରଶଂସକ କୋହଲି-ଧୋନୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ଉତ୍ସାହିତ ଅଛନ୍ତି।
https://www.dharitri.com/maa-sita-household-items-from-janakpur/
ମା’ ସୀତାଙ୍କ ବାପଘରୁ ଅଯୋଧ୍ୟାକୁ ଆସିଲା ଘରକରଣା ସାମଗ୍ରୀ, ୨୨ରେ ଗୃହ ପ୍ରବେଶ ଅଯୋଧ୍ୟା,୬ା୧: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି। ଏହି କ୍ରମରେ ମା’ ସୀତାଙ୍କ ବାପଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶାଶୁ ଘରେ ପହଞ୍ଚିଛି। ୨୨ରେ ରାମଲାଲାଙ୍କ ସିଂହାସନ ଆରୋହଣ ପରେ ମା’ ସୀତାଙ୍କ ଗୃହ ପ୍ରବେଶ ହେବ। ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିବ। କାରଣ ଏହି ମନ୍ଦିର ୩ ମହଲା ବିଶିଷ୍ଟ ହେବ। ଏବେ ମନ୍ଦିରର ପ୍ରଥମ ମହଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ମନ୍ଦିରର ଦୈର୍ଘ୍ୟ (ପୂର୍ବରୁ ପଶ୍ଚିମ) ୩୮୦ ଫୁଟ, ମୋଟେଇ ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ହେବ। ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଗୋଟିଏ ବି ଗ୍ରାମ୍ ଲୁହା ବ୍ୟବହାର କରାଯାଇ ନାହିଁ। ପାରମ୍ପାରିକ ନଗର ଶୈଳୀରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଲୁହା ବ୍ୟବହାର ନ ହେବା ହେତୁ ଏହି ମନ୍ଦିରର ବୟସ ଅତି କମ୍ରେ ଏକ ହଜାର ବର୍ଷ ହେବ। ନେପାଳର ଜନକପୁର ଧାମର ୫୦୦ ଲୋକ ମା’ ସୀତାଙ୍କ ପାଇଁ ସାମଗ୍ରୀ ନେଇ ଅଯୋଧ୍ୟାକୁ ଆସିଛନ୍ତି। ପରମ୍ପରା ହେଉଛି ଯେ, ଯେତେବେଳେ ବି ଘରର ଉତ୍ସବ ସମାରୋହ ହୁଏ, ଜିନିଷଗୁଡ଼ିକ ବାପଘରୁ ଶାଶୁଘରକୁ ଆସିଥାଏ । ତେଣୁ ଜନକପୁରର ଲୋକମାନେ ବର୍ତ୍ତମାନ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହି ସାମଗ୍ରୀରେ ଫଳ, ପନିପରିବା, ଶସ୍ୟ, ତେଲ, ଅଳଙ୍କାର, ଟଙ୍କା, ମିଠା ଏବଂ ପାତ୍ର ରହିଛି। କେବଳ ଏତିକି ନୁହେଁ, ନେପାଳରୁ ମହିଳାମାନେ ମଧ୍ୟ ଆସିଛନ୍ତି ଏବଂ ସେମାନେ ନିଜକୁ ମାତା ସୀତାଙ୍କର ବନ୍ଧୁ ବୋଲି କହୁଛନ୍ତି। ମହିଳାମାନେ କହିଛନ୍ତି, ସେମାନେ ତାଙ୍କ ମାତୃ ଘରୁ ମା’ ସୀତାଙ୍କ ପାଇଁ ଉପହାର ଆଣିଛନ୍ତି। ଲାଗୁଛି ଯେପରି ନେପାଳରୁ ଆସୁଥିବା ଲୋକମାନେ ନାଚ ଓ ଗୀତ କରି ଅଯୋଧ୍ୟାରେ ପହଞ୍ଚିବା ଉତ୍ସବ ପାଳନ କରୁଛନ୍ତି। ଏହା ବ୍ୟତୀତ ଜନକପୁର ଧାମରୁ ମା’ ସୀତାଙ୍କ ପାଇଁ କିଛି ସ୍ବତନ୍ତ୍ର ରୁପା ଅଳଙ୍କାର ମଧ୍ୟ ଆସିଛି। ଯେତେବେଳେ ଶ୍ରୀ ରାମ ବସିବେ, ସେତେବେଳେ ମା’ଙ୍କ ପ୍ରବେଶ ସ୍ଥାନ ହେବ। ଅଯୋଧ୍ୟା ରାମ ମନ୍ଦିରରେ ୪୪ଟି କବାଟ ଲଗାଯିବ। ସେଥିମଧ୍ୟରୁ ୧୮ଟି କବାଟ ସୁନାରେ ସଜାଯିବ। ଏହା ବ୍ୟତୀତ ମନ୍ଦିରରେ ୩୯୨ସ୍ତମ୍ଭ ରହିବ। ସ୍ତମ୍ଭ ଉପରେ ଦେବତା ଏବଂ ଦେବୀଙ୍କ ପ୍ରତିମା ମଧ୍ୟ ତିଆରି ହେବ। କେବଳ ଏତିକି ନୁହେଁ, ମନ୍ଦିର ତିନୋଟି ପର୍ଯ୍ୟାୟରେ ନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମାପ୍ତ ହୋଇଛି। ଜାନୁଆରୀ ୨୨ରେ, ପ୍ରଭୁ ରାମ ତାଙ୍କ ମହାନ ମହଲରେ ବସିବେ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ଜାନୁଆରୀ ୨୦୨୪ସୁଦ୍ଧା ଶେଷ ହେବ ଏବଂ ଜାନୁଆରୀ ୨୦୨୫ସୁଦ୍ଧା ସମଗ୍ର ମନ୍ଦିର ନିର୍ମାଣ ସରିବ।
https://www.dharitri.com/ବରେଲି-ବଜାରରେ-୩୦-ଫୁଟର-ଝୁମ୍/
ବରେଲି ବଜାରରେ ୩୦ ଫୁଟର ଝୁମ୍‌କା ବଲିଉଡ୍ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍କା ଗିରା ରେ ବରେଲି କେ ବାଜାର ମେଁ’ ସମସ୍ତେ ଶୁଣିଥିବେ। ଏବେ ଏହି ଝୁମ୍କାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ବରେଲି। ଏଠାରେ ନିର୍ମାଣ କରାଯାଉଥିବା ୩୦ ଫୁଟର ଝୁମ୍କା ଏବେ ଦର୍ଶକଙ୍କୁ ଆକର୍ଷିତ କରୁଛି। ଝୁମକା ପାଇଁ ବରେଲି ପରିଚିତ ଥିବାରୁ ଏବେ ସେଠାରେ ଝୁମ୍କା ସ୍କୋୟାର ତିଆରି କରାଯାଉଛି। ବିଡିଏର ବିଦ୍ୟା ମିତ୍ତଲ ଓ ଡାକ୍ତର କେଶବ ଅଗ୍ରଓ୍ବାଙ୍କ ମିଳିତ ଉଦ୍ୟମରେ ଜିରୋ ପଏଣ୍ଟର ପରସାଖେଡାରେ ଝୁମ୍କା ସ୍କୋୟାର ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ପାଖାପାଖି ୩୦ ଫୁଟ ଥିବା ବେଳେ ଏଥିପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ଓ ଏହା ପିତ୍ତଳରେ ନିର୍ମାଣ କରାଯାଇଛି ବୋଲି କୁହାଯାଉଛି। ଏହାକୁ ନିର୍ମାଣ କରିବା ପାଇଁ ବହୁ ଆଗରୁ ଫାଉଣ୍ଡେଶନ କାମ ଆରମ୍ଭ କରାଯାଇଛି। ଏତେବଡ ଝୁମ୍କାର ଡିଜାଇନ ଗୁରୁଗ୍ରାମରେ କରାଯାଇଛି। ଏବେ ଏହା ଶେଷ ପର୍ଯ୍ୟାୟରେ ଥିବା ବେଳେ ଏହା ଦିଲ୍ଲୀ ଆଡକୁ ଯାଉଥିବା ରାସ୍ତା ଜିରୋ ପଏଣ୍ଟରେ ଲଗାଯାଇଛି।
https://www.dharitri.com/harmanpreet-is-corona-positive/
ହରମନପ୍ରୀତ୍‌ଙ୍କୁ କରୋନା ପଟିଆଲା, ୩୧ା୩ (ପି.ଟି.)-ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳ ଅଧିନାୟିକା ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ନୌଠାରେ ମାର୍ଚ୍ଚ ୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଅନ୍ତର୍ଜାତୀୟ ଦିନିକିଆରେ ଆଘାତପ୍ରାପ୍ତ ହେବାରୁ ତାଙ୍କୁ ଏହି ଦେଶ ବିପକ୍ଷ ଟି୨୦ ସିରିଜରେ ଖେଳାଯାଇ ନ ଥିଲା। ୪ ଦିନ ହେଲା ସାମାନ୍ୟ ଜ୍ୱର ଅନୁଭବ କରିବାରୁ ସୋମବାର ସେ ତାଙ୍କର କୋଭିଡ୍ ଟେଷ୍ଟ କରାଇଥିଲେ। ମଙ୍ଗଳବାର ଫଳାଫଳ ପଜିଟିଭ ଆସିବାପରେ ସେ ନିଜ ଘରେ ଆଇସୋଲେଶନରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳୁଥିବାବେଳେ ହରମନପ୍ରୀତ୍ଙ୍କର ନିୟମିତ ଟେଷ୍ଟ କରାଯାଉଥିଲା। ତେଣୁ ସିରିଜ ପରେ ସେ କରୋନା ସଂକ୍ରମିତ ହୋଇଛନ୍ତି। ଦିନିକିଆ ସିରିଜ ଖେଳୁଥିବାବେଳେ ସେ ଭଲ ଫର୍ମରେ ଥିଲେ। ଏହି ସମୟରେ ସେ ଗୋଟିଏ ଅର୍ଦ୍ଧଶତକ ଓ ୪୦ ରନ ସଂଗ୍ରହ କରିଥିଲେ। ୧୨ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଭାରତ ଉଭୟ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ସିରିଜରେ ପରାଜି ହୋଇଥିଲା।
https://www.dharitri.com/shah-will-come-to-nimapada-on-28th/
୨୮ରେ ନିମାପଡ଼ା ଆସିବେ ଶାହା ନିମାପଡ଼ା,୨୭ା୫(ବିଚିତ୍ରାନନ୍ଦ ସାହୁ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୮ ତାରିଖରେ ନିମାପଡ଼ା ଗସ୍ତରେ ଆସୁଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମର ସଫଳତା, ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ପି ଦେବବ୍ରତ ଚକ୍ର, ପୋଲିସ ଏସ୍ଡିପିଓ ପ୍ରଭାତ ମଲ୍ଲିକ, ଆଇଆଇସି ବାମଦେବ ସ୍ବାଇଁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ତହସିଲଦାର ବସନ୍ତ ହାତୀ, ଅଗ୍ନିସେବା ସଂସ୍ଥା, ପୂର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଭାରତ ସରକାରଙ୍କ ପୋଲିସ ବିଭାଗର ପଦସ୍ଥ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, ଜିଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ୨ଟି ହେଲିପ୍ୟାଡ ସ୍ଥଳ, କାରକେଡ୍ ପଥ, ସଭାସ୍ଥଳ, ହେଲିପ୍ୟାଡ୍ରୁ ସଭାସ୍ଥଳକୁ ଯାତାୟାତ ପଥ ଆଦି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯାନବାହନ ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀଙ୍କ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, କମାଣ୍ଡାଣ୍ଟ, ସିକ୍ୟୁରିଟି ଉଇଙ୍ଗ୍ସ ବିଭାଗର ପ୍ରାୟ ୧୫ ଜଣିଆ ସେଣ୍ଟ୍ରାଲ ପୋଲିସ ଟିମ୍ ସ୍ବତନ୍ତ୍ର ଭାବେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ସମାରୋହରେ ଭାଜପାର ବହୁ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ ବୋଲି ଜଣାପଡ଼ିଛି।
https://www.dharitri.com/more-dead-sea-creatures-than-ever-before-washing-up-on-stretch-of-uk-coast/
କୂଳରେ କୁଢ଼ କୁଢ଼ ସାମୁଦ୍ରିକ ଜୀବଙ୍କ ମୃତଦେହ ଲଣ୍ଡନ,୨୭।୧୦: ହଜାର ହଜାର ସଂଖ୍ୟା ସାମୁଦ୍ରିକ ଜୀବଙ୍କ ମୃତଦେହ ମିଳିଛି ୟୁକେର ଉତ୍ତର ପୂର୍ବ କୂଳରେ। ମାର୍ସକେ ଓ ସଲ୍ଟବର୍ନ କୂଳରେ କଙ୍ଗଡ଼ା, ବିଭିନ୍ନ ପ୍ରଜାତିର କୋଟାସିଆନ, ଲବଷ୍ଟରଙ୍କ ମୃତଦେହ ପଡ଼ିଛି। ଏତେ ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ପଛର କାରଣ ଜଣା ପଡ଼ି ନାହିଁ। କିନ୍ତୁ ଏଥି ଲାଗି ପ୍ରଦୂଷଣ ଏକ କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏଭଳି ଦୃଶ୍ୟ ପୂର୍ବରୁ କଦାପି ଦେଖିବାକୁ ମିଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନଭାରମେଣ୍ଟ ଏଜେନ୍ସି ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ସେମାନେ ସାମୁଦ୍ରିକ ଜୀବଙ୍କ ମଢ଼କ ପଛର କାରଣ ଖୋଜୁଛନ୍ତି। ପାଣି, ସେଡିମେଣ୍ଟ ଓ ମୃତ କଙ୍କଡ଼ାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ଆନାଲିସିସ୍ ପରେ ସେମାନଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ିଛି ବୋଲି ଜଣେ ତଟରକ୍ଷ ଅଧିକାରୀ କହିଛନ୍ତି।
https://www.dharitri.com/advanced-research-needed-in-computer-engineering/
‘କମ୍ପ୍ୟୁଟର ଇଞ୍ଜିନିୟରିଂରେ ଉଚ୍ଚତର ଗବେଷଣା ଆବଶ୍ୟକ’ କଟକ,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ’ ପକ୍ଷରୁ ନିକଟରେ ଏକ ୨ ଦିନିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ‘ଇଣ୍ଟରନ୍ୟାଶନାଲ କନ୍ଫରେନ୍ସ ଅନ୍ ଆଡଭାନ୍ସ କମ୍ପ୍ୟୁଟିଂ ଆଣ୍ଡ ଇଣ୍ଟେଲିଜେଣ୍ଟ ଇଞ୍ଜିନିୟରିଂ’ (ଆଇସିଏସିଆଇଇ-୨୦୨୨) ଶୀର୍ଷକ ବିଷୟବସ୍ତୁ ଉପରେ ୭ମ ଆନ୍ତର୍ଜାତିକ ସମ୍ମିଳନୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୨ ଦିନିଆ ଜାତୀୟ ସମ୍ମିଳନୀରେ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଇଞ୍ଜିନିୟରମାନେ ମଧ୍ୟ ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ। ସେହିଭଳି ଉକ୍ତ କର୍ମଶାଳାରେ କମ୍ପ୍ୟୁଟର ଜ୍ଞାନକୌଶଳ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ତା‘ର ଉପଯୋଗିତା ସମ୍ପର୍କିତ ୫୬ଟି ମନୋନୀତ ଗବେଷଣାମତ୍କ ନିବନ୍ଧ ମଧ୍ୟ ଉପସ୍ଥାପିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଉକ୍ତ ସମ୍ମିଳନୀକୁ ଉଦଘାଟନ କରି ଛାତ୍ରୀଛାତ୍ର ଓ ଗବେଷକଙ୍କ ପାଇଁ ଏହା ବେଶ୍ ପ୍ରେରଣାଦାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ ସୁଦୃଢ ହେଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସେହିପରି ଟିସିଏସ୍ର ବରିଷ୍ଠ ବିଜ୍ଞାନୀ ଡ. ହେମନ୍ତ କୁମାର ରଥ,ମରିସସ୍ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସିଭେନ୍ ଆମିିକ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ମିଳନୀର ସୁଦୂରପ୍ରସାରୀ ପ୍ରଭାବ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
https://www.dharitri.com/third-test-against-australia-natarajan-chance-for-shardul/
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ: ନଟରାଜନ, ଶାର୍ଦ୍ଦୁଳଙ୍କୁ ସୁଯୋଗ ମେଲବୋର୍ନ, ୨।୧(ପି.ଟି.)- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି। ଆହତ ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି ନଟରାଜନ। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ସାମିଲ କରାଯାଇଛି। ମେଲବୋର୍ନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ୩ୟ ଦିବସରେ ଉମେଶଙ୍କ ଗୋଡ଼ ପୁଟିଆ ମାଂସପେଶୀ ଟାଣି ଧରିଥିଲା। ଆଗାମୀ ୨ ଟେଷ୍ଟ ଅବଧି ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମ୍ଭାବନା କମ୍ ରହିଛି। ତେଣୁ ସେ ସିରିଜରୁ ଓହରି ଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ତେଣୁ ଜାତୀୟ ସିନିୟର ଚୟନ କମିଟି ତାଙ୍କ ବଦଳ ଖେଳାଳିଭାବେ ନଟରାଜନଙ୍କୁ ବାଛିଛନ୍ତି। ସେହିପରି ଡାହାଣ ହାତ ଭାଙ୍ଗିଥିବାରୁ ଶାମି ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ନିଆଯାଇଛି ବୋଲି ସେ କହିଛନ୍ତି। ଆହତ ଅବସ୍ଥାରୁ ମୁକୁଳିବାପାଇଁ ଉଭୟ ଉମେଶ ଓ ଶାମି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ। ୨୯ ବର୍ଷୀୟ ନଟରାଜନ ଜଣେ ନେଟ୍ ବୋଲରଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ପରେ ସେ ଦିନିକିଆ ଓ ଟି୨୦ ଦଳରେ ସାମିଲ ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରି ୮ଟି ଉଇକେଟ ନେଇଥିଲେ। ତାମିଲନାଡ଼ୁ ପକ୍ଷରୁ ୨୦ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିବା ନଟରାଜନ ଏବେ ଟେଷ୍ଟ ଦଳରେ ସାମିଲ ହେବାର ସୌଭାଗ୍ୟ ପାଇଛନ୍ତି। ରୋହିତ ଶର୍ମା କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବାପରେ ଦଳରେ ଯୋଗ ଦେଇଛନ୍ତି। ସିରିଜ ୧-୧ ସ୍ଥିତିରେ ଥିବାବେଳେ ତୃତୀୟ ଟେଷ୍ଟ ଚଳିତମାସ ୭ ତାରିଖରେ ସିଡ୍ନୀରେ ଆରମ୍ଭ ହେବ। ଭାରତୀୟ ଦଳ: ଅଜିଙ୍କ୍ୟ ରାହାନେ (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ’, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁବମନ ଗିଲ୍, ରିଦ୍ଧିମାନ ଶାହା, ରିଷଭ ପନ୍ତ, ଯଶପ୍ରୀତ୍ ବୁମ୍ରା, ନଭଦୀପ ସଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ।
https://www.dharitri.com/the-government-has-increased-the-food-subsidy-for-patients-by-30-percent/
ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି କଲେ ସରକାର, ଖର୍ଚ୍ଚ ହେବ ୬୪ କୋଟି ଟଙ୍କା ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶା ସରକାର ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ଯୋଗାଇ ଦିଆଯାଉଛି। ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନ୍ଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ୪୨ ଲକ୍ଷରୁ ଅଧିକ ରୋଗୀ ଉପକୃତ ହେବେ। ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ, ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ
https://www.dharitri.com/sambalpur-lost-to-malkangari/
ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍) ଉଦ୍ଘାଟିତ ହୋଇଯାଇଛି। ଫୁଟ୍ବଲ୍ ଆସୋସିଏଶନ ଅଫ୍ ଓଡ଼ିଶା(ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। ଜିଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବରଗଡ଼ ଜୋନ୍ ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓର ଉପସଭାପତି ରବି ନାରାୟଣ ପଣ୍ଡା, ଜିଲା କ୍ରୀଡ଼ା ସଂସଦର ଉପସଭାପତି ଯୁଗଳ ପ୍ରସାଦ ସିଂ, ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଫୁଟବଲ ସମ୍ପାଦକ ଶେଖ୍ ଶବଦର, କୋଷାଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର୍ ଗେମ୍ସ ସମ୍ପାଦକ ସୁରେଶ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପୂର୍ବତନ ଖେଳାଳି କୁମର ମହାରଣା, କମଳ ଲୋଚନ ନାୟକ, ଜ୍ଞାନରଞ୍ଜନ ପୂଜାରୀ, ଗଙ୍ଗା ନାୟକ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ପ୍ରୀତମ୍ ସିଂ, ସନ୍ତୋଷ ପଣ୍ଡା, ନବୀନ ଲାଠ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଏବଂ ମାଲକାନଗିରି ଜିଲା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ପ୍ରତିପକ୍ଷକୁ ୩-୧ ଗୋଲ୍ରେ ହରାଇ ବିଜୟୀ ହୋଇଥିଲା। ସମ୍ବଲପୁର ଦଳ ପକ୍ଷରୁ ସଞ୍ଜୟ ଖଡ଼ିଆ ୨ଟି ଗୋଲ୍ ଦେଇଥିବାବେଳେ ଆକାଶ ସାହୁ ଗୋଟିଏ ଗୋଲ୍ ଦେଇଥିଲେ। ସେହିପରି ମାଲକାନଗିରି ଦଳ ପକ୍ଷରୁ ପ୍ରଶାନ୍ତ ମାଛ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଉକ୍ତ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ଭାବେ ସଞ୍ଜୟ ଖଡ଼ିଆ ପୁରସ୍କୃତ ହୋଇଥିଲେ। ଉକ୍ତ ମ୍ୟାଚ୍କୁ ଶୁଭମ୍ ପାତ୍ର ପରିଚାଳନା କରିଥିବାବେଳେ ନିତ୍ୟାନନ୍ଦ ମେହେର, ରୋଶନ ଖାଁ ସହଯୋଗ କରିଥିଲେ। ଚକ୍ରଧର ଛତର ଚତୁର୍ଥ ରେଫେରୀ ଥିଲେ। ସେହିପରି ବରଗଡ଼ ଓ କେନ୍ଦୁଝର ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ହୋଇଥିଲା। ଉକ୍ତ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ୍ ସ୍କୋର କରି ପାରି ନ ଥିଲେ। ଫଳରେ ମ୍ୟାଚ୍ଟି ଅମୀମାଂସିତ ରହିଥିଲା। ବରଗଡ଼ ଦଳର ୮ ନମ୍ବର ଖେଳାଳି ପ୍ରଭାତ ଡନସନା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସହଦେବ ମୁନିମ ମ୍ୟାଚ୍ ପରିଚାଳନା କରଥିବାବେଳେ ଜି. ସୁରେଶ କୁମାର, ଜିତେନ୍ଦ୍ରୀୟ ଥନାପତି ସହଯୋଗ କରିଥିଲେ। ଜଗନ୍ନାଥ ମାଝୀ ଚତୁର୍ଥ ରେଫେରୀ ଥିଲେ। ଗୁରୁବାର କଲାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍ ଏବଂ ବଲାଙ୍ଗୀର ଓ କନ୍ଧମାଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
https://www.dharitri.com/ବୁର୍କିନା-ଫାସୋ-ଭାରତଠାରୁ-ଆ/
ବୁର୍କିନା ଫାସୋ ଭାରତଠାରୁ ଆଗରେ **ଏ. ସୂର୍ଯ୍ୟ ପ୍ରକାଶ** ପ୍ୟାରିସରେ ଥିବା ସୁନାମଧନ୍ୟ ଏନ୍ଜିଓ ‘ରିପୋଟର୍ସ ୱିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ତାହାର ସଦ୍ୟତମ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରିଛି। ଏହି ସୂଚକାଙ୍କରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଉପଲବ୍ଧ ସ୍ବାଧୀନତାର ମାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ସେହି ସୂଚକାଙ୍କରେ ଭାରତ ମଧ୍ୟ ସ୍ଥାନ ପାଇଛି। ଭାରତ ହେଉଛି ବିଶ୍ୱର ସର୍ବବୃହତ୍, ସକ୍ରିୟ ତଥା ଉଦାର ଗଣତନ୍ତ୍ର ଏବଂ ନିର୍ବିବାଦରେ ଭାରତରେ ଏକ ବିବିଧ ଜନସମାଜ ସୁଖଶାନ୍ତିର ସହ ବସବାସ କରନ୍ତି ବୋଲି କୁହାଯାଇପାରେ। ତେବେ ଏହି ୧୮୦ଟି ରାଷ୍ଟ୍ରଙ୍କ ମଧ୍ୟରେ ଭାରତକୁ ଏହି ସୂଚୀରେ ପଛରୁ ୧୪୨ତମ ସ୍ଥାନରେ ରଖାଯାଇଛି। ଗତବର୍ଷ ଭାରତ ୧୪୦ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ଆଉ ଦୁଇ ପଏଣ୍ଟ ତଳକୁ ଖସିଯାଇଛି। ଗଣମାଧ୍ୟମ ସ୍ବାଧୀନତା ଦୃଷ୍ଟିରୁ ଆର୍ଏସ୍ଏଫ୍ର ଆକଳନ ଅନୁସାରେ ଭାରତର ସ୍ଥିତି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ କାହିଁକି ଏତେ ଦୟନୀୟ? ଆର୍ଏସ୍ଏଫ୍ର ଗଣତନ୍ତ୍ର ସମ୍ପର୍କିତ ବିଚାର ଏବଂ ଏହା କେଉଁ ପଦ୍ଧତି ଆପଣାଇଛି ସେ ସମ୍ପର୍କରେ ଗଭୀର ଚିନ୍ତନର ଆବଶ୍ୟକତା ରହିଛି। ଆର୍ଏସ୍ଏଫ୍ ୱେବ୍ସାଇଟ ସୂଚାଏ ଯେ, ସାମ୍ବାଦିକମାନଙ୍କ ପାଇଁ ଉପଲବ୍ଧ ସ୍ବାଧୀନତାର ମାତ୍ରା ବିଶେଷଜ୍ଞମାନଙ୍କ ମତାମତର ସାମଗ୍ରିକ ମୂଲ୍ୟାୟନ ଉପରେ ଆଧାରିତ। ଏଥିପାଇଁ ସେହିସବୁ ବିଶେଷଜ୍ଞଙ୍କୁ ଏକ ବିସ୍ତୃତ ପ୍ରଶ୍ନାବଳୀର ଉତ୍ତର ଦେବାର ବ୍ୟବସ୍ଥା କରାଯାଇଛି। ସେହି ବିପୁଳ ଡାଟାକୁ ସାମଗ୍ରିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଥାଏ। ମୂଲ୍ୟାୟନ କରାଯାଉଥିବା ଅବଧି ମଧ୍ୟରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ହିଂସାତ୍ମକ କାଣ୍ଡକୁ ବିଚାରକୁ ନିଆଯାଇଥାଏ। ପ୍ରଶ୍ନାବଳୀରେ ଯେଉଁ ବ୍ୟବସ୍ଥା ଆପଣାଯାଇଛି, ସେଥିରେ ମୋଟ ୮୭ଟି ପ୍ରଶ୍ନ ରହିଛି। ସେଥିରେ ବିବିଧତା, ଗଣମାଧ୍ୟମ ସ୍ବାଧୀନତା, ସ୍ବଚ୍ଛତା ଏବଂ ଖବର ଓ ସୂଚନା ପ୍ରସ୍ତୁତି ଲାଗି ସାମ୍ବାଦିକମାନଙ୍କୁ କେଉଁ ପ୍ରକାରର ସମ୍ବଳ ଯୋଗାଇ ଦିଆଯାଇଛି ଏବଂ ତାହାର ଗୁଣାତ୍ମକ ମାନ ଆଦିକୁ ବିଚାରକୁ ନିଆଯାଇଛି। ଏହି ଅନଲାଇନ ପ୍ରଶ୍ନାବଳୀ ଆର୍ଏସ୍ଏଫ ଦ୍ୱାରା ବିଶ୍ୱର ୧୮ଟି ସ୍ବେଚ୍ଛାସେବୀ ସଂସ୍ଥା (ଏନ୍ଜିଓ) ଏବଂ ୧୫୦ ଜଣ ଖବରଦାତା ତଥା ଗବେଷକ, ବିଚାରପତି, ମାନବାଧିକାର କର୍ମୀ, ଯେଉଁମାନେ କି ସାମ୍ବାଦିକମାନଙ୍କ ଦ୍ୱାରା ଚୟନ କରାଯାଇଥିବେ, ସେମାନଙ୍କ ନିକଟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଦଶ ପ୍ରତିଶତ ମତଦାତା ହେଉଛନ୍ତି ବିଦେଶୀ ଖବରକାଗଜ ପ୍ରତିନିଧି, ଯେଉଁମାନେ କି ଅଧ୍ୟୟନରେ ସାମିଲ ଦେଶରେ କାର୍ଯ୍ୟରତ ଥିବେ। କିନ୍ତୁ ଏଠାରେ ଗୋଟିଏ କଥା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ କରାଯାଇଥିତ୍ବା ସର୍ବେକ୍ଷଣର ନମୁନା ଆକାର ବିଶେଷ ବିଚାରଯୋଗ୍ୟ। ଭାରତର ଜନସଂଖ୍ୟା ୧୩୦ କୋଟି। ଏଥିରେ ଯେଉଁସବୁ ମତଦାତାଙ୍କୁ ସେମାନଙ୍କର ମତ ପ୍ରଦାନ ପାଇଁ ଚୟନ କରାଯାଇଛି ସେମାନ ସଂଖ୍ୟା ସ୍ବଳ୍ପ ଏବଂ ସେମାନଙ୍କ ସମ୍ପର୍କରେ ଲୋକମାନେ କ୍ୱଚିତ୍ ଜାଣନ୍ତି। ଏ ସମ୍ପର୍କରେ ଆମେ ପରେ ଆଲୋଚନା କରିବା। ପ୍ରଥମତଃ ଜଣେ ସହଜରେ ଧାରଣା କରିବା ସ୍ବାଭାବିକ ଯେ ଏକ ଉତ୍ତମ ଗଣତାନ୍ତ୍ରିକ ବାତାବରଣରେ ମୁକ୍ତ ପ୍ରେସ କାର୍ଯ୍ୟ କରିବା ସର୍ବାଦୌ କାମ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏକ ପ୍ରଜାତାନ୍ତ୍ରିକ ସରକାର ଭଳି ବ୍ୟବସ୍ଥାରେ ଗଣତନ୍ତ୍ରର ମୌଳିକ ସୂଚକାଙ୍କ ସମ୍ପର୍କରେ ଏଥିରେ କ୍ୱଚିତ କିମ୍ବା କୌଣସି ପ୍ରାଧାନ୍ୟ ଦିଆଯାଇ ନାହିଁ। ପ୍ରଜାତନ୍ତ୍ରରେ ସମ୍ବିଧାନପ୍ରଦତ୍ତ ବାକ୍ସ୍ବାଧୀନତା ଏବଂ ମତଦାନର ଅଧିକାର ପବିତ୍ର ପ୍ରତିବଦ୍ଧତା। ଧର୍ମନିରପେକ୍ଷତା ମୂଲ୍ୟବୋଧକୁ ଜାରି ରଖିବା ସକାଶେ ତାହା ହେଉଛି ନିର୍ବିବାଦୀୟ ସାମ୍ବିଧାନିକ ବଚନବଦ୍ଧତା। ଧର୍ମ ଓ ରାଷ୍ଟ୍ରକୁ ପରସ୍ପରଠାରୁ ପୃଥକ୍ ରଖିବା, ଆଇନ ଦୃଷ୍ଟିରେ ସମାନତାର ମୌଳିକ ଅଧିକାରର ସୁରକ୍ଷା ଏବଂ ଆଇନ ଦ୍ୱାରା ସମସ୍ତଙ୍କୁ ସମାନ ଭାବେ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତା ତଥା ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତା ଭଳି ମୌଳିକ ଅଧିକାର ପ୍ରଦାନ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଅନ୍ୟସବୁ ପ୍ରମୁଖ ବୈଶିଷ୍ଟ୍ୟ। ପ୍ରତୀୟମାନ ହୁଏ, ଯେପରି ଆର୍ଏସ୍ଏଫ୍ ଦେଶର ଗଣମାଧ୍ୟମ ସ୍ବାଧୀନତା କଥା ମୂଲ୍ୟାୟନ କଲାବେଳେ ଏହିସବୁ ପ୍ରସଙ୍ଗ ପ୍ରତି ଆଦୌ ଦୃଷ୍ଟିପାତ କରିନାହିଁ! ଏବଂ ତାହା ହିଁ ହେଉଛି ସବୁଠାରୁ ବଡ଼ ତ୍ରୁଟି। ଏଥିରୁ ଏ କଥା ସ୍ପଷ୍ଟ ହୁଏ ଯେ, ଯେତେବେଳେ ଜଣେ କିଛି ରାଷ୍ଟ୍ରର ର଼୍ୟାଙ୍କିଙ୍ଗ୍ ପ୍ରତି ଦୃଷ୍ଟି ନିକ୍ଷେପ କରିବେ, ଯେଉଁମାନଙ୍କୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କ୍ୱଚିତ୍ ବିବେଚନା କରାଯାଇପାରିବ, ସେହିଭଳି କେତେକ ରାଷ୍ଟ୍ର ଭାରତର ଢେର୍ ଉପରେ ଏହି ସୂଚକାଙ୍କରେ ରହିଛନ୍ତି। ତାହାର କେତେକ ଉଦାହରଣ ଏଠାରେ ପ୍ରଦାନ କରାଗଲା- ଆର୍ଏସ୍ଏଫ୍ରେ ଯେତେବେଳେ ଭାରତକୁ ୧୪୨ତମ ସ୍ଥାନରେ ରଖାଯାଇଛି, ସେତେବେଳେ ବୁର୍କିନା ଫାସୋ ଭାରତଠାରୁ ପ୍ରାୟ ୧୦୦ ପଏଣ୍ଟ ପାଇ ୩୬ତମ ସ୍ଥାନରେ ରହିଛି। ଏହା ସେହି ଦେଶ ଯାହାକୁ ଆମେରିକାର ପରରାଷ୍ଟ୍ର ବିଭାଗ କିଛି ବର୍ଷ ପୂର୍ବେ ତା’ର ‘ଟ୍ରାଫିକିଂ ଇନ୍ ପର୍ସନ୍ସ ରିପୋର୍ଟରେ ସ୍ଥାନ ଦେଇଥିଲା। ବୁର୍କିନା ଫାସୋରେ ଏପର୍ଯ୍ୟନ୍ତ ଦାସତ୍ୱପ୍ରଥା ଜାରି ରହିଛି ଏବଂ ଏଠାରେ ଶିଶୁମାନେ ଅଧିକ ମାତ୍ରାରେ ମାନବ ଚାଲାଣର ଶିକାର ହେଉଛନ୍ତି। ଦାସତ୍ୱପ୍ରଥା ଏଠାରେ ଏକ ଅବିଚ୍ଛିନ୍ନ ବ୍ୟବସ୍ଥା ଭାବେ ରହିଛି। ଦେଶରେ ଏହି ପ୍ରଥାର ଏକ ସୁଦୀର୍ଘ ଇତିହାସ ମଧ୍ୟ ରହିଛି। ଏହା ଆରବୀୟ ଦାସ ବିପଣନ ବ୍ୟବସ୍ଥା ଭଳି ପ୍ରାଚୀନ। ୨୦୧୮ରେ ଏ ଦେଶରେ ପ୍ରାୟ ୮୨,୦୦୦ ଲୋକ ‘ଆଧୁନିକ ଦାସତ୍ୱପ୍ରଥା’ ମଧ୍ୟରେ ଜୀବନ ବିତାଉଥିଲେ ବୋଲି ଗ୍ଲୋବାଲ୍ ଦାସତ୍ୱପ୍ରଥା ସୂଚକାଙ୍କରେ ମତ ପ୍ରକାଶ ପାଇଥିଲା। ସେହିଭଳି ମାଳଦ୍ୱୀପକୁ ସିଏସ୍ଏଫ୍ ସୂଚକାଙ୍କରେ ୭୯ତମ ସ୍ଥାନରେ ସ୍ଥାନିତ କରାଯାଇଛି। ଏହି ରାଷ୍ଟ୍ରର ସମ୍ବିଧାନ ସୂଚିତ କରେ ଯେ୍ ଇସଲାମ ହେଉଛି ମାଳଦ୍ୱୀପର ରାଷ୍ଟ୍ରଧର୍ମ ଏବଂ ‘ଇସଲାମର ମୌଳିକ ନୀତିକୁ ବିରୋଧ କରୁଥିବା କୌଣସି ଆଇନ ମାଳଦ୍ୱୀପରେ ପ୍ରଣୀତ ହୋଇପାରିବ ନାହିଁ।’ ମାଳଦ୍ୱୀପ ସମ୍ବିଧାନର ଧାରା-୯(ଡି) ଘୋଷଣା କରେ ଯେ ‘ଜଣେ ଅଣ ମୁସଲମାନ କଦାପି ମାଳଦ୍ୱୀପର ନାଗରିକ ହୋଇପାରିବେ ନାହିଁ।’ ଏହି ସୂଚକାଙ୍କର ୧୩୫ତମ ସ୍ଥାନରେ ଥିବା ଓମାନ ସୁଲତାନେଟ୍ ଏକ ଆରବ ତଥା ଇସଲାମୀୟ ରାଷ୍ଟ୍ର। ଓମାନ ସମ୍ବିଧାନର ଧାର-୨ କହେ ଯେ, ଇସଲାମ ହେଉଛି ଏଠାକାର ରାଷ୍ଟ୍ରଧର୍ମ ଏବଂ ଇସଲାମିକ ସରିୟା ହେଉଛି ଶାସନ ବ୍ୟବସ୍ଥାର ମୂଳ ଆଧାର। ଏହି ଦେଶର ଶାସନ ବ୍ୟବସ୍ଥା ହେଉଛି ସୁଲତାନୀ, ବଂଶାନୁକ୍ରମିକ, ଯାହାକି ସୟିଦ୍ ତୁକ୍ରି ବିନ୍ ସୈଦ୍ ବିନ୍ ସୁଲତାନଙ୍କ ପରବର୍ତ୍ତୀ ପିଢ଼ିର ପୁରୁଷ ଉତ୍ତରାଧିକାରୀଙ୍କୁ ମିଳିଥାଏ। ପୁରୁଷ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ଯାହାଙ୍କୁ ଦେଶର ଉତ୍ତରାଧିକାରୀ ଶାସକ ଭାବେ ଚୟନ କରାଯିବ ସେ ‘ଜଣେ ମୁସଲମାନ, ପରିପକ୍ୱ, ସୁଚିନ୍ତିତ ତଥା ଓମାନୀ ମୁସଲମାନ ମାତାପିତାଙ୍କର ବୈଧ ସନ୍ତାନ ହୋଇଥିବେ।’ ଅନ୍ୟ ଭାଷାରେ କହିଲେ, ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ କି ଏକ ପ୍ରଜାତନ୍ତ୍ର ନୁହେଁ ଏବଂ ସେଠାରେ ଲିଙ୍ଗଗତ ସମାନତା ମଧ୍ୟ ନାହିଁ। କାରଣ ସମ୍ବିଧାନ ଅନୁସାରେ କେବଳ ଜଣେ ପୁରୁଷ ମୁସଲମାନ ବ୍ୟକ୍ତି ହିଁ ରାଷ୍ଟ୍ରମୁଖ୍ୟ ହୋଇପାରିବେ। ସିଏସ୍ଏଫ୍ ସୂଚାକାଙ୍କରେ କୋମୋରୋସ୍ ୭୫ତମ ସ୍ଥାନରେ ରହିଛି। କୋମୋରାନ ସମ୍ବିଧାନ ଦର୍ଶାଏ ଦେଶର ଜନସାଧାରଣ ପବିତ୍ରତାର ସହ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେ ‘ରାଷ୍ଟ୍ର ଧର୍ମ ଇସଲାମରୁ ସେମାନେ ସେମାନଙ୍କର ସ୍ଥାୟୀ ପ୍ରେରଣା ଆହରଣ କରିବେ ଏବଂ ଏହାର ନୀତି ଓ ନିୟମ ହିଁ ରାଷ୍ଟ୍ରକୁ ଶାସନ କରିବ।’ ଏବେ ଏପରି କିଛି ରାଷ୍ଟ୍ରଙ୍କ ଉପରେ ଦୃଷ୍ଟିପାତ କରିବା, ଯେଉଁଠାରେ ରାଷ୍ଟ୍ର ସ୍ପଷ୍ଟ ଭାବେ ଖ୍ରୀଷ୍ଟିଆନ ଧର୍ମ ସହ ଓତପ୍ରୋତ ଭାବେ ଜଡ଼ିତ। ତାଲିକାର ୬୪ତମ ସ୍ଥାନରେ ଥିବା ଆର୍ଜେଣ୍ଟିନାର ସମ୍ବିଧାନ କହେ ଯେ, ଦେଶର ସଂଘୀୟ ସରକାର ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଧର୍ମକୁ ସମର୍ଥନ ଜଣାଏ। ଅପରପକ୍ଷରେ ୮୧ତମ ସ୍ଥାନରେ ଥିବା ମାଲଟା ସମ୍ବିଧାନ ଘୋଷଣା କରେ ଯେ ‘ମାଲଟାର ଧର୍ମ ହେଲା ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଧର୍ମ।’ ଏହା ପୁଣି ଦର୍ଶାଏ ଯେ ରୋମାନ କାଥୋଲିକ ଆପୋଷ୍ଟୋଲିକ୍ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କର ‘ଦାୟିତ୍ୱ ଓ କର୍ତ୍ତବ୍ୟ ଯେ ରାଷ୍ଟ୍ର ପାଇଁ କ’ଣ ଠିକ୍ ଏବଂ କ’ଣ ଭୁଲ୍ ତାହା ସେମାନେ ଲୋକମାନଙ୍କୁ ଶିକ୍ଷା ଦେବେ।’ ପୁନଶ୍ଚ ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଆସ୍ଥାର ଧର୍ମୀୟ ଶିକ୍ଷା ରାଷ୍ଟ୍ରର ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ଶିକ୍ଷା ଭାବେ ପ୍ରଦାନ କରାଯିବ। ନରୱେ ରାଜ୍ୟ ଆର୍ଏସ୍ଏଫ୍ ତାଲିକାରେ ଶୀର୍ଷରେ ରହିଛି ଏବଂ ଏହି ରାଷ୍ଟ୍ର ଗଣମାଧ୍ୟମକୁ ସର୍ବାଧିକ ସ୍ବାଧୀନତା ପ୍ରଦାନ କରିଛି ବୋଲି ଏଥିରେ ସୂଚିତ ରହିଛି। ଏହାର ସମ୍ବିଧାନ ଘୋଷଣା କରେ ଯେ ଏହାର ସରକାରଙ୍କ ଢାଞ୍ଚା ସୀମିତ ଏବଂ ତାହା ବଂଶାନୁକ୍ରମିକ ରାଜତନ୍ତ୍ର। ପୁନଶ୍ଚ ଏହା ସୂଚାଏ ଯେ, ‘ଆମର ମୂଲ୍ୟବୋଧ ଖ୍ରୀଷ୍ଟିଆନ ଧର୍ମ ଏବଂ ମାନବୀୟ ଚିନ୍ତାଧାରାର ଐତିହ୍ୟ ହୋଇ ରହିବ।’ ନରୱେର ରାଷ୍ଟ୍ରମୁଖ୍ୟ ହେବା ପାଇଁ ଯେଉଁ ଯୋଗ୍ୟତା ସମ୍ବିଧାନରେ ଉଲ୍ଲେଖ ରହିଛି ତାହା ହେଲା, ‘ରାଜା ସଦାସର୍ବଦା ଇଭାଞ୍ଜେଲିକାଲ୍ ଲୁଥେରାନ ଧର୍ମ ପାଳନ କରିବେ।’ ପୁନଶ୍ଚ ‘ଯେହେତୁ ରାଜପଦ ପବିତ୍ର, ତାଙ୍କର କୌଣସି ଆଚରଣ ନିଷିଦ୍ଧ ନୁହେଁ କିମ୍ବା ତାଙ୍କୁ ଦୋଷ ଦେଇହେବନାହିଁ।’ଏପରି ଭାବେ ରାଷ୍ଟ୍ରମୁଖ୍ୟଙ୍କୁ ସବୁପ୍ରକାର ବାରଣରୁ ମୁକ୍ତ ରଖାଯାଇଛି। ଅନ୍ୟ ଭାଷାରେ କହିଲେ, ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ। ଏହା ପ୍ରଜାତନ୍ତ୍ର ସତ, କିନ୍ତୁ ଗଣତନ୍ତ୍ରର ଗୋଟିଏ ମୌଳିକ ସର୍ତ୍ତ- ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରଯୁଜ୍ୟ (ଭାରତ ସମ୍ବିଧାନର ଧାରା ୧୪ରେ ବର୍ଣ୍ଣିତ)- ଏହାର ନରୱେରେ କୌଣସି ସ୍ଥାନ ନାହିଁ। ଅନୁରୂପ ଭାବେ ଡେନମାର୍କ, ଯାହାକି ସିଏସଏଫ ତାଲିକାରେ ୩ୟ ସ୍ଥାନରେ ରହିଛି, ତା’ର ସମ୍ବିଧାନ ଘୋଷଣା କରେ ଯେ ଇଭାଞ୍ଜେଲିକାଲ୍ ଲୁଥେରାନ ଚର୍ଚ୍ଚ ଅଫ୍ ଡେନମାର୍କ ସ୍ଥାପନ କରିବ ଏବଂ ‘ତଦନୁସାରେ ତାହାକୁ ରାଷ୍ଟ୍ର ସମର୍ଥନ ପ୍ରାପ୍ତ ହେବ।’ ଏହାର ଅର୍ଥ, ‘ଏହା ପବିତ୍ର ବାଇବେଲ, ବିଭିନ୍ନ ଉପାସନା ସାଂକେତିକ ପୁସ୍ତକ ଏବଂ ଜର୍ମାନ ଧର୍ମୀୟ ଗୁରୁ ମାର୍ଟିନ୍ ଲୁଥରଙ୍କ ଉପଦେଶାବଳୀ ଉପରେ ପର୍ଯ୍ୟବସିତ।’ ଆଜି ଚର୍ଚ୍ଚ ଅଫ୍ ଡେନମାର୍କକୁ ଆର୍ଥିକ ଓ ଅନ୍ୟାନ୍ୟ ମାର୍ଗରେ ସମର୍ଥନ କରିବା ରାଷ୍ଟ୍ରର ଦାୟିତ୍ୱ ହୋଇଛି। ସୂଚକାଙ୍କରେ ଗ୍ରୀସ୍ ୬୫ତମ ସ୍ଥାନରେ ରହିଛି। ଗ୍ରୀସ୍ ସମ୍ବିଧାନର ଧାରା ୩ ଘୋଷଣା କରେ ଯେ ‘ଗ୍ରୀସର ପ୍ରଚଳିତ ଧର୍ମ ହେଲା ଇଷ୍ଟର୍ନ ଅର୍ଥୋଡକ୍ସ ଚର୍ଚ୍ଚ ଅଫ୍ କ୍ରିଷ୍ଟ୍ । ଗ୍ରୀସର ଅର୍ଥୋଡକ୍ସ ଚର୍ଚ୍ଚ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଏହାର ମୁଖ୍ୟ ବୋଲି ସ୍ବୀକାର କରନ୍ତି। ଏହା ଅବିଭାଜ୍ୟ ଭାବେ କନ୍ଷ୍ଟାଣ୍ଟିନୋପଲର ଗ୍ରେଟ୍ ଚର୍ଚ୍ଚ ଅଫ୍ କ୍ରିଷ୍ଟ ଏବଂ ଚର୍ଚ୍ଚ ଅଫ୍ କ୍ରିଷ୍ଟର ପ୍ରତ୍ୟେକ ଅନ୍ୟ ଚର୍ଚ୍ଚଙ୍କ ଅନୁରୂପ ନୀତି ସହିତ ଜଡ଼ିତ।’ ଚର୍ଚ୍ଚ ଓ ରାଷ୍ଟ୍ର ଏବଂ ଧର୍ମ ଓ ରାଷ୍ଟ୍ର ମଧ୍ୟରେ ପୃଥକୀକରଣକୁ ଗଣତନ୍ତ୍ରର ମୂଳ ଆଧାର ବୋଲି ଗ୍ରହଣ କରାଯିବ ନାହିଁ କି? ଏହା ଅନେକ ସମସ୍ୟାଜଡ଼ିତ ପ୍ରସଙ୍ଗ ଭିତରୁ ଗୋଟିଏ, ଯାହା ଆଇଏସ୍ଏଫ୍ ସୂଚକାଙ୍କ ସହ ଜଡ଼ିତ ହୋଇ ରହିଛି। ଏହାଛଡ଼ା ଏହିଭଳି ଆହୁରି ଅନେକ ପ୍ରସଙ୍ଗ ରହିଛି, ଯାହା ବିଚାରସାପେକ୍ଷ। ବିଶେଷଜ୍ଞ, ଗଣତାନ୍ତ୍ରିକ ଅଧ୍ୟୟନ (ଅବଶିଷ୍ଟାଂଶ ଦ୍ୱିତୀୟ ଭାଗରେ)
https://www.dharitri.com/ନିଯୁକ୍ତି-କ୍ଷେତ୍ରକୁ-ଚରିଯି/
ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌ ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍ଡାଉନ। ଏହି ଭାଇରସ୍ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା ଶିଳ୍ପ, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସେବାକ୍ଷେତ୍ର ଅଚଳ ହୋଇପଡ଼ିଛି। ଏହା ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ କରିବା ସହ ୨୦୨୦ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ୱର ୬.୭% କାର୍ଯ୍ୟ ସମୟ (ଓ୍ବାର୍କିଂ ଆଓ୍ବାର୍ସ)କୁ ବିଲୋପ କରିବ, ଯାହା ୧୯୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍ଓ) କହିଛି। ଆରବ ଦେଶଗୁଡ଼ିକରେ ୮.୧%(୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ), ୟୁରୋପରେ ୭.୮% (୧୨ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ), ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭.୨%(୧୨୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ) କାର୍ଯ୍ୟ ସମୟ ହ୍ରାସ ଘଟିବା ପୂର୍ବାନୁମାନ କରାଯାଉଛି। ବିଭିନ୍ନ ଆୟକାରୀ ଗୋଷ୍ଠୀ ବିପୁଳ କ୍ଷତି ସହିବା ଆଶଙ୍କା ରହିଛି। ବିଶେଷକରି ଉଚ୍ଚ-ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୭% ଅର୍ଥାତ୍ ୧୦୦ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ କାର୍ଯ୍ୟ ସମୟ କ୍ଷତି ସହିବେ। ଏହା ୨୦୦୮-୦୯ ମାନ୍ଦାବସ୍ଥାର ପ୍ରଭାବଠାରୁ ବହୁଗୁଣ ଅଧିକ। ଏଥିଯୋଗୁ ରହିବା, ଖାଦ୍ୟ, ଉତ୍ପାଦନ, ଖୁଚୁରା କାରବାର, ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟକଳାପ ଆଦି କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ୨୦୨୦ରେ ବିଶ୍ୱରେ ସମ୍ଭାବ୍ୟ ବେରୋଜଗାରୀ ବୃଦ୍ଧି ବାସ୍ତବରେ ଭବିଷ୍ୟତର ବିକାଶ ଓ ନୀତିଗତ ପଦକ୍ଷେପ ଉପରେ ନିର୍ଭର କରିବ। ବେକାରି ବୃଦ୍ଧି କ୍ଷେତ୍ରରେ ଆଇଏଲ୍ଓର ପ୍ରାରମ୍ଭିକ ଆକଳନ ୨୫ ନିୟୁତ ଥିବାବେଳେ ବର୍ଷ ଶେଷକୁ ଏହି ସଂଖ୍ୟା ବୃଦ୍ଧି ଘଟିବା ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ହେବା ଦ୍ୱାରା ୩.୩ ବିଲିୟନ ବିଶ୍ୱ ଶ୍ରମଶକ୍ତିର ପ୍ରତି ୫ଜଣଙ୍କ ମଧ୍ୟରୁ ୪ଜଣ(୮୧ପ୍ରତିଶତ) ପ୍ରଭାବିତ ହୋଇଛନ୍ତି। ଆଇଏଲଓ ମହାନିର୍ଦ୍ଦେଶକ ଗାୟ ରାଇଡର୍ କହିଛନ୍ତି ଯେ, ‘ଉଭୟ ବିକଶିତ ଓ ବିକାଶଶୀଳ ଦେଶରେ ଶ୍ରମିକ ଏବଂ ବ୍ୟବସାୟୀମାନେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏହାର ମୁକାବିଲା ପାଇଁ ଆମକୁ ଏକାଠି ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ଠିକ୍ ଓ ଜରୁରୀ ପଦକ୍ଷେପ ଜୀବନ ଓ ମରଣ ସମସ୍ୟାର ସମାଧାନ କ୍ଷେତ୍ରରେ ବାଟ ଫିଟାଇପାରେ।’ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧.୨୫ ବିଲିୟନ ଶ୍ରମିକ ନିୟୋଜିତ ଥିବା କେତେକ କ୍ଷେତ୍ର ଚିହ୍ନଟ ହୋଇଛି, ଯେଉଁଥିରେ ଚାକିରି ଛଟେଇ, ଦରମା ଏବଂ କାର୍ଯ୍ୟ ସମୟ ହ୍ରାସ ହେବା ଆଶଙ୍କା ରହିଛି। ବହୁ ସ୍ବଳ୍ପ ବେତନ ପ୍ରାପ୍ତ, ସ୍ବଳ୍ପ କୁଶଳୀ କର୍ମଚାରୀ ହଠାତ୍ ଆୟ ହରାଇ ପାରନ୍ତି, ଯାହା ସେମାନଙ୍କ ପାଇଁ ଘାତକ ସାଜିବ। ଏହି ବିପଦପୂର୍ଣ୍ଣ କ୍ଷେତ୍ରଗୁଡିକରେ ଆମେରିକାର ୪୩% ଏବଂ ଆଫ୍ରିକାରେ ୨୬% କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି ଅଧ୍ୟୟନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ସାମାଜିକ ନିରାପତ୍ତା ଅଭାବ, ଜନସଂଖ୍ୟାର ସାନ୍ଧ୍ରତା ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ସାମର୍ଥ୍ୟର ଅଭାବ ସରକାରଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଦେଇପାରେ।
https://www.dharitri.com/ସିଜେଆଇଙ୍କ-ମନ୍ତବ୍ୟକୁ-ନେଇ/
ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ. ବୋବ୍ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଥିବାବେଳେ ନାଇଡୁ ସେଥିରେ ଏକମତ ହୋଇଛନ୍ତି। ତେବେ କ୍ରମାଗତ ବିଳମ୍ବକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ନ୍ୟାୟ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତେ ଦକ୍ଷତାପୂର୍ବକ ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବଳତ୍କାର ମାମଲାଗୁଡିକୁ କ୍ରମାଗତ ଭାବେ ବିଳମ୍ବ ନ କରି ସେଗୁଡିକର ତ୍ୱରିତ ବିଚାର କରିବାକୁ ନାଇଡୁ ପରାମର୍ଶ ଦେଇନ୍ତି। ଯୌନ ଅପରାଧ ମାମଲାଗୁଡିକରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ନୂଆ ବିଲ୍ଡିଂ ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ସିଜେଆଇ କହିଥିଲେ, ନ୍ୟାୟ କେବେ ପ୍ରତିଶୋଧ ହୋଇପାରିବ ନାହିଁ। ଫୌଜଦାରୀ ମାମଲାଗୁଡିକ ବିଚାର ଲାଗି ସମୟ ଲାଗିବ। ନ୍ୟାୟ ତତ୍କାଳ ହେବା ଉଚିତ ନୁହେଁ। ଯଦି ନ୍ୟାୟ ପ୍ରତିଶୋଧ ହୋଇଯାଏ ତେବେ ତାହା ନିଜର ବିଶେଷତ୍ୱ ହରାଇବ ବୋଲି ସିଜେଆଇ ମତ ଦେଇଥିଲେ। ଉପରାଷ୍ଟ୍ରପତି କହିଛନ୍ତି, କେବଳ ଆଇନ ଆଣିଲେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବନ୍ଦ ହୋଇଯିବ ନାହିଁ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଦକ୍ଷତାର ଆବଶ୍ୟକତା ରହିଛି। ନିକଟରେ ଘଟିଥିବା ଉନ୍ନାଓ ଏବଂ ହାଇଦ୍ରାବାଦ ଘଟଣାକୁ ନିନ୍ଦା କରିବା ସହ ଉପରାଷ୍ଟ୍ରପତି କହିଥିଲେ, ଭାରତୀୟ ସଂସ୍କୃତିରେ ନାରୀଙ୍କୁ ମାଆ ଓ ଭଉଣୀ ଭାବେ ଦେଖାଯାଇଥାଏ। ଆଜିକାଲି ଯାହା ଘଟୁଛି ତାହା ବାସ୍ତବରେ ଲଜ୍ଜାଜନକ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ। ମହିଳାଙ୍କ ପ୍ରତି ପକ୍ଷପାତିତା ଓ ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବା ଲାଗି ଆମକୁ ପ୍ରତିଜ୍ଞା କରିବାକୁ ହେବ ବୋଲି ସିମ୍ବିଓସିସ୍ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି। ଆଇନ ଆଣିବା ସମସ୍ୟାର ସମାଧାନ ନୁହେଁ। ନିର୍ଭୟା ଘଟଣା ପରେ ବିଲ୍ ଆସିଥିଲା। ସମସ୍ୟାର ସମାଧାନ ହୋଇପାରିଲା କି ବୋଲି ଭେଙ୍କାୟା ପ୍ରଶ୍ନ କରିଥିଲେ। ତେବେ ସେ ନୂଆ ଆଇନର ବିରୋଧୀ ନୁହନ୍ତି ବୋଲି କହିଛନ୍ତି।
https://www.dharitri.com/csk-won-the-toss-batted-first-2/
ଟସ ଜିତିଲା ସିଏସକେ, ପ୍ରଥମେ ବ୍ୟାଟିଂ… ନୂଆଦିଲ୍ଲୀ,୨୦।୫ : ଆଇପିଏଲ ୨୦୨୩ର ୬୭ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ଦ(ସିଏସକେ)ମଧ୍ୟରେ ଖେଳାଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଅଧିନାୟକ ଏସଏମ ଧୋନିଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଛି। ସେହିପରି ସିଏସକେ ଦଳ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଛି।
https://www.dharitri.com/binita-did-twitter-deal/
ବିନିତା କରିଥିଲେ ଟୁଇଟର ଡିଲ୍‌… ଓ୍ବାଶିଂଟନ୍, ୧୦।୫ : ଟେସ୍ଲା ସିଇଓ ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍ରେ ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। ମସ୍କ ୭.୧ ବିଲିୟନ ଡଲାର ପାଣ୍ଠି ଯୋଗାଣ ପ୍ରତିଶ୍ରୁତି କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍ ହୋରୋଓ୍ବିଜ୍ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ସହାୟତା ଯୋଗାଇ ଦେବ ବୋଲି କହିଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍କୁ ଫଣ୍ଡିଂ ଯୋଗାଇ ଦେବାରେ ବିନିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି। ଆଣ୍ଡ୍ରିସେନ୍ ହୋରୋଓ୍ବିଜ୍ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍ଥ କେୟାର କ୍ଷେତ୍ରରେ କାର୍ଯ୍ୟ କରୁ ଥିଲେ। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।
https://www.dharitri.com/ପରଦା-ପଛରେ-ଶ୍ରୀଧର-ଯାହା-ଚାହ/
ପରଦା ପଛରେ: ଶ୍ରୀଧର ଯାହା ଚାହୁଁଥିଲେ.. ଜଣେ ପ୍ରଯୋଜକ ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ଅନେକ କିଛି ଚିନ୍ତା କରିଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଦୁଇଟି ସିନେମା- ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ ପ୍ରଯୋଜନା କରିବା ପରେ ତାଙ୍କ ମନରେ ରହିଛି ଅନେକ ନୂଆ ଯୋଜନା। ଆଉ ସେଥିରୁ ଅନେକାଂଶକୁ ସେ ରୂପାୟିତ କରିଛନ୍ତି ରିଲିଜ ଅପେକ୍ଷାରେ ଥିବା ଦ୍ୱିଭାଷୀ ଫିଲ୍ମ ‘ପାଟଣାଗଡ଼’ରେ। ସେ ହେଲେ ପ୍ରଯୋଜକ ଶ୍ରୀଧର ମାର୍ଥା। ନିଜର ଆଭିମୁଖ୍ୟ ସମ୍ପର୍କରେ ସେ କହନ୍ତି, ‘କେବଳ ପ୍ରଯୋଜକ ହେବା ପରେ ନୁହେଁ, ପୂର୍ବରୁ ମୁଁ ଅନେକ ଓଡ଼ିଆ ସିନେମା ଦେଖି ଚଳଚ୍ଚିତ୍ରଟିଏ ପ୍ରଯୋଜନା କରିବା ପୂର୍ବରୁ କେଉଁ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ତାହା ଶିଖିଛି। ମାର ତାଳି ଉଠା ଥାଳି ମାନସିକତା ନେଇ ମୁଁ ପ୍ରଯୋଜକ ହେବାକୁ ଆସିନି। ଏଭଳି ଓଡ଼ିଆ ସିନେମା ନିର୍ମାଣ କରିବି ଯାହାକୁ ଦର୍ଶକ ମନେ ରଖିବେ। ତେଣୁ ଏକ ସାମ୍ପ୍ରତିକ ଘଟଣାକୁ ନେଇ ‘ପାଟଣାଗଡ’ ପ୍ରସ୍ତୁତ ହୋଇଛି। ପୂର୍ବରୁ ଯେଉଁ ଦୁଇଟି ସିନେମା ନିର୍ମାଣ କରିଛି ସେଥିରୁ ଅନେକ କିଛି ଶିଖିଛି। ତେଣୁ ଆଗାମୀ ସିନେମାକୁ କିପରି ସରସ ସୁନ୍ଦର କରାଯାଇପାରିବ ତା’ ଉପରେ ନିଶ୍ଚୟ ଗୁରୁତ୍ୱ ଦେବି।’ ଶ୍ରୀଧରଙ୍କ ହୋମ୍ ବ୍ୟାନର ରେଞ୍ଜ ରୟାଲ ସିନେ ଲ୍ୟାବ୍ରେ ପ୍ରସ୍ତୁତ ‘ପାଟଣାଗଡ଼’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ରାଜେଶ ଟଚ୍ରିଭର। ଚିତ୍ରଟିର ବିଭିନ୍ନ ଭୂମିକାରେ ମନୋଜ ମିଶ୍ର, ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।
https://www.dharitri.com/ପୁରୀ-ବାରିପଦା-ମଧ୍ୟରେ-ସ୍ପେ/
ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌ ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା ଟିକେଟଧାରୀଙ୍କୁ ଏହି ସ୍ପେଶାଲ ଟ୍ରେନରେ ନିଶ୍ଚିତ ଟିକେଟ ସୁବିଧା ମିଳିପାରିବ। ଏହି ପୁରୀ-ଭଞ୍ଜପୁର ସ୍ପେଶାଲ(୦୮୦୯୨) ଟ୍ରେନ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ପ୍ରତି ଶୁକ୍ରବାର ପୁରୀଠାରୁ ରାତି ୧୧ଟା ୫୫ରେ ଛାଡ଼ି ଶନିବାର ସକାଳ ୬ଟା ୫୦ରେ ଭଞ୍ଜପୁରରେ ପହଞ୍ଚତ୍ବ। ସେହିପରି ଭଞ୍ଜପୁରରୁ ପ୍ରତି ଗୁରୁବାର ରାତି ୧୧ଟା ୫୦ରେ ଛାଡ଼ି ଶୁକ୍ରବାର ସକାଳ ୭ଟାରେ ପୁରୀରେ ପହଞ୍ଚତ୍ବ। ଏଥିରେ ଗୋଟିଏ ସ୍ଲିପର କୋଚ୍ ଓ ୭ ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ରହିଛି। ପୁରୀ-ଭଞ୍ଜପୁର ମଧ୍ୟରେ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଯାଜପୁର-କେଉଁଝର ରୋଡ଼, ଭଦ୍ରକ, ସୋର, ବାଲେଶ୍ୱର, ରୂପ୍ସା, ବେତନଟୀ ଓ ବାରିପଦାରେ ରହଣି କରିବ।
https://www.dharitri.com/attempts-to-sacrifice-his-father/
ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର ବେଳେ ଲହୁଲୁହାଣ ହେବାକୁ ପଡିଛି। ମିଳିଥିବା ସୂଚନା ମୁତାବକ, ବେଲପଡ଼ାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଭୋଇ କିଛି ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରି ନ ଥିଲେ। ଏଭଳି ସ୍ଥିତିରେ ଲିଙ୍ଗରାଜ ରାଜପୁର ଗ୍ରାମର ଜଣେ ସାଧକଙ୍କ ସହ ମିଶିଥିଲେ। ଗୁପ୍ତଧନ ପାଇବା ଆଶାରେ ଲିଙ୍ଗରାଜ ସାଧକଙ୍କ ଉପସ୍ଥିତିରେ ଶନିବାର ତାଙ୍କ ବାପାଙ୍କୁ ଘରେ ନୂଆ ଲୁଗା ପିନ୍ଧାଇ ବେକରେ ଫୁଲମାଳ ପକାଇ ବଳି ଦେବାକୁ ଉଦ୍ୟମ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ହେଲେ ଲିଙ୍ଗରାଜ ଏକ ମାରଣାସ୍ତ୍ରରେ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ଗ୍ରାମରଖି ଗଙ୍ଗାରାମ ବାଗ ଆହତ ହୋଇଛନ୍ତି। ଜୟପାଟଣା ଏସ୍ଆଇ ବିନୟ ବାରାଲ, ଏସ୍.ଏନ୍. ପାତ୍ର, ନୀତି ଚତୁର୍ବେଦୀ, କଲମପୁର ଫାଣ୍ଡି ଅଧିକାରୀ ବିପିନ କିଶୋର ଝରିଆ, ଚକାଡୋଳା ବାଗଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟର କସରତ ପରେ ପୋଲିସ ଅଭିଯୁକ୍ତ ଲିଙ୍ଗରାଜ ଏବଂ ସାଧକଙ୍କୁ ଧରି ଜୟପାଟଣା ଥାନାକୁ ନେଇଥିଲା। ବଳଦେବଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ପୋଲିସ ଏକ ମାମଲା ରୁଜୁ କରି ସାଧକ ଏବଂ ଲିଙ୍ଗରାଜଙ୍କୁ ଗିରଫ କରିଛି।
https://www.dharitri.com/floodwaters-have-risen-above-the-danger-mark/
କାଣୀନଦୀରେ ଘାଇ: ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବନ୍ୟା ପାଣି ପ୍ରବାହିତ ଯାଜପୁର ଅଫିସ,୨୮ା୫: ଯାଜପୁର ଜିଲା ବୈତରଣୀ ନଦୀର ଶାଖା କାଣୀନଦୀର ମଲ୍ଲିକାପୁର ନିକଟରେ ଘାଇ ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନ ୮ଟା ସୁଦ୍ଧା ଦଶରଥପୁରଠାରେ ବିପଦ ସଙ୍କେତଠାରୁ ୨ ମିଟର ଊଦ୍ଧର୍ବରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତଠାରୁ ୯.୫୨ ମିଟର ରହିଥିବାବେଳେ ଜଳପତ୍ତନ ୧୧.୬୦ ମିଟରରେ ରହିଛି। ତେବେ ଉପରମୁଣ୍ଡ ବଲ୍ଲଭିଘାଟ, ଆଖୁଆପଦା, ଆନନ୍ଦପୁରଠାରେ ଜଳପତ୍ତନ ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତି ସୁଧୁରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ କାଣୀନଦୀରେ ଘାଇ ଯୋଗୁ ଶତାଧିକ ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଥିବା ସୂଚନା ମିଳିଛି।
https://www.dharitri.com/cm-nayab-saini-gives-525-crore-rupees-bonus-to-more-than-5-lakhs-farmers/
ଚାଷୀଙ୍କୁ ମିଳିବ ବୋନସ: ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା ନୂଆଦିଲ୍ଲୀ,୧୬।୮: ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ କେବେ ହେବ ସେନେଇ ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହାର ମାତ୍ର ୬ ଘଣ୍ଟା ପୂର୍ବରୁ ହରିୟାଣା ସିଏମ ନାୟବ ସିଂ ସଇନି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଥିରୁ ରାଜ୍ୟର ୫ ଲକ୍ଷ୨୦ ହଜାର କୃଷକ ଉପକୃତ ହେବେ। ଚଣ୍ଡିଗଡ଼ରେ ଖରିଫ ୨୦୨୪ ଫସଲ ପାଇଁ ସିଏମ ନାୟବ ସଇନି ଚାଷୀଙ୍କୁ ବୋନସ ରାଶି ପ୍ରଦାନ କରିଛନ୍ତି। ସୂଚନାନୁସାରେ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ ଏବଂ ଏହି ସମୟରେ ଖରିଫ -୨୦୨୪ ଫସଲ ପାଇଁ ବୋନସ ରାଶି ଜାରି କରିଛନ୍ତି। ପ୍ରତି ଏକର ଭିତ୍ତିରେ ଚାଷୀଙ୍କୁ ବୋନସ ଦିଆଯାଇଛି ବୋଲି ସିଏମ କହିଛନ୍ତି। ମେ, ଜୁନ ଏବଂ ଜୁଲାଇରେ କମ ବର୍ଷା ହେତୁ ଫସଲ ନଷ୍ଟ ହୋଇଯାଇଛି ଏବଂ ଏହି କାରଣରୁ ସରକାର ବର୍ତ୍ତମାନ ଚାଷୀଙ୍କୁ ବୋନସ ରାଶି ପ୍ରଦାନ କରୁଛନ୍ତି।
https://www.dharitri.com/only-words-no-action-supreme-court-slams-up-on-farmers-killing/
ୟୁପି ସରକାରଙ୍କୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୮।୧୦: ଲଖିମୁପର ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି। ଶୁଣାଣି ସମୟରେ ପୋଲିସର କାର୍ଯ୍ୟରେ ଅଳସୁଆ ଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି। ସେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହତ୍ୟା ଅଭିଯୋଗରେ ପୋଲିସ ନୋଟିସ ପଠାଇ ପଚରାଉଚରା ପାଇଁ ଡାକିଛନ୍ତି କି ? କେଉଁ ଆଧାରରେ ହତ୍ୟାକାରୀକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି? କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଓକିଲ ହରିଶ ସାଲଭେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ କହିଛନ୍ତି ଯେ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଗୁଳି କ୍ଷତ ଦେଖାଯାଇ ନାହିଁ ତେଣୁ ସେମାନଙ୍କୁ ନୋଟିସ ପଠାଯାଇଛି। ଘଟଣାସ୍ଥଳରୁ ଦୁଇଟି କାର୍ଟ୍ରିଜ ଉଦ୍ଧାର କରାଯାଇଥିବା ସେ କହିଛନ୍ତି। ଏଥିରୁ ଜଣାପଡିଛି ଯେ ଅଭିଯୁକ୍ତଙ୍କ ଟାର୍ଗେଟ ଅନ୍ୟ କିଛି ଥିଲା। ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି। କୋର୍ଟ କହିଛନ୍ତି ଯେ, ଆଠ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ପାଇଁ ଆଇନ ସମାନ। ଆମେ ଆଶା କରୁଛୁ ଏହି ଗୁରୁତର ପ୍ରସଙ୍ଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ।
https://www.dharitri.com/ପ୍ରୋ-ଲିଗ୍‌-ପାଇଁ-ଜର୍ମାନୀ-ଇ/
ପ୍ରୋ ଲିଗ୍‌ ପାଇଁ ଜର୍ମାନୀ, ଇଂଲଣ୍ଡ ଟୁର୍‌: ଭାରତୀୟ ହକି କ୍ୟାମ୍ପରେ ୪ ଓଡ଼ିଆ ନୂଆଦିଲ୍ଲୀ, ୩।୩- ବେଙ୍ଗାଲୁରୁସ୍ଥିତ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ପରିସରରେ ଭାରତୀୟ ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇଛି। ଏହି କ୍ୟାମ୍ପରେ ଭାରତୀୟ କୋର୍ ଦଳର ୩୨ ସଦସ୍ୟ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ନୀଲମ ସଞ୍ଜୀପ ଖେସ୍ ସାମିଲ ଅଛନ୍ତି। ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ସପ୍ତାହ ଜାତୀୟ କ୍ୟାମ୍ପ ଚାଲିବାପରେ ଭାରତୀୟ ଦଳ ଜର୍ମାନୀ ଓ ଇଂଲଣ୍ଡ ଯାଇ ଏଫଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ ଖେଳିବ। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି କ୍ୟାମ୍ପ ଖେଳାଳିଙ୍କ ପାଇଁ ବହୁ ଉପାଦେୟ ହେବ। ଭାରତୀୟ ଦଳର ଯେଉଁ ବିଭାଗରେ ଦୋଷ ଦୁର୍ବଳତା ଅଛି ତାହାକୁ ଏହି କ୍ୟାମ୍ପରେ ସୁଧାରିବାକୁ ଚେଷ୍ଟା କରାଯିବ ବୋଲି ରିଡ୍ କହିଛନ୍ତି। ଭାରତୀୟ ଦଳ ଚଳିତ ପ୍ରୋ ଲିଗ୍ରେ ଏପର୍ଯ୍ୟନ୍ତ ୩ଟି ଦଳକୁ ଭେଟି ସାରିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୨ଟି ଯାକ ମ୍ୟାଚ ଜିତିଥିବାବେଳେ ବେଲଜିୟମ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ହାରିଛି ଓ ଜିତିଛି। ”ଆମେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଭଲ ଫଳାଫଳ ପାଇବାରେ ଦକ୍ଷତା ରଖିଛୁ ବୋଲି ଚଳିତ ପ୍ରୋ ଲିଗ୍ରେ ପ୍ରମାଣିତ କରିଛୁ। ଏହା ଦଳର ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି। କେଉଁ ବିଭାଗରେ ଆମକୁ କାମ କରିବାକୁ ହେବ ତାହା ମଧ୍ୟ ଜଣାପଡ଼ିଛି। ଆମକୁ କେବଳ ମ୍ୟାଚ ଉପରେ ନୁହେଁ ସମସ୍ତ ୪ଟି ଯାକ କ୍ୱାର୍ଟରରେ ଫୋକସ ରଖିବା ଆବଶ୍ୟକ“ ବୋଲି ରିଡ୍ କହିଛନ୍ତି। ୪ ସପ୍ତାହ ବିଶିଷ୍ଟ କ୍ୟାମ୍ପରେ ଆମେ ସ୍କିଲ୍, ଟ୍ୟାକ୍ଲିଂ, ଗୋଲ ଶୁଟିଂ, ଟ୍ରାପିଂ ଉପରେ ବିଶେଷ ଧ୍ୟାନ ଦେବୁ। ଆମର ଆକ୍ରମଣାତ୍ମକ ସାମର୍ଥ୍ୟ ଉପରେ ମଧ୍ୟ କାମ କରିବାର ଅଛି। କ୍ୟାମ୍ପ ପରେ ଆମେ ଜର୍ମାନୀ ଓ ଇଂଲଣ୍ଡ ଯାଇ ସେଠାରେ ଖେଳିବୁ। ଏହାପରେ ୨୦୨୦ ଅଲିମ୍ପିକ୍ସ ପାଇଁ ଆମେ କେତେ ପ୍ରସ୍ତୁତ ତାହା ଜଣାପଡ଼ିବ ବୋଲି ରିଡ୍ ପ୍ରକାଶ କରିଛନ୍ତି। କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୂର ପାଠକ, ସୂରଜ କରକେରା, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ ସିଂ ଖାଡାଙ୍ଗବାମ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଆକାଶଦୀପ ସିଂ, ରମଣଦୀପ ସିଂ, ଏସ.ଭି. ସୁନୀଲ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମସେର ସିଂ, ବରୁଣ କୁମାର, ଜରମନପ୍ରୀତ ସିଂ, ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ୍, ଜସକରନ ସିଂ, ରାଜକୁମାର ପାଲ, ଗୁରଜନ୍ତ ସିଂ, ସୁମିତ, ଚିଙ୍ଗଲେନସାନା ସିଂ।
https://www.dharitri.com/lakshya-sen-clinches-badminton-gold/
ସିନ୍ଧୁଙ୍କ ପରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ ବର୍ମିଂହାମ, ୮।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ପି.ଭି ସିନ୍ଧୁଙ୍କ ପରେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ସ୍ବର୍ଣ୍ଣ ଜିତିଛନ୍ତି। ସେ ମାଲେସିଆର ଟିଜେ ୟୋଙ୍ଗକୁ ପରାସ୍ତ କରିଥିଲେ। ତାଙ୍କର ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ। ତେବେ ଭାରତର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ୨୦ତମ ସର୍ଣ୍ଣ ପଦକ। ଏହା ପୂର୍ବରୁ ୧୫ଟି ରୌପ୍ୟ ଏବଂ ୨୨ଟି ବ୍ରେଞ୍ଜ ପଦକ ପାଇଛି ଭାରତ।
https://www.dharitri.com/governor-chief-minister-again-face-to-face-returned-47-files/
ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ… ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜ ନିବାସ କାର୍ଯ୍ୟାଳୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏସବୁ ଫାଇଲରେ ସାମ୍ବିଧାନିକ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିନାହାଁନ୍ତି। ତେଣୁ ସମସ୍ତ ଫାଇଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫେରସ୍ତ କରାଯାଇଛି। ସୂଚନାନୁସାରେ, ଉପରାଜ୍ୟପାଳଙ୍କ ହାଉସକୁ ସ୍ବାକ୍ଷରିତ ହୋଇନଥିବା ଫାଇଲ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉପରାଜ୍ୟପାଳ ସାକ୍ସେନାଙ୍କ ତରଫରୁ ଏକ ଚିଠି ମଧ୍ୟ ଲେଖାଯାଇଛି ଯେଉଁଥିରେ ସମସ୍ତ ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ କରାଯିବା ଉଚିତ ବୋଲି କୁହାଯାଇଛି। ଏହି ସମୟରେ ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସହ ଜଡିତ ମାମଲାରେଉରାଜ୍ୟପାଳ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁଯାୟୀ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ପକ୍ଷରୁ ମିଳିଥିବା ରିପୋର୍ଟ ଉପରେ ଭିଜିଲାନ୍ସ ବିଭାଗର କାର୍ଯ୍ୟରେ ଅଢ଼େଇ ବର୍ଷ ବିଳମ୍ବ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କରେ ସିଭିସି ୧୭ ଫେବୃଆରୀ ୨୦୨୦ ରେ ଭିଜିଲାନ୍ସ ବିଭାଗରେ ରିପୋର୍ଟ ଦାଖଲ କରିଥିଲେ।
https://www.dharitri.com/corruption-has-reached-its-climax-in-the-mahamat-gandhi-national-rural-guaranteed-employment-scheme-mgngrgegs-in-bhapur-block-of-nayagarh-district/
ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌ ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍ ଅଧୀନ ବଡ଼ସରା ପଞ୍ଚାୟତ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ରାସ୍ତାକୁ ୩ ଆର୍ଥିକ ବର୍ଷରେ ନାମ ବଦଳାଇ ୨୧ ଥର ବିଲ୍ କରାଯାଇ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ଏପରି ଅନିୟମିତତା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲାପାଳ ପୋମା ଟୁଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ ପାଇଁ ପିଡି ଡିଆରଡିଏ ଏକ ୩ ଜଣିଆ ଟିମ୍ ଗଠନ କରିଛନ୍ତି। ସୋମବାର ଏହି ଦୁର୍ନୀତିର ତଦନ୍ତ ଆରମ୍ଭ ହେବ। ତଦନ୍ତ ରିପୋର୍ଟକୁ ଆଧାର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଏମ୍ଜିଏନ୍ଆର୍ଇଜିଏସ୍ରେ ୨୦୧୮-୧୯ ଆର୍ଥିକବର୍ଷରେ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ସଡ଼କକୁ ଜଙ୍ଗଲଠାରୁ ଧଳାବନ୍ଧ ରାସ୍ତା, ଗୋପାଳପୁରଠାରୁ ଖଣି ଟ୍ୟାପ ରାସ୍ତା, ଗୋପାଳପ୍ରସାଦର ନୂଆସାହିଠାରୁ ଜଙ୍ଗଲରାସ୍ତା ଏପରି ଭିନ୍ନ ଭିନ୍ନ ନାମରେ ୬ଥର ବିଲ୍ କରାଯାଇଥିଲା। ପ୍ରତି ଥର ରାସ୍ତା କାମ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ସେହି ରାସ୍ତା ନିର୍ମାଣ ବାବଦରେ ୯ଥର ବିଲ୍ କରାଯାଇଛି। ପ୍ରଥମେ ୮.୮ ଲକ୍ଷ, ତା’ପରେ ୮.୦୫ ଲକ୍ଷ, ୮.୨ଲକ୍ଷ, ୭.୫୦ ଲକ୍ଷ, ୩.୪୯ଲକ୍ଷ, ୮.୨୦ଲକ୍ଷ, ୮.୧୩ଲକ୍ଷ, ୭.୫୮ ଲକ୍ଷ, ୭.୧୮ଲକ୍ଷ ଟଙ୍କାର ବିଲ୍ ହୋଇଛି। ପୁଣି ୨୦୨୦-୨୧ଆର୍ଥିକ ବର୍ଷରେ ୬ଥର ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଯାଇ ୮.୯୩ ଲକ୍ଷ, ୭.୬୭ଲକ୍ଷ, ୭.୫୪ଲକ୍ଷ, ୯.୮୬ଲକ୍ଷ, ୯.୨୮ ଲକ୍ଷ, ୯.୩୩ ଲକ୍ଷ ଟଙ୍କାର ବିଲ୍ କରାଯାଇଛି। ଏହି ସମସ୍ତ ଅର୍ଥକୁ ଅତି ଚତୁରତାର ସହିତ ହଡ଼ପ କରାଯାଇଛି। ଏନେଇ ବାଇଗୁଣିଆ ଗଁାର ସାମାଜିକ କର୍ମୀ ନବକିଶୋର ବରାଡ଼ କହିଛନ୍ତି, ଭାପୁର ବ୍ଲକର ୫ ପୋଖରୀ ଖୋଳା ନାଁରେ ୪୦ ଲକ୍ଷ ଟଙ୍କାର ଫଲ୍ସ ବିଲ୍ କରାଯାଇଥିଲା। ସେ ସଂକ୍ରାନ୍ତ ଅଭିଯୋଗ ହେଲା ପରେ ମଧ୍ୟ ସେହି ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପିଡି ଡିଆରଡିଏ ରାସ୍ତା ଦୁର୍ନୀତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଫରକ ପଡିବ ନାହିଁ। କାରଣ ଦୁର୍ନୀତି ଚାପିବାକୁ ଚାପ ପଡ଼ି ସାରିଲାଣି। ଯେଉଁ ବ୍ୟକ୍ତିମାନେ ଏହି ଦୁର୍ନୀତି ବିରୋଧରେ ମୁହଁଁ ଖୋଲୁଛନ୍ତି ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି। ଏପରି କି ସେହି ଲୋକମାନଙ୍କୁ ମାରପିଟ୍ କରାଯାଉଛି। ଆମ ଜୀବନ ପ୍ରତି ବି ବିପଦ ରହିଛି। ହେଲେ ଆମେ ଚୁପ୍ ରହିବୁନି ବୋଲି କହିଛନ୍ତି। ସେହିପରି ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଫାର୍ମପଣ୍ଡ ଓ କୂପ ନ ଖୋଳି ଫଲ୍ସ ବିଲ୍ କରାଯାଇଛି। ପ୍ରାୟ ୪୦ଟି ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି ଅନିୟମିତତା ସାମ୍ନାକୁ ଆସିବା ପରେ ଏହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏମ୍ଜିଏନ୍ଆର୍ଇଜିଏସ୍ରେ ଏପରି ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି।
https://www.dharitri.com/slum-dweller-almost-cried-after-seening-electric-bill-of-62-thousands/
ଝାଟିମାଟି ଘରେ ରହୁଥିବା ମହିଳାଙ୍କ ବିଲ୍‌ ଆସିଲା ୬୨ ହଜାର ଟଙ୍କା, ଆଉ ତା ପରେ.. ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ରହୁଥିବା ଜଣେ ଗରିବ ମହିଳାଙ୍କ ବିଜୁଳି ବିଲ୍ ଆସିଛି ୬୨ହଜାର ଟଙ୍କା। ଏହାଦେଖି ମହିଳା ଚକିତ ହୋଇଯାଇଥିଲେ। କାରଣ କଷ୍ଟରେ ଗୁଜରାଣ ମେଣ୍ଟାଉଛନ୍ତି ସେ । ଏଭଳି ସ୍ଥିତିରେ ଏତେ ଟଙ୍କା କିଭଳି ପୈଠ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏପରିକି ସେ ସହାୟତା ମାଗିଥିବା ଚର୍ଚ୍ଚା ହେଉଛି। ମହିଳାଜଣଙ୍କ ହେଉଛନ୍ତି ପ୍ରେମିଳା ଗିରି। ସେ ଇନ୍ଦିରା ନଗର ଅଞ୍ଚଳରେ ଏକ ଝାଟିମାଟି ଘରେ ରୁହନ୍ତି। ଯେଉଁଠି ଗୋଟିଏ ବଲ୍ ଏବଂ ପଙ୍ଖା , ଟିଭି ସେ ଲଗାଇଛନ୍ତି। ମାତ୍ର ଏତିକିରେ ବିଦ୍ୟୁତ୍ ବିଲ୍ ଆସିଛି ୬୨ ହଜାର ଟଙ୍କା। ଏନେଇ ସେ ବିଦ୍ୟୁତ୍ ବିଭାଗରେ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ଟଙ୍କା ପୈଠ କରିବା ପରେ ଅଭିଯୋଗ ଗ୍ରହଣ କରାଯିବ ବୋଲି ସେମାନେ କହିଥିଲେ। ଶେଷରେ ମହିଳାଜଣଙ୍କ ସ୍ଥାନୀୟ ନେତାଙ୍କୁ ଏ ବିଷୟରେ ଜଣାଇଥିଲେ। ସେଠାରୁ ଲେଖା ମିଳିବା ପରେ ବିଦ୍ୟୁତ ବିଭାଗ ତତ୍ପର ହୋଇ ପଡ଼ିଥିଲା। ଘରେ ଲାଗିଥିବା ମିଟର ଖରାପ ଥିବା ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଥିଲା।
https://www.dharitri.com/discovery-of-the-weapons-of-the-4000-year-old-dwapar-period-in-mainpuri/
ମୈନପୁରୀରେ ୪ ହଜାର ବର୍ଷ ପୁରାତନ ଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ… ମୈନପୁରୀ, ୨୪।୬ : ତ୍ତରପ୍ରଦେଶର ମୈନପୁରୀର ଏକ ଚାଷ ଜମିରୁ ଚାରି ହଜାର ବର୍ଷ ପୁରାତନଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ମିଳିଥିବା ତମ୍ବା ଅସ୍ତ୍ରଶସ୍ତ୍ରର ନେଇ ପ୍ରତ୍ନତତ୍ତ୍ୱବିତ୍ମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରାଚୀନ କାଳରେ ମଧ୍ୟ ଭାରତୀୟ ଯୁଦ୍ଧବିମାନର ଉନ୍ନତ ଅସ୍ତ୍ରଶସ୍ତ୍ର ଥିଲା, ଏହାର ପ୍ରମାଣ ମିଳିଥିବା ଅସ୍ତ୍ରଶସ୍ତ୍ରରୁ ଜଣା ପଡ଼ିଛି। ଯୋଦ୍ଧାମାନେ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ କରୁଥିଲେ। ସେମାନେ ବଡ଼ ଖଣ୍ଡା ବ୍ୟବହାର କରୁଥିଲେ। ଚାରି ଫୁଟ ଲମ୍ବର ଖଣ୍ଡା ସେହି ସମୟରେ ବ୍ୟବହୃତ ହେଉଥିଲା। ଏହି ଅସ୍ତ୍ରଗୁଡିକ ଅତି ତୀକ୍ଷ୍ଣ ଏବଂ ବିକଶିତ ଧରଣର ଥିଲା ଷ୍ଟାରଫିସ ଆକୃତିର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲା। ତେବେ ପ୍ରଶ୍ନ ହେଉଛି କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧରେ ଏହି ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହୃତ ହୋଇଛି କି? ଅନୁସନ୍ଧାନ ପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ ବୋଲି ଗବେଷକ କହିଛନ୍ତି। ତେବେ ପ୍ରତ୍ନତତ୍ତ୍ୱବିତ୍ମାନେ ଅସ୍ତ୍ରଶସ୍ତ୍ର ଯାଞ୍ଚ କରିବା ପରେ ଏହାକୁ ରୋମାଞ୍ଚକରନ୍ ବୋଲି କହିଛନ୍ତି। ଜୁନ ମାସ ଆରମ୍ଭରେ, ଜଣେ କୃଷକ ମୈନପୁରୀର ଗଣେଶପୁର ଅଞ୍ଚଳରେ ଥିବା ତାଙ୍କର ଦୁଇ ଜମିରେ ଚାଷ କରୁଥିଲେ। ଏହାକୁ ସମତଳ କରାଯାଉଥିଲା। ଖନନ ସମୟରେ କ୍ଷେତରୁ ତମ୍ବା ଖଣ୍ଡା ଏବଂ ଭାଲା ମିଳିଥିଲା। କୃଷକ ସେହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ତାଙ୍କ ଘରକୁ ନେଇଗଲେ। ସେ ଭାବିଲେ ଯେ ଏହି ସମସ୍ତ ଅସ୍ତ୍ର ସୁନା କିମ୍ବା ରୂପାରେ ନିର୍ମିତ ମୂଲ୍ୟବାନ ଧାତୁ ହୋଇଥିବ। ତେବେ ଚାଷ ଜମିରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର ହେବାର ଖବର ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା ଏବଂ କେହି କେହି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ ଚାଷୀଙ୍କଠାରୁ ଏହି ଅସ୍ତ୍ରଶସ୍ତ୍ର ପାଇ ଯାଞ୍ଚ କରିଥିଲେ।